ଆଞ୍ଚଳିକ ବିଭିନ୍ନତା ଓ ଭାଷାଗତ ବିଭିନ୍ନତା

ପ୍ରତ୍ୟେକ ଦେଶରେ ରହିଛି ଆଞ୍ଚଳିକ ବିଭିନ୍ନତା ଓ ଭାଷାଗତ ବିଭିନ୍ନତା । ସେଥିସହିତ ରହିଛି ଧର୍ମ , ସଂସ୍କୃତି ପରମ୍ଫରା ତଥା ସାମାଜିକ ଚଳଣି ଓ ଆଚାର ବ୍ୟବହାରରେ ବିଭିନ୍ନତା । ସେହିପରି ଗୋଟିଏ ଦେଶର ବିଭିନ୍ନ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କର ଐତିହ୍ୟ , ସେମାନଙ୍କର ଭାଷା ଓ ସାହିତ୍ୟ ଏବଂ ଶିଳ୍ପ ଓ ଭାସ୍କର୍ଯ୍ୟ ମଧ୍ୟ ଭିନ୍ନ ପ୍ରକାରର । ଦେଶର ପ୍ରାକୃତିକ ସମ୍ପଦ ମଧ୍ୟ ଦେଶର ସବୁ ସ୍ଥାନରେ ସମାନ ଭାବରେ ଗଚ୍ଛିତ ନଥାଏ । କେଉଁଠାରେ ଖଣିଜ ସମ୍ପଦ ପ୍ରଚୁର ଅଛି ତ କେଉଁଠି ଜଳ ଓ ଜଙ୍ଗଲ ସମ୍ପଦ ଭରପୁର । ଆମ ଦେଶର ଭାଷା ଓ ସଂସ୍କୃତି ମଧ୍ୟ ଭିନ୍ନ । ଦେଶର ସବୁ ଅଞ୍ଚଳର ଆର୍ଥିକ ଅବସ୍ଥା ମଧ୍ୟ ସମାନ ନୁହେଁ ।

ତେଣୁ କୁହାଯାଇଛି, ଆମ ଭାରତବର୍ଷ ଏକ ଭିନ୍ନତାର ଦେଶ । ଏଠାରେ ରହିଛି ଆଞ୍ଚଳିକ ବିଭିନ୍ନତା ଏବଂ ଧର୍ମ ଓ ଭାଷାଗତ ବିଭିନ୍ନତା । ଆମ ଦେଶରେ ମଧ୍ୟ ଅନେକ ଜାତିରେ ଲୋକମାନେ ବସବାସ କରନ୍ତି । ତେଣୁ ଏହି ସମସ୍ତ ବିଭିନ୍ନତା ଓ ଭେଦ ଭାବକୁ ଭୁଲିଯାଇ ସମସ୍ତ ଭାରତୀୟ ନିଜକୁ ଗୋଟିଏ ଦେଶର ନାଗରିକ ବୋଲି ବିଚାର କାଲେ ଓ ଦେଶପ୍ରାଣତାରେ ଉଦବୁଦ୍ଧ ହେଲେ , ଦେଶରେ ଏକଟା ପ୍ରତିଷ୍ଠା ହୋଇ ପାରିବ ଓ ଜାତୀୟ ସଂହତି ବା ଜାତୀୟ ଏକଟା ପ୍ରତିଷ୍ଠିତ ହୋଇପାରିବ ।

ଜାତୀୟ ସଂହତି

ଜାତୀୟ ସଂହତି ଏକ ଭାବଗତ ଓ ମନସ୍ତାତ୍ତ୍ୱିକ ଧାରଣା । ଏକାତ୍ମବୋଧର ଏହା ଏକ ଉଦବେଳନ ଅନୈକ୍ୟ ମଧ୍ୟରେ ଐକ୍ୟର ପ୍ରତିଷ୍ଠା ଓ ବିଭିନ୍ନତା ମଧ୍ୟରେ ଏକତାର ପ୍ରତିଷ୍ଠା । ଜାତୀୟ ସଂହତିର ଉତ୍ସ ହେଉଛି ଜାତୀୟତାବୋଧ ବା ରାଷ୍ଟ୍ରୀୟତାବୋଧ । ଶାନ୍ତିପୂର୍ଣ୍ଣ ସହାବସ୍ଥାନରୁ ଉତ୍ସୁକତା ଜାତୀୟସଂହତିର ପଥକୁ ଉନ୍ମୁକ୍ତ କରେ ।

ଜାତି, ଧର୍ମ , ଭାଷା ଓ ଆଞ୍ଚଳିକତାର ସଂକୀର୍ଣ୍ଣତାକୁ ଅତିକ୍ରମ କରେ ଯେତେବେଳେ ସମଗ୍ର ଦେଶବାସୀ ଦେଶାତ୍ମକବୋଧରେ ଭାବବିହ୍ଵଳିତ ହୋଇ ଯାଆନ୍ତି ଓ ସମଗ୍ର ଗୋଟିଏ ମାତୃଭୂମିର ସନ୍ତାନ ରୂପେ ନିଜ ନିଜ ଦେଶର ନାଗରିକତାର ପରିଚୟ ପ୍ରଦାନ କରନ୍ତି , ସେତେବେଳେ ସେମାନଙ୍କ ମଧ୍ୟରେ ଭାତୃଭାବ ପ୍ରତିଷ୍ଠିତ ହୁଏ ଓ ଜାତୀୟ ସଂହତି ସୁଦୃଢ ହୁଏ ।

ଜାତୀୟ ସଂହତିର ମୂଳମନ୍ତ୍ର ହେଲା , ଦେଶାତ୍ମବୋଧର ପ୍ରେରଣା , ମାତୃଭୂମି ପ୍ରତି ଏକାନ୍ତ ସ୍ନେହ , ପ୍ରେମ ଓ ଦେଶମାତୃକାର ସେବା ଓ ସଂକଳ୍ପର ପରାକାଷ୍ଠା । ଜାତୀୟ ସଂହତି ବ୍ରତୀ ପ୍ରତ୍ୟେକ ନାଗରିକ ନିଜକୁ ଜାତୀୟ ମହାସ୍ରୋତରେ ସାମିଲ କରିଦିଏ ଏବଂ ସେ ଭୁଲିଯାଏ । ଆପଣର ଜାତି , ଧର୍ମ, ଭାଷା ଓ ସଂସ୍କୃତିର ବିଭିନ୍ନତାକୁ ତେଣୁ ଜାତୀୟ ସଂହତି ଏକ ବହୁମୁଖୀ ସମାଜିକ ପ୍ରକ୍ରିୟା ।

ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲି ରାଧାକ୍ରିଷ୍ଣନଙ୍କ ଭାଷାରେ “ ଜାତୀୟ ସଂହତି କାଦୁଅ ଓ ଇଟା ନିର୍ମିତ ଏକ ଗୃହ ନୁହେଁ । ଏହା ଏପରି ଏକ ଭାବନା , ଯାହା ଲୋକମାନଙ୍କର ହୃଦୟର ଗଭୀତତମ ଗହ୍ଵର ମଧ୍ୟରେ ପ୍ରବେଶ କରିବା ଦରକାର । ଏହି ଭାବନାର ଅନୁପ୍ରବେଶ ହିଁ ଲୋକମାନଙ୍କୁ ଜାଗ୍ରତ କରି ପାରିବ । “

ଜାତୀୟ ସଂହତି ର ସଂଜ୍ଞା

ଜାତୀୟ ସଂହତିର କୌଣସି ଏକ ସଂକ୍ଷିପ୍ତ ଓ ନିର୍ଦ୍ଧିଷ୍ଟ ସଂଜ୍ଞା ପ୍ରଦାନ କରିବା ସହଜସାଧ୍ୟ ନୁହେଁ । ସଂକୀର୍ଣ୍ଣ ଅର୍ଥରେ , ଜାତୀୟ ସଂହତି “ କ୍ଷୁଦ୍ର ଆଞ୍ଚଳିକ ମନୋଭାବକୁ ପରିତ୍ୟାଗ କରି ଜାତୀୟ ମହାସ୍ରୋତରେ ସାମିଲ ହେବାର ପ୍ରକ୍ରିୟାକୁ ବୁଝାଏ ।

ମାତ୍ର, ବ୍ୟାପକ ଅର୍ଥରେ ଏହା ଏକ ଭିନ୍ନ ପ୍ରକ୍ରିୟା “ ଯେଉଁ ପ୍ରକ୍ରିୟା ମାଧ୍ୟମରେ ଗୋଟିଏ ଦେଶରେ ବାସ କରୁଥିବା ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଗୋଷ୍ଠୀ ସେହି ନିର୍ଦ୍ଧିଷ୍ଟ ରାଷ୍ଟ୍ର ନାମରେ ନିଜର ପରିଚୟ ସାବ୍ୟସ୍ତ କରନ୍ତି , ତାହାକୁ “ଜାତୀୟ ସଂହତି “ କୁହାଯାଏ ।

ବାସ୍ତବରେ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଓ ଅଞ୍ଚଳର ସମୃଦ୍ଧିରେ ଜାତୀୟ ସଂହତିର ଅଭିବୃଦ୍ଧି ଘଟେ । ଯେପରି କି ଶରୀରର ବିଭିନ୍ନ ଅଙ୍ଗ ଅଭିବୃଦ୍ଧି ସହିତ ମନୁଷ୍ୟର ସାମଗ୍ରିକ ଅଭିବୃଦ୍ଧି ଓ ବିକାଶ ଘଟିଥାଏ ।

ଜାତୀୟ ସଂହତି ବିଭିନ୍ନତାର ବିରୋଧୀ ନୁହେଁ । ମାତ୍ର “ ବିଭିନ୍ନତା ମଧ୍ୟରେ ଏକଟା “ ଓ ଅନେକତ୍ଵ ମଧ୍ୟରେ ଏକତ୍ଵ “ ହେଉଛି ଜାତୀୟ ସଂହତିର ମୂଳଧାର ଓ ମୂଳମନ୍ତ୍ର ।

ଜାତୀୟ ସଂହତି ର ପ୍ରକାର ଭେଦ

ଜାତୀୟ ସଂହତି ମୁଖ୍ୟତଃ ଛଅ ପ୍ରକାରର ।

ଯଥା

ରାଜନୈତିକ

ଅର୍ଥନୈତିକ

ସାମାଜିକ

ସାଂସ୍କୃତିକ

ମନସ୍ତାତ୍ତ୍ଵିକ

ନୈତିକ

ଭାରତ ପରିପ୍ରେକ୍ଷୀରେ ଜାତୀୟ ସଂହତି

ଆମ ଦେଶ ଭାରତବର୍ଷ ଏକ ବିଶାଳ ଦେଶ । ଏଠାରେ ବର୍ତ୍ତମାନ ପ୍ରାୟ ୧୨୧ କୋଟି ଲୋକ ବାସ କରୁଛନ୍ତି । ଏତେ ସଂଖ୍ୟକ ଲୋକମାନଙ୍କ ମଧ୍ୟରେ ରହିଛି ଜାତି, ଧର୍ମ, ବର୍ଣ୍ଣ, ଭାଷା, ଓ ସଂସ୍କୃତିର ବିଭିନ୍ନତା । ଏପରି ଏକ ବିରାଟ ଦେଶରେ ଆଞ୍ଚଳିକ ଅସମାନତା ରହିବା ସ୍ଵାଭାବିକ । ଆମ ଦେଶରେ ବାସ କରୁଛନ୍ତି ସମ୍ବିଧାନ ସ୍ଵୀକୃତ ୨୨ ଗୋଟି ଭାଷାଭାସି ଲୋକ । ଏହା ବ୍ୟତୀତ ଦେଶରେ ରହିଛି ଶତାଧିକ “ କଥିତ – ଭାଷା “ ଭାରତରେ ବାସ କରୁଛନ୍ତି ଲକ୍ଷାଧିକ ଅନୁସୂଚିତ ଜାତି ଓ ଜନଜାତିର ଲୋକ । ସେମାନଙ୍କର ଚଳଣି ଓ ସଂସ୍କୃତି ମଧ୍ୟ ଭିନ୍ନ । ଭାରତରେ ରହିଛି ପ୍ରାକୃତିକ ଓ ଆଞ୍ଚଳିକ ଭିନ୍ନତା । ଦେଶର ପଶ୍ଚିମରେ ରହିଛି ମରୁଭୁମି , ପୂର୍ବରେ ରହିଛି ଘଞ୍ଚ ଅରଣ୍ୟ , ଉତ୍ତରରେ ରହିଛି ହିମାଳୟ ପର୍ବତମାଳା ଏବଂ ଦକ୍ଷିଣ ପଶ୍ଚିମ ଓ ପୂର୍ବ ସୀମାକୁ ଘେରି ରହିଛି ଯଥାକ୍ରମେ ବିଶାଳକାୟ ଭାରତ ମହାସାଗର, ଆରବ ସାଗର ଓ ବଙ୍ଗୋପସାଗର ।

ଜନ ଷ୍ଟ୍ରିଚିଙ୍କ ପରି କେତେକ ବିଦେଶୀ ବିଦ୍ଵାନଙ୍କ ମତରେ “ ଭାରତରେ କେବେହେଲେ ଏକତା ନଥିଲା , ଏବେ ମଧ୍ୟ ନାହିଁ । ତାଙ୍କ ମତରେ, ଭାରତବର୍ଷରେ ସାମାଜିକ ବା ଧାର୍ମିକ ବା ରାଜନୈତିକ ଏକଟା କଦାପି ଦେଖାଯାଏ ନାହିଁ ।

ଅପରପକ୍ଷେ ସ୍ଵାମୀ ବିବେକାନନ୍ଦ ଓ ଶ୍ରୀଅରବିନ୍ଦଙ୍କ ପରି ମହାପୁରୁଷମାନଙ୍କ ମତରେ ଭାରତରେ ସର୍ବଦା ଏକତା ରହି ଆସିଛି । ସନାତନ ଧର୍ମ ଭାରତରେ ଆତ୍ମା ସଦୃଶ । ବୈଦିକ ସଂସ୍କୃତି ଓ ସନାତନ ଧର୍ମ ସମସ୍ତ ଭାରତବାସୀଙ୍କୁ ଏକତାର ସୂତ୍ରରେ ବାନ୍ଧିରଖିଛି ।

ବିଶିଷ୍ଟ ଐତିହାସିକ ଭିନସେଣ୍ଟ ସ୍ମିଥଙ୍କ ମତରେ ଭାରତ “ ଅନୈକ୍ୟ ମଧ୍ୟରେ ଐକ୍ୟ ପାଇଁ ପ୍ରସିଦ୍ଧ । ଏଠାରେ ରହିଛି “ ବିଭିନ୍ନତା ମଧ୍ୟରେ ଏକତା “

ଜାତୀୟ ସଂହତି ଦ୍ଵାରା ଏକତା ରକ୍ଷା କରାଯିବା ସହିତ ଜନସାଧାରଣଙ୍କର ସଂସ୍କୃତିଗତ ସ୍ଵତନ୍ତ୍ର୍ୟ ମଧ୍ୟ ଅକ୍ଷୁର୍ଣ୍ଣ ରହେ । ସାଂସ୍କୃତିକ ଓ ସାମାଜିକ ଭିନ୍ନତା ଥିବା ବିଭିନ୍ନ ଗୋଷ୍ଠୀମାନଙ୍କୁ ଗୋଟିଏ ଭୌଗଳିକ ଅଖଣ୍ଡତା ପରିସର ମଧ୍ୟକୁ ଆଣି , ସେମାନଙ୍କ ମଧ୍ୟରେ ଏକ “ ଜାତୀୟ ପରିଚୟ “ ସୃଷ୍ଟି କରିବାର ଧାରା ବା ପ୍ରକ୍ରିୟାକୁ “ଜାତୀୟ ସଂହତି କୁହାଯାଏ । “ଜାତୀୟ ସଂହତି” ଏକ ଶୃଙ୍ଖଳିତ ଜନଶକ୍ତି ଗଠନରେ ସହାୟକ ହୋଇଥାଏ ।

୧୯୬୧ ମସିହାରେ ଆମ ଦେଶରେ ଗୋଟିଏ ଜାତୀୟ ସଂହତି ପରିଷଦ ଗଠନ କରାଗଲା । ଏହି ପରିଷଦ ଭାରତୀୟ ଜାତୀୟ ସଂହତି ନିମ୍ନୋକ୍ତ ଉପାଦାନ ଉପରେ ବିଶେଷ ଗୁରୁତ୍ଵ ଆରୋପ କରିଛନ୍ତି । ଯଥା

ଏକ – ନାଗରିକତା

ବିଭିନ୍ନତା ମଧ୍ୟରେ ଏକତା

ଦେଶାତ୍ମବୋଧ ଭାବ ବା ଦେଶ ପ୍ରତି ଆନୁଗତ୍ୟ ଓ ଜାତୀୟ ପ୍ରତୀକ ପ୍ରତି ପ୍ରଗାଢ ଅନୁରକ୍ତି ।

ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଭାତୃଭାବ ବା ସମ୍ପ୍ରଦାୟିକ ସଦଭାବ ପ୍ରତିଷ୍ଠା ।

ଧର୍ମ ନୀରପେକ୍ଷତା ଓ ଧର୍ମଗତ ସ୍ଵାଧୀନତା ଅଧିକାର ।

ସମାନତା

ସାମାଜିକ , ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରଦାନ

ଭୌଗୋଳିକ ଅଖଣ୍ଡତା

ଜାତୀୟ ସଂହତିର ସୃଷ୍ଟି ତଥା ଭାବଗତ ସଂହତି ଏବଂ ଭାଷା ଓ ପରମ୍ଫରାର ସ୍ଵତନ୍ତ୍ର ପରିଚୟ ।

ନୈତିକ ସଂହତି

ସ୍ଵାଧୀନତା ପରବର୍ତ୍ତୀ ସମୟର ଭାରତରେ ଜାତୀୟ ସଂହତିର ପ୍ରତିଷ୍ଠା ଦିଗରେ ସମସ୍ତ ନେତୃବୃନ୍ଦ ସଚେତନ ଥିଲେ । ମାତ୍ର ଦେଶର ବିଭାଜନ ସମୟର ସମ୍ପ୍ରଦାୟିକ ହିଂସାଭାବଜନିତ ଆଚରଣ ସମସ୍ତଙ୍କୁ ଚକିତ କରି ଦେଇଥିଲା । ଫଳରେ, ଭବିଷ୍ୟତରେ ବିଭେଦକାରୀ ଶକ୍ତିଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏକ “ ଜାତୀୟ କର୍ମଚାରୀ “ ନିର୍ଦ୍ଧାରଣ କରିବା ଉଦ୍ଦେଶ୍ୟରେ ସମସ୍ତ ନେତୃବୃନ୍ଦ ତଥା ସମ୍ବିଧାନ ପ୍ରଣେତାମାନେ ଆଗଭର ହେଲେ । ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଭାଷାରେ “ଜାତୀୟ ସଂହତି ହେଉଛି ଆମ୍ଭର ଜାତୀୟ ଲକ୍ଷ୍ୟ “ । ଏଭଳି ଏକ ଉକ୍ତି ପ୍ରଣିଧାନ ଯୋଗ୍ୟ ।

ଭାରତ ଭଳି ଏକ ବହୁ ଜାତି , ବହୁ ଧର୍ମ , ବହୁ ଭାଷାଭାଷି ତଥା ଅନ୍ୟାନ୍ୟ ବିଭିନ୍ନତାରେ ପରିପୂର୍ଣ୍ଣ ରାଷ୍ଟ୍ରରେ ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ ନିମ୍ନୋକ୍ତ ବିହିତ ପଦକ୍ଷେପ ନେବା ପାଇଁ ସମ୍ବିଧାନ ପ୍ରଣୟନ ସଭାରେ ସର୍ବସମ୍ମତି ପ୍ରକାଶ ପାଇଲା । ସେଗୁଡିକ ହେଲା : ଯଥା :-

ସାଂସ୍କୃତିକ ବିଭିନ୍ନତାକୁ ସମ୍ମାନ ପ୍ରଦର୍ଶନ କରାଯିବା ସହିତ ଜାତୀୟ ସଂହତି ପ୍ରତିଷ୍ଠା କରିବା ।

ସମସ୍ତଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ।

ସମସ୍ତଙ୍କ ମନରେ ଭାତୃଭାବ ପ୍ରତିଷ୍ଠା କରିବା ।

ସମସ୍ତଙ୍କର ସ୍ଵତନ୍ତ୍ରତା ବଜାୟ ରଖିବା ।

ଦେଶର ସମ୍ବିଧାନକୁ ସର୍ବୋଚ୍ଚ ଆଇନ ରୂପେ ଗ୍ରହଣ କରିବା ।

ଜାତୀୟ ପ୍ରତୀକ ଯଥା – ଜାତୀୟ ପତାକା ଓ ଜାତୀୟ ସଙ୍ଗୀତ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ।

ସର୍ବାନ୍ତଃକରଣରେ ଧର୍ମଗତ ସଦଭାବ “ ସର୍ବଧର୍ମ – ସମଭାବ “ ଓ ଧର୍ମ ନିରପେକ୍ଷତା ଆଚରଣ କରିବା ।

ଦେଶର ଅଖଣ୍ଡତା ଓ ଐକ୍ୟ ରକ୍ଷା କରିବା ଲକ୍ଷ୍ୟରେ ଦଳଗତ ତଥା ବ୍ୟକ୍ତିଗତ ସ୍ଵାର୍ଥ ପ୍ରତ୍ୟାହାର କରିବା ପାଇଁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହେବା ।

ଭାରତରେ ଜାତୀୟ ସଂହତି ରକ୍ଷା କରିବା ପାଇଁ କି ପ୍ରକାର ସାମ୍ବିଧାନିକ ବ୍ୟବସ୍ଥା କରାଯାଇଛି

ଆମର ସମ୍ବିଧାନପ୍ରଣେତାମାନେ ସ୍ଵାଧୀନ ଭାରତରେ ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ ଆମ ସମ୍ବିଧାନରେ କେତେଗୁଡିଏ ସମୁଚିତ ବ୍ୟବସ୍ଥା ରଖିଛନ୍ତି । ସେଗୁଡିକ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ହେଉଛି ନିମ୍ନୋକ୍ତ ତିନିଗୋଟି ବ୍ୟବସ୍ଥା ; ଯଥା –

ଧର୍ମ ନିରପେକ୍ଷତା ଓ ସର୍ବଧର୍ମ – ସମଭାବ

ସାମାଜିକ ନ୍ୟାୟ

ଅର୍ଥନୈତିକ ବିକାଶ ଏସବୁର ସଂକ୍ଷିପ୍ତ ଆଲୋଚନା ବିଧେୟ ।

(କ) ଧର୍ମ ନିରପେକ୍ଷତା ଓ ସର୍ବଧର୍ମ –ସମଭାବ ନୀତିକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ସମ୍ବିଧାନର “ ପ୍ରସ୍ତାବନା ବା ପ୍ରାକକଥନ “ ରେ ଭାରତକୁ ଏକ “ ଧର୍ମ ନିରପେକ୍ଷ ରାଷ୍ଟ୍ର “ ବୋଲି ସୂଚିତ କରାଯାଇଛି । ଆମ ଦେଶରେ ପ୍ରଚଳିତ ଧର୍ମ ନିରପେକ୍ଷତା କହିଲେ ବୁଝାଏ ;

ସବୁ ଧର୍ମ ପ୍ରତି ସହନଶୀଳତା ପ୍ରଦର୍ଶନ , ଏବଂ

ପରସ୍ପରର ଧର୍ମ ପ୍ରତି ସହୃଦୟତା ଓ ସମ୍ମାନ ପ୍ରଦର୍ଶନ ।

ଆମ ଦେଶରେ ପ୍ରଚଳିତ ଧର୍ମ ନିରପେକ୍ଷତା ସମ୍ପର୍କିତ ନିମ୍ନୋକ୍ତ ଅସ୍ତିସୂଚକ ବ୍ୟବସ୍ଥାଗୁଡିକ ହେଲା :-

ଆମ ରାଷ୍ଟ୍ର କୌଣସି ନିର୍ଦ୍ଧିଷ୍ଟ ଧର୍ମ ଉପରେ ପ୍ରତିଷ୍ଠିତ ନୁହେଁ ।

ଆମର “ କୌଣସି ରାଷ୍ଟ୍ରଧର୍ମ “ ନାହିଁ

ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର

ପ୍ରତ୍ୟେକ ବ୍ୟକ୍ତିର ଧର୍ମଗତ ଓ ଉପାସନାଗତ ସ୍ଵାଧୀନତା ରହିଛି ।

ସବୁ ଧର୍ମ ସମାନ

ଭାରତର ସ୍ଵାଧୀନତା ଆନ୍ଦୋଳନ ମଧ୍ୟ ଥିଲା ଏକ ଧର୍ମ ନିରପେକ୍ଷ ଆନ୍ଦୋଳନ , କାରଣ ଏଥିରେ ସବୁ ଧର୍ମର ଲୋକ ଭାଗ ନେଇଥିଲେ ଓ ଦେଶ ପାଇଁ ପ୍ରାଣବଳି ଦେଇଥିଲେ । ସମ୍ବିଧାନ ଧାରା ୧୪,୧୫,୧୬, ୨୫, ୨୮, ଏବଂ ୨୯, ୩୦ ରେ ପ୍ରଦତ୍ତ ବ୍ୟବସ୍ଥାଗୁଡିକ ଭାରତକୁ ଧର୍ମ ନିରପେକ୍ଷ ରାଷ୍ଟ୍ର ରୂପେ ପରିଚିତ କରିବା ପାଇଁ ଉଦ୍ଦିଷ୍ଟ । ବିଗତ ୬୦ ବର୍ଷ ମଧ୍ୟରେ ଆମେ ସମସ୍ତେ ଧର୍ମଗତ ସଦଭାବ ପ୍ରତିଷ୍ଠା କରିବା ସହିତ ଦେଶରେ ଶାନ୍ତି , ମୈତ୍ରୀ ଓ ଜାତୀୟ ସଂହତି ପ୍ରତିଷ୍ଠା କରିବାରେ ସଫଳ ହୋଇଛୁ ।

୨.ସାମାଜିକ ନ୍ୟାୟ

ଦେଶରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ଲାଗି ଆମ ସମ୍ବିଧାନ ପ୍ରତିଶ୍ରୁତିବଦ୍ଧ । ଏକଥା ମଧ୍ୟ ସ୍ପଷ୍ଠ ଭାବରେ ଆମ ସମ୍ବିଧାନରେ “ ପ୍ରସ୍ତାବନା “ରେ ସୂଚିତ ହୋଇଅଛି । ସାମାଜିକ ଅନ୍ୟାୟ , ବୈଷମ୍ୟ ଓ ଭେଦଭାବ ଯୋଗୁଁ ଜାତୀୟ ସଂହତି ବାଧା ପ୍ରାପ୍ତ ହୁଏ । ତେଣୁ ସାମାଜିକ ନ୍ୟାୟ ପ୍ରଦାନ ଲାଗି ଯେଉଁ ବ୍ୟବସ୍ଥା ଆମ ସମ୍ବିଧାନରେ ରହିଛି , ତାହାହେଲେ ସମାନତାର ଅଧିକାର ଏବଂ ସ୍ଵାଧୀନତାର ଅଧିକାର ଓ ଭାତୃଭାବ । ଏତତବ୍ୟତୀତ ଆମ ସମାଜର ଦୁର୍ବଳ ଶ୍ରେଣୀ ବ୍ୟକ୍ତି ଯଥା – ଅନୁସୂଚିତ ଜାତି ଓ ଜନଜାତି ଶିଶୁ ଓ ମହିଳାମାନଙ୍କର ବିକାଶ ପାଇଁ ସମ୍ବିଧାନରେ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି । ଶିଶୁଶ୍ରମିକ ପ୍ରଥା ଉଚ୍ଛେଦ କରାଯାଇଛି । ମହିଳାମାନଙ୍କୁ ନିର୍ଯ୍ୟାତନା ବା ତାଡନାରୁ ସୁରକ୍ଷା ମିଳିଛି ।

ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିମାନଙ୍କ ପାଇଁ “ ମାଗଣା ଆଇନ ସହାୟତା “ ର ବ୍ୟବସ୍ଥା କରାଯାଇଛି । ଶ୍ରମିକଙ୍କ ପାଇଁ ଉଚିତ ପାରିଶ୍ରମିକ ବ୍ୟବସ୍ଥା , ଅନଗ୍ରସରବର୍ଗ ଲୋକମାନଙ୍କର ବିକାଶ ପାଇଁ ସ୍ଵତନ୍ତ୍ର ଅନୁଦାନ ପ୍ରଦାନ ବ୍ୟବସ୍ଥାଗୁଡିକ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ସହିତ ଜାତୀୟ ସଂହାତର ସୁରକ୍ଷା କରି ପାରିଛି ।

ଅର୍ଥନୈତିକ ବିକାଶ

ଯେ କୌଣସି ରାଷ୍ଟ୍ରର ସମସ୍ତ ନାଗରିକଙ୍କର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେଲେ ଜାତୀୟ ସଂହତି ସୁଦୃଢ ହୋଇଥାଏ । ଭାରତ ପରି ଏକ ବୃହତକାୟ ରାଷ୍ଟ୍ରର ସମସ୍ତ ଅଞ୍ଚଳର ସବୁ ନାଗରିକମାନଙ୍କର ସାମୁହିକ ଆର୍ଥିକ ବିକାଶ ଏକ ଦୁରୂହ ବ୍ୟାପାର । ବିଶେଷ କରି ଇଂରେଜ ଶାସନ ସମୟରେ ଆମର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିଲା । ସ୍ଵାଧିନତା ପରବର୍ତ୍ତୀ ଭାରତରେ ପାଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଆମ ଦେଶର ଆର୍ଥିକ ପରିସ୍ଥିତି ସୁଧୁରିଛି । କୃଷି ଓ ଶିଳ୍ପ କ୍ଷେତ୍ରରେ ଅସାଧାରଣ ଅଗ୍ରଗତି ଘଟିଛି । ବଡ ବଡ କଳକାରଖାନାରେ ଲକ୍ଷାଧିକ ଶ୍ରମିକ ନିଯୋଜିତ ହେବା ଯୋଗୁଁ ସେମାନଙ୍କର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହୋଇପାରିଛି । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମ ଦେଶରେ ବୈପ୍ଳବିକ ପରିବର୍ତ୍ତନ ଦେଖାଦେଇଛି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଭାରତ ସମଗ୍ର ବିଶ୍ଵରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ସମାଜର ପଛୁଆ ବର୍ଗ ଓ ମହିଳାମାନେ ନିଯୁକ୍ତି କ୍ଷେତ୍ରରେ ସ୍ଵତନ୍ତ୍ର ସଂରକ୍ଷଣ ବ୍ୟବସ୍ଥାର ସୁଯୋଗ ପାଉଛନ୍ତି । ଦେଶର ଜାତୀୟ ଆୟ ତଥା ପ୍ରତ୍ୟେକ ବ୍ୟକ୍ତିଙ୍କର ମୁଣ୍ଡପିଛା ଆୟ ବୃଦ୍ଧି ପାଇଅଛି । ସରକାରଙ୍କ ଦ୍ଵାରା ଜନମଙ୍ଗଳକାରୀ ନୀତିର ପ୍ରଣୟନ ଓ ପ୍ରୟୋଗ ଯୋଗୁଁ ସମାଜରେ ଆର୍ଥିକ ବିକାଶ ଆଖିଦୃଶିଆ ହୋଇଛି , ଯାହାକି ଆମ ଦେଶରେ ଜାତୀୟ ସଂହତିର ବିକାଶ ପାଇଁ ଶୁଭଙ୍କର ହୋଇପାରିଛି ।

ଭାରତର ଜାତୀୟ ସଂହତି ପଥରେ ଥିବା ପ୍ରତିବନ୍ଧକଗୁଡିକ

ଭାରତରେ ଜାତୀୟ ସଂହତି ଦିନକୁ ଦିନ ବିପନ୍ନ ହେବାରେ ଲାଗିଛି । ନିମ୍ନୋକ୍ତ କାରଣଗୁଡିକ ଯୋଗୁଁ ଜାତୀୟ ସଂହତି ଭାରତରେ ବାଧ୍ୟା ପ୍ରାପ୍ତ ହେଉଛି ।

୧. ବହିଃଶତ୍ରୁ ଆକ୍ରମଣ ବା ଆକ୍ରମଣର ଆଶଙ୍କା

ଭାରତର ନିରାପତ୍ତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହେଉଛି ମୁଖତଃ ପଡୋଶୀ ରାଷ୍ଟ୍ର ଚୀନ ଓ ପାକିସ୍ଥାନର ଭାରତ ସହିତ ଥିବା ତିକ୍ତ ସମ୍ପର୍କ ଯୋଗୁଁ । ସୀମାରେଖା ନିର୍ଦ୍ଧାରଣ କାରଣକୁ ଭାରତ ସହିତ ଏହି ଦୁଇଟି ପଡୋଶୀ ରାଷ୍ଟ୍ରର ସମ୍ପର୍କରେ ତିକ୍ତତା ରହିଛି । ଫଳରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ ହୋଇପାରୁନାହିଁ ।

୨. ଆନ୍ତର୍ଜାତିକ ସନ୍ତ୍ରାସବାଦ

ଆନ୍ତର୍ଜାତିକ ସନ୍ତ୍ରାସବାଦର ଭୟଙ୍କରତା କେବଳ ଭାରତ ନୁହେଁ , ଅନ୍ୟ ବହୁ ଦେଶର ନିରାପତ୍ତା ଓ ଜାତୀୟ ସଂହତି ପ୍ରତି ସୃଷ୍ଟି କରୁଛି । ଆତଙ୍କବାଦୀଙ୍କର ସୀମାପାର ଅନୁପ୍ରବେଶ ଫଳରେ ଭାରତର ଆଭ୍ୟନ୍ତରୀଣ ନିରାପତ୍ତା ବିପଦସଂକୁଳ ହୋଇଅଛି ।

୩. ସାମ୍ପ୍ରଦାୟକତା

ସାମ୍ପ୍ରଦାୟକତା ଭାରତର ଜାତୀୟ ସଂହତି ପ୍ରତି ଏକ ଆଭ୍ୟନ୍ତରୀଣ ବିପଦ । ସାମ୍ପ୍ରଦାୟକତା ତିକ୍ତତା ଯୋଗୁଁ ଜାତୀୟ ସଂହତି ବ୍ୟାହତ ହୁଏ । ସାମ୍ପ୍ରଦାୟକତାର ବିଭୀଷିକା ବା ଉତଶୃଙ୍ଖଳତା ଯୋଗୁଁ ସମାଜରେ ଏକ ଅଶାନ୍ତ ପରିବେଶ ସୃଷ୍ଟି ହୁଏ । ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହେଲେ ମଧ୍ୟ ଏହା ସାମୟିକ ସାମ୍ପ୍ରଦାୟିକ ବିଦ୍ଵେଷଣରୁ ମୁକ୍ତି ନୁହେଁ ।

ଯେତେବେଳେ ଧର୍ମର ଦ୍ଵାହି ଦେଇ କୌଣସି ସାମ୍ପ୍ରଦାୟକୁ ଅନ୍ୟ ସମ୍ପ୍ରଦାୟ ବିରୋଧରେ ଉଦ୍ଦେଶ୍ୟମୂଳକ ତଥା ଅନ୍ୟାୟ ଭାବରେ ବ୍ୟବହାର କରାଯାଏ ବା ରାଷ୍ଟ୍ର ବିରୋଧରେ ବିନିଯୋଗ କରାଯାଏ , ତାହାକୁ ସାମ୍ପ୍ରଦାୟକତା କୁହାଯାଏ । ଫଳରେ ସାମ୍ପ୍ରଦାୟିକ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥାଏ ଏବଂ ଜାତୀୟ ସଂହତି ଓ ଜାତୀୟ ଏକଟା କ୍ଷୁର୍ଣ୍ଣ ହୁଏ ।

୪. ଆଞ୍ଚଳିକବୈଷମ୍ୟ

ଆଞ୍ଚଳିକ ସ୍ଵାର୍ଥ ପ୍ରତି ଅଧିକ ପ୍ରାଧାନ୍ୟ ପ୍ରଦାନ ଓ ଆଞ୍ଚଳିକ ବୈଷମ୍ୟ ଜନସାଧାରଣଙ୍କ ମନକୁ ଅଶାନ୍ତ କରେ ଓ ଆଞ୍ଚଳିକବାଦକୁ ପ୍ରଶ୍ରୟ ଦିଏ , ଯାହା ଫଳରେ ବିଭିନ୍ନତାବାଦ ଜନ୍ମ ନିଏ । ବେଳେବେଳେ, କେତେକ ରାଜ୍ୟର ଲୋକମାନେ ସ୍ଵତନ୍ତ୍ର ରାଜ୍ୟ ଗଠନ ପାଇଁ ଦାବି କରନ୍ତି ଓ ଆନ୍ଦୋଳନ ପନ୍ଥା ଗ୍ରହଣ କରନ୍ତି , ଯାହାକି ଜାତୀୟ ସଂହତିର ବିରୋଧୀ ଅଟେ ।

୫. ଜାତିଗତ ଭେଦଭାବ

ଉଚ୍ଚ-ନୀଚ ଜାତିଭେଦ ଭାରତର ସାମାଜିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ଫଳରେ ସମାଜରେ ଅସ୍ଥିରତା ବୃଦ୍ଧି ପାଉଛି ଏବଂ ଜାତୀୟ ସଂହତି ବାଧ୍ୟାପ୍ରାପ୍ତ ହେଉଛି ।

ଭାରତରେ ଜାତୀୟ ସଂହତିର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପଗୁଡିକ

ଭାରତରେ ଜାତୀୟ ସଂହତିର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗୁଡିକ ନିମ୍ନରେ ଆଲୋଚିତ ହୋଇଛି ।

୧. ସମଗ୍ର ଦେଶରେ ଏକ ସୁଦୃଢ ତଥା ସ୍ଥିର ଓ ସ୍ଵଚ୍ଛ ଶାସନ ବ୍ୟବସ୍ଥା ରହିଲେ ଦେଶର ଏକଟା ଅକ୍ଷୁର୍ଣ୍ଣ ରହେ । ଏକ ସ୍ଥିର ସରକାର ହିଁ ପ୍ରଗତିସୂଚକ ଓ ସଂସ୍କାରମୂଳକ ପଦକ୍ଷେପ ନେଇଥାଏ ।ଲୋକମାନଙ୍କର ଅସୁବିଧା ଓ ଅଭାବକୁ ବିଶେଷ ଧ୍ୟାନ ଦେଇ ସରକାର ନୀତି ନିର୍ଦ୍ଧାରଣ କରିବା ଉଚିତ । ଏକ ଦୃଢ ମନୋବଳ ଓ ରାଜନୈତିକ ଇଚ୍ଛା –ଶକ୍ତି ଥିବା ସୁଦୃଢ ଓ ସ୍ଥିର ସରକାର ବାହ୍ୟ ଶତ୍ରୁ ଆକ୍ରମଣ ଓ ଅଭ୍ୟନ୍ତରୀଣ ବିଶୃଙ୍ଖଳାର ଉପଯୁକ୍ତ ମୁକାବିଲା ବା ପ୍ରତିରୋଧ କରିପାରିବ ।

୨. ଆର୍ଥିକ ସ୍ଵଚ୍ଛତା ଓ ସୁସ୍ଥତା ଏବଂ ଅର୍ଥନୈତିକ ବିକାଶ

ଆର୍ଥିକ ସ୍ଵଚ୍ଛତା ଓ ସୁସ୍ଥତା ଦେଶକୁ ଅଧିକ ସବଳ, ଉନ୍ନତ ଓ ବିକଶିତ କରେ ଏବଂ ଅର୍ଥନୈତିକ ତଥା ସାମାଜିକ ବୈଷମ୍ୟ ଦୂରକରେ । ଫଳରେ ଦାରିଦ୍ର୍ୟ ଲୋପପାଏ ଓ ଜାତୀୟ ସଂହତି ସୁରକ୍ଷିତ ରହେ ।

୩. ସାମ୍ପ୍ରଦାୟିକ ସହଯୋଗ ଓ ସହନଶୀଳତା ମନୋଭାବ

କେବଳ ଆଇନ ମାଧ୍ୟମରେ ସାମ୍ପ୍ରଦାୟକତା ବିଭୀଷିକାକୁ ସ୍ଥାୟୀ ଭାବେ ରୋକା ଯାଇପାରିବ ନାହିଁ । ଏଥିପାଇଁ ଆବଶ୍ୟକ ସମ୍ପ୍ରଦାୟମାନଙ୍କ ମଧ୍ୟରେ “ ସହଯୋଗ ଓ ସହନଶୀଳତା “ ମନୋଭାବ ସୃଷ୍ଟି । ଧର୍ମଗତ ସଂକୀର୍ଣ୍ଣତା ଓ ଦ୍ଵେଷକୁ ସାମାଜିକ ସଚେତନା ମାଧ୍ୟମରେ ଦୂର କରାଯାଇପାରିବ । ବ୍ୟକ୍ତିର ଉପାସନା ଓ ଧର୍ମଗତ ସ୍ଵାଧିନତାର ସୁରକ୍ଷା ନିହାତି ଆବଶ୍ୟକ । ସେହିପରି ଜାତିଗତ ଭେଦଭାବର ବିଲୋପ ଜାତୀୟ ସଂହତିକୁ ସୁଦୃଢ କରେ ।

୪. ଗଣତାନ୍ତ୍ରିକ ମୂଲ୍ୟବୋଧ ଦ୍ଵାରା ସମାନତା , ସାମାଜିକ ନ୍ୟାୟ ଓ ସ୍ଵାଧୀନ ମନୋଭାବର ପ୍ରସାର ଘଟେ ଏବଂ ଜାତୀୟ ଐକ୍ୟ ବା ସଂହତି ଅଧିକଜ ଉନ୍ନତ ଓ ବିକଶିତ ହୁଏ ।

୫. ଉନ୍ନତମାନର ଶିକ୍ଷା ବ୍ୟବସ୍ଥା

ପ୍ରୟୋଗାତ୍ମକ ଜ୍ଞାନର ବିକାଶ, ଶିକ୍ଷା ମାଧ୍ୟମରେ ନୈତିକ କର୍ତ୍ତବ୍ୟ ବୋଧ ସୃଷ୍ଟି , ପାଠ୍ୟକ୍ରମର ଆଧୁନିକୀକରଣ ତଥା ଦେଶାତ୍ମବୋଧ ଜାଗ୍ରତକାରୀ ପାଠ୍ୟକ୍ରମର ପ୍ରଚଳନ ଓ ବୃତ୍ତିଭିତ୍ତିକ ଶିକ୍ଷାଦାନ ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲେ ଦେଶର ପ୍ରଗତି ଓ ଐକ୍ୟ (ସଂହତି )ର ବିକାଶ ଘଟିବ ।

୬. ସାଂସ୍କୃତିକ ସଂହତି

ଏହା ମାଧ୍ୟମରେ ଜାତୀୟ ସଂହତି ବୃଦ୍ଧିପାଏ । ବିଭିନ୍ନ ପ୍ରକାର ଜାତୀୟ ତଥା ଆନ୍ତଃରାଜ୍ୟସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଜାତୀୟ ସ୍ତରରେ ଆଞ୍ଚଳିକ ସଂସ୍କୃତିକୁ ଯଥୋଚିତ ପରିଚୟ ମିଳିଲେ , ସଂସ୍କୃତିଗତ ଭେଦଭାବ ବିଲୁପ୍ତ ହେବ ଓ ଜାତୀୟ ସଂହତି ଅଧିକ ସୁଦୃଢ ହେବ ।

୭.ନିର୍ବାଚନ ବ୍ୟବସ୍ଥା ଅବାଧ , ମୁକ୍ତ ଓ ନିରପେକ୍ଷ ହେଲେ , “ ଜାତିଭିତ୍ତିକ ଭୋଟ ବ୍ୟାଙ୍କ “ ବ୍ୟବସ୍ଥାର ଦୁର୍ଗୁଣ ହ୍ରାସ ପାଇବ ଓ ଜାତୀୟ ସଂହତି ଉନ୍ନତ ହେବ ।

୮. ସୁସ୍ଥ ରାଜନୈତିକ ପରମ୍ଫରା ଅନୁସ୍ତୃତ ହେଲେ ସୁଦୃଢ ଜନମତ ସ୍ପଷ୍ଟି ହୁଏ ଓ ସରକାରରେ ସ୍ଥିରତା ଆସିଥାଏ । ଏହାର ଫଳସ୍ୱରୂପ , ସୁଶାସନ ପ୍ରତିଷ୍ଠିତ ହୁଏ । ସେଥିପାଇଁ ଆବଶ୍ୟକ , ରାଜନୈତିକ ଦଳର ସ୍ଥିରତା ଓ ଦଳୀୟ ନେତୃତ୍ଵର ସ୍ଵଚ୍ଛତା ଏବଂ ଚରିତ୍ରବତ୍ତା ତଥା ଉନ୍ନତ ରାଜନୈତିକ ମୂଲ୍ୟବୋଧ , ଯାହା ଜାତୀୟ ସଂହତିର ପରିପୂରକ ।

ସର୍ବଶେଷରେ ରହିଛି ଦେଶପ୍ରେମ ଭାବା ଦେଶପ୍ରେମରେ ଅନୁପ୍ରାଣିତ ବ୍ୟକ୍ତି ଦେଶର ଏକଟା ଓ ଅଖଣ୍ଡତା ଆଖ୍ୟା କରିବାରେ ସମର୍ଥ ହୁଏ । ଉନ୍ନତମାନର ଶିକ୍ଷା ଓ ଆଧ୍ୟାତ୍ମିକ ଚିନ୍ତାଧାରା ମାଧ୍ୟମରେ ଦେଶପ୍ରେମଭାବ ଜାଗ୍ରତ କରାଯିବା ଉଚିତ ।

ଉପସଂହାର

ଭାରତ ପରି ଏକ ବହୁ ଭାଷାଭାସି , ବହୁ ଧର୍ମ ଓ ବହୁ ଜାତି ବିଶିଷ୍ଟ ରାଷ୍ଟ୍ରରେ ଜାତୀୟ ସଂହତିର ଆବଶ୍ୟକତା ନିହାତି ଜରୁରୀ । ଆଇନଗତ ଶୃଙ୍ଖଳା ମାଧ୍ୟମରେ ଜାତୀୟ ସଂହତି ହାସଲ କରାଯାଇପାରିବ ନାହିଁ । ଏଥିପାଇଁ ଜରୁରୀ ଗଣତାନ୍ତ୍ରିକ ପଦ୍ଧତିର ପ୍ରଚଳନ । ବଳପୂର୍ବକ ଜାତୀୟ ଏକଟା ବା ଜାତୀୟ ସଂହତିର ବିକାଶ ଅସମ୍ଭବ । ସେଥିପାଇଁ ଆବଶ୍ୟକ ହେଉଛି । ଭାବାତ୍ମକ ଏକଟା ଓ ସୁଦୃଢ ମନୋବଳ । “ ଏ ଦେଶ ମୋର ଓ ମୋ ନିଜ ଦେଶ ପାଇଁ ମୋର କର୍ତ୍ତବ୍ୟ ରହିଛି “- ଏ ପ୍ରକାର ଭାବବିହ୍ଵଳତା ମନରେ ନ ଆସିଲେ ଭାରତରେ “ ବିଭିନ୍ନତା ମଧ୍ୟରେ ଏକତା “ ଆଣିବା ଓ ଜାତୀୟ ସଂହତି ବଜାୟରଖିବା ଏକ ଦୁରୂହ ଓ କଷ୍ଟସାଧ୍ୟ ବ୍ୟାପାର ହେବ । ଏହାର ସ୍ଥାୟୀ ସମାଧାନ ନିହାତି ଜରୁରୀ , କିନ୍ତୁ ତାହା ସମୟ ସାପେକ୍ଷ । ବ୍ୟକ୍ତି – ଚରିତ୍ର ପରିବର୍ତ୍ତିତ ନହେଲେ ଭାରତରେ ଜାତୀୟ ସଂହତିର ଗଠନ ଓ ବିକାଶ ଅପୂରଣୀୟ ରହିବ । ସେଥିପାଇଁ ଆମେ ସମସ୍ତେ ଆଗାମୀ ପିଢି ନିକଟରେ ଉତ୍ତରଦାୟୀ ରହିବା ।

ଆଧାର – ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା ।