ଉପକ୍ରମ

ଆପଦ ପ୍ରଶମନ କ୍ଷେତ୍ରରେ ପୁଞ୍ଜି ନିବେଶ, ବିପର୍ଯ୍ୟୟ ପରିଚାଳନାରେ ଉନ୍ନତି, ଆଗୁଆ ପ୍ରସ୍ତୁତି, ପ୍ରାକ୍-ସୂଚନା, ତ୍ୱରିତ ପୁନଃ ନିର୍ମାଣ ଉପରେ ଅଗ୍ରାଧିକାର ।

କେନ୍ଦ୍ର ସରକାର ପ୍ରଥମ କରି ଏକ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା (NDMP) ପ୍ରସ୍ତୁତ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଧବାର (୦୧.୦୬.୨୦୧୬) ଏହାକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି ।

ଯୋଜନାର ମୁଖ୍ୟ ଲକ୍ଷ୍ୟ

ବିପର୍ଯ୍ୟୟ ବେଳେ ଧନ-ଜୀବନ ହାନିକୁ ବ୍ୟାପକ ମାତ୍ରାରେ ହ୍ରାସ କରିବା ଏବଂ ଭାରତକୁ ବିପର୍ଯ୍ୟୟ ସହନଶୀଳ କରାଇବା ହେଉଛି - ନୂତନ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନାର ମୁଖ୍ୟ ଲକ୍ଷ୍ୟ । “ସେଣ୍ଡାଇ ଫ୍ରେମୱାର୍କ’’(Sendai Framework) ଆଧାରରେ ପ୍ରସ୍ତୁତ ବିପର୍ଯ୍ୟୟ ପରିଚାଳନା ଯୋଜନାର ଚାରୋଟି ଅଗ୍ରାଧିକାର କ୍ଷେତ୍ର ରହିଛି । ଏଗୁଡିକ ହେଲା - ପ୍ରାକୃତିକ ବିପର୍ଯ୍ୟୟକୁ ଠିକ୍ ଭାବେ ବୁଝିବା, ପ୍ରାକୃତିକ ଆପଦ ପରିଚାଳନାରେ ଉନ୍ନତି ଘଟାଇବା, ଆପଦ ପ୍ରଶମନ ହ୍ରାସ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ, ବିପର୍ଯ୍ୟୟ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି, ଆଗୁଆ ସତର୍କ ସୂଚନା ଏବଂ ବିପର୍ଯ୍ୟୟ ପରବର୍ତ୍ତି କାଳରେ ଉନ୍ନତ ପୁନଃନିର୍ମାଣ କାର୍ଯ୍ୟ ।

ବିପର୍ଯ୍ୟୟ ପରିଚାଳନାର ସମସ୍ତ ଦିଗକୁ ଦୃଷ୍ଟି ଦେଇ ନୂତନ ଯୋଜନାଟିକୁ ପ୍ରସ୍ତୁତ କରାଯାଇଛି । ବିଶେଷକରି - ବିପର୍ଯ୍ୟୟ ନିବାରଣ, ପ୍ରଶମନ, ମୁକାବିଲା ଏବଂ ବିପର୍ଯ୍ୟୟରୁ ଶୀଘ୍ର ମୁକୁଳିବା ଉପରେ ଅଗ୍ରାଧିକାର ଦିଆଯାଉଛି । ସରକାରଙ୍କ ପରିଚାଳନାଧିନ ଏଜେନ୍ସୀ ଓ ବିଭାଗ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ ବିଭିନ୍ନ ସ୍ତରରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ଏପରିକି ଆପଦ କାଳରେ ପୌର ସଂସ୍ଥା ଏବଂ ପଞ୍ଚାୟତର ଭୂମିକା କ’ଣ ଓ କି ପ୍ରକାରେ ହେବ ସେ ସବୁକୁ ଟିକିନିଖି ଭାବେ ନୂତନ ଯୋଜନାରେ ଉଲ୍ଲେଖ କରାଯାଇଛି । ଉତ୍ତମ ଓ ଫଳପ୍ରଦ ପରିଚାଳନା ଲାଗି ଏହି ଯୋଜନାକୁ ଆଂଚଳିକ ଓ ସ୍ଥାନୀୟ ଆଭିମୁଖ୍ୟ ଦିଆଯାଇଛି ।

ଯୋଜନାଟିକୁ ଏଭଳି ପ୍ରସ୍ତୁତ କରାଯାଇଛି ଯାହାକି ପ୍ରତିଟି ସ୍ତରରେ ଉତ୍ତମରୁ ଉତ୍ତମ ଭାବେ କାର୍ଯ୍ୟନ୍ୱୟନ କରାଯାଇପାରିବ । ବିପର୍ଯ୍ୟୟ ପ୍ରାକ୍-ସୂଚନା, ଅହରହ ତଥ୍ୟ ଓ ସୂଚନା ପ୍ରଦାନ, ମେଡିକାଲ ସୁବିଧା, ଇନ୍ଧନ ଯୋଗାଣ, ପରିବହନ, ଅନୁସନ୍ଧାନ ଓ ଉଦ୍ଧାରକାର୍ଯ୍ୟ, ପ୍ରଭାବିତ ଲୋକଙ୍କୁ ନିରାପଦ ଜାଗାକୁ ସ୍ତାନାନ୍ତର, ବିପର୍ଯ୍ୟୟ ବିଷୟରେ ସମସ୍ତ ବିଭାଗ ଓ ଏଜେନ୍ସୀକୁ ସୂଚନା ଦିଆଯିବାର ପ୍ରାବଧାନ ରହିଛି । ବିପର୍ଯ୍ୟୟରେ କିଭଳି ବେଶି କ୍ଷତି ନ ହୋଇ ଶୀଘ୍ର ମୁକୁଳି ପାରିବା ଏବଂ ଉତ୍ତମ ପୁନଃନିର୍ମାଣ ଓ ଥଇଥାନ କାର୍ଯ୍ୟକୁ ମଧ୍ୟ ଏଥିରେ ଗୁରୁତ୍ୱ ଦିଆଯାଇଛି ।

ବିପର୍ଯ୍ୟୟର ଫଳପ୍ରଦ ମୁକାବିଲା ନିମନ୍ତେ ସ୍ଥାନୀୟ ଲୋକଙ୍କୁ ଶିକ୍ଷିତ, ସଚେତନ ଓ ଅହରହ ସୂଚନା ପ୍ରଦାନର ଆବଶ୍ୟକତା ଉପରେ ନୂତନ ଯୋଜନାରେ ପ୍ରାଧାନ୍ୟ ଦିଆଯାଇଛି ।

କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କିରେନ୍ ରିଜିଜୁ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା (NDMA) ର ବରିଷ୍ଠ ଅଧିକାରୀମାନେ ଏହି ଯୋଜନାର ଉନ୍ମୋଚନ ବେଳେ ଉପସ୍ଥିତ ଥିଲେ ।
ଆଧାର :PIB