ଭାରତବର୍ଷରେ ପଞ୍ଚାୟତିରାଜର ଭିତ୍ତିଭୂମି ରୂପେ ‘ ଗ୍ରାମସଭା ’ କୁ ହିଁ ଗ୍ରହଣ କରାଯାଇଅଛି । ଗ୍ରାମ ପଞ୍ଚାୟତର ଭୋଟର ତାଲିକାରେ, ସ୍ଥାନ ପାଇଥିବା ସାବାଳକ ଭୋଟରମାନଙ୍କ ସମାହାରରେ ନିର୍ଦ୍ଧିଷ୍ଟ ଗ୍ରାମ ବା ଗ୍ରାମପୁଞ୍ଜ ପାଇଁ ପରିଗଠିତ ଗୋଷ୍ଠୀକୁ ଗ୍ରାମସଭା କୁହାଯାଏ । ଭାରତ ବର୍ଷର ପଞ୍ଚାୟତିରାଜ ବ୍ୟବସ୍ଥା ତ୍ରିସ୍ତରୀୟ । ପ୍ରଥମ ସ୍ତର ଗ୍ରାମ କିମ୍ବା ଗ୍ରାମପୁଞ୍ଜରେ କାର୍ଯ୍ୟ କରିଥାଏ । ଦ୍ଵିତୀୟ ସ୍ତର ବ୍ଲକର କାର୍ଯ୍ୟାବଳୀରେ ରୂପାୟିତ ହେବା ଦେଖାଯାଏ । ତୃତୀୟ ସ୍ତର ଜିଲ୍ଲା ସ୍ତରରେ କାର୍ଯ୍ୟ କରିଥାଏ । ନିମ୍ନସ୍ତରର ପ୍ରଥମ ସୋପାନ ସାଧାରଣତଃ ଗ୍ରାମ ପଞ୍ଚାୟତ ରୂପେ ବିଦିତ । କର୍ଣ୍ଣାଟକ ଏହା ମଣ୍ଡଳ ପଞ୍ଚାୟତ ରୂପେ ନାମିତ ।ମାଧ୍ୟମ ସ୍ତରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନଟି ସାଧାରଣତଃ ‘ ପଞ୍ଚାୟତ ସମିତି ’ ରୂପେ ଅଭିହିତ । ଏହା ଆନ୍ଧ୍ର ପ୍ରଦେଶରେ ‘ ମଣ୍ଡଳ ପ୍ରଜା ପରିଷଦ ’ , ଗୁଜୁରାଟରେ ‘ ତାଲୁକ ପଞ୍ଚାୟତ ’ , କର୍ଣ୍ଣାଟକରେ ‘ ତାଲୁକ ପଞ୍ଚାୟତ ସମିତି ’ , ମଧ୍ୟପ୍ରଦେଶରେ ‘ ଜଳପଦ ପଞ୍ଚାୟତ ’ , ତାମିଲନାଡୁରେ ‘ ପଞ୍ଚାୟତ ୟୁନିଅନ ’, ଉତ୍ତର ପ୍ରଦେଶରେ ‘କ୍ଷେତ୍ର ସମିତି ’, ଅରୁଣାଚଳ ପ୍ରଦେଶରେ ‘ ଅଞ୍ଚଳ ସମିତି ’ ଏବଂ ଆସାମରେ ‘ ଆଞ୍ଚଳିକ ପଞ୍ଚାୟତ ’ ରୂପେ ବିଦିତ । ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ତୃତୀୟ ସୋପାନଟି କେଉଁଠି ‘ ଜିଲ୍ଲା ପରିଷଦ ’ କିମ୍ବା ଅନ୍ୟ କେଉଁଠି ଜିଲ୍ଲା ପଞ୍ଚାୟତ ରୂପେ ଅଭିହିତ । ଆସାମରେ ଏହା ସବଡିଭିଜନ ସ୍ତରରେ କାର୍ଯ୍ୟ କରିଥାଏ ଏବଂ ମହକୁମା ଏବଂ ‘ ମହକୁମା ପରିଷଦ ’ ରୂପେ ନାମିତ ହୋଇଥାଏ । ତାମିଲନାଡୁରେ ‘ ଜିଲ୍ଲା ଉନ୍ନୟନ ପରିଷଦ ’ ନାମରେ ପରିଚିତ । ପ୍ରଚଳିତ ପଞ୍ଚାୟତିରାଜ ଅଧିନିୟମ ଅନୁଯାୟୀ ପ୍ରତ୍ୟକ ରାଜ୍ୟରେ ଗ୍ରାମ, ମଧ୍ୟବର୍ତ୍ତୀ ଓ ଜିଲ୍ଲା ସ୍ତରରେ ପଞ୍ଚାୟତ ଗଠିତ ହେବ । ଏହାଦ୍ଵାରା ସମଗ୍ର ଦେଶରେ ସମାନତା ପ୍ରତିଷ୍ଠିତ ହୋଇ ପାରିବ । ଯେଉଁ ପ୍ରଦେଶର ଜନସଂଖ୍ୟା କୋଡିଏ ଲକ୍ଷରୁ କମ୍ , ସେଠାରେ ବିସ୍ତରୀୟ ପଞ୍ଚାୟତିରାଜ ପଦ୍ଧତି କାର୍ଯ୍ୟକାରୀ କରାଇ ମଧ୍ୟବର୍ତ୍ତୀ ସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ବାଦ୍ ଦେବାପାଇଁ ନିୟମ ପ୍ରଣୟନ ହୋଇଅଛି । ବର୍ତ୍ତମାନ , ୧୬ଟି ରାଜ୍ୟ / ସଂଘ ରାଜ୍ୟକ୍ଷେତ୍ର ତ୍ରିସ୍ତରୀୟ, ୫ଟି ରାଜ୍ୟ/ସଂଘ ରାଜ୍ୟ କ୍ଷେତ୍ରରେ ଦ୍ଵିସ୍ତରୀୟ ଏବଂ ୮ଟି ରାଜ୍ୟ / ସଂଘ ରାଜ୍ୟ କ୍ଷେତ୍ରରେ ଏକ – ସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥା ଅନୁସୃତ ହୋଇଅଛି । ନାଗାଲାଣ୍ଡ, ମେଘାଳୟ, ମିଜୋରାମ ଏବଂ ମଣିପୁରର ବୃହତ୍ ଅଂଶରେ ଏବଂ ଲକ୍ଷାଦ୍ଵୀପରେ ପଞ୍ଚାୟତି ରାଜା ଅନୁଷ୍ଠାନମାନଙ୍କ ଏକ ପୃଥକ ରୂପରେ ବିଦ୍ୟମାନ ଏବଂ କ୍ରିୟାଶୀଳ । ଗାନ୍ଧିଜୀ ହୃଦ୍ ବୋଧ କରିଥିଲେ ଯେ ଗଣତନ୍ତ୍ରର ପରିପୂର୍ଣ୍ଣତା ନିମିତ୍ତ ରାଜ ଅନୁଷ୍ଠାନମାନ ପ୍ରଭୃତ କ୍ଷମତାର ଅଧିକାରୀ ହେବା ବାଞ୍ଛନୀୟ । ଏପରି ହେବା ଦ୍ଵାରା ଗ୍ରାମବାସୀବୃନ୍ଦ ସ୍ଵରାଜର ପ୍ରକୃତ ମର୍ମ ହୃଦୟଙ୍ଗମ କରିପାରିବେ । ଏହି ପରିପ୍ରେକ୍ଷୀରେ ଗାନ୍ଧିଜୀଙ୍କ ଦ୍ଵାରା ଘୋଷିତ ଦୃଢ ମତର ପରିଣତି ସ୍ୱରୂପ ‘ ରାଷ୍ଟ୍ରନୀତିର ନିର୍ଦ୍ଦେଶାତ୍ମକ ସିଦ୍ଧାନ୍ତ ’ ର ଚତୁର୍ଥ ଖଣ୍ଡର ୪୦ ଧାରାରେ ପଞ୍ଚାୟତି ରାଜ ସମ୍ଭନ୍ଧରେ ସ୍ପଷ୍ଟ ଉଲ୍ଲେଖ ରହିଲା । ଏହା ପ୍ରକାଶ କରେ ଯେ, “ ଗ୍ରାମ ପଞ୍ଚାୟତ ଗଠନ କରିବା ନିମନ୍ତେ ରାଷ୍ଟ୍ର ପଦକ୍ଷେପ ନେବେ ଏବଂ ଏଗୁଡିକ ଆତ୍ମଶାସନର ଏକକ ରୂପେ କାର୍ଯ୍ୟ ପରିଚାଳନା ନିମନ୍ତେ ଆବଶ୍ୟକ କରୁଥିବା ସମସ୍ତ କ୍ଷମତା ଓ ପ୍ରାଧିକାର ଏମାନଙ୍କ ଉପରେ ନ୍ୟସ୍ତ କରାଯିବ ।” ଏହି ନୀତି ଘୋଷିତ ହେବା ସମୟଠାରୁ ଅଦ୍ୟାବଧି ସରକାରଙ୍କ ଦ୍ଵାରା ବାରମ୍ବାର ବିଭିନ୍ନ କମିଟିମାନ ଗଠିତ ହୋଇ ପଞ୍ଚାୟତିରାଜ ଅନୁଷ୍ଠାନ ସମ୍ପର୍କରେ ନିଜର ସୁଚିନ୍ତିତ ପରାମର୍ଶ ଦେଇ ଆସିଛନ୍ତି । ବଳବନ୍ତରାୟ ମେହେଟା ଅନୁଧ୍ୟାନକାରୀ ଦଳ ସ୍ୱାଧିନତାର ଭାରତରେ ରାଷ୍ଟ୍ରବ୍ୟାପୀ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମମାନ ରୂପାୟିତ ହୋଇ ସର୍ବବିଧ ଅର୍ଥନୈତିକ ପ୍ରଗତିର ପ୍ରବାହ ସାକାର ହୋଇଥିବା ଦୃଷ୍ଟିରୁ, ସ୍ଥାନୀୟ କମିଟିମାନଙ୍କୁ ଉନ୍ନୟନଧାରାରେ ସଂଶ୍ଳିଷ୍ଟ କରିବା ନିମିତ୍ତ ଏକ ଫଳପ୍ରଦ ଆନୁଷ୍ଠାନିକ ବିନ୍ୟାସର ଆବଶ୍ୟକତା ଅନୁଭୂତ ହେଲା । ଗୋଷ୍ଠୀ ଉନ୍ନୟନ ଏବଂ ପଞ୍ଚାୟତିରାଜ ଅନୁଧ୍ୟାନକାରୀ ଦଳ ‘ ବଳବନ୍ତରାୟ ମେହେଟା ଅନୁଧ୍ୟାନକାରୀ ଦଳ ’ ୧୯୫୭ ମସିହାରେ ଗଠିତ ହେଲା । ତ୍ରିସ୍ତରୀୟ ପଞ୍ଚାୟତିରାଜ ପଦ୍ଧତି ତାଙ୍କରି ସୁପାରିଶ ବଳରେ ଜୀବନ୍ୟାସ ଲାଭ କଲା । ତାଙ୍କରି ପରାମର୍ଶକ୍ରମେ ମାଧ୍ୟମ ସ୍ତର ଅର୍ଥାତ୍ ପଞ୍ଚାୟତ ସମିତି ସ୍ତର ବିକେନ୍ଦ୍ରୀକରଣ ପରିକଳ୍ପନାରେ ପ୍ରମୁଖ ଭୂମିକା ଗ୍ରହଣ କଲା । ଗୋଷ୍ଠୀ ଉନ୍ନୟନ ବ୍ଲକର ଇଲାକା ଏବଂ କ୍ଷମତା ପରିସର ସହିତ ପଞ୍ଚାୟତ ସମିତିର କ୍ଷମତା ପରିସର ଏବଂ ଇଲାକା ଏକ ହୋଇ ରହିଲା । ପଞ୍ଚାୟତ ସମିତିର ସଭ୍ୟମାନେ ପ୍ରତ୍ଯକ୍ଷ ନିର୍ବାଚନ ଦ୍ଵାରା କ୍ଷମତାପ୍ରାପ୍ତ ହୁଅନ୍ତି । ପଞ୍ଚୟାତ ସମିତି ଅଧ୍ୟକ୍ଷମାନଙ୍କୁ ନେଇ ଜିଲ୍ଲା ପରିଷଦ ଗଠନ ହେବାର ପରିକଳ୍ପନା କରାଯାଇଥିଲା । ଏଥିରେ ଜିଲ୍ଲାପାଳ / ଡେପୁଟି କମିଶନର ଅଧ୍ୟକ୍ଷତା କରିବାର ବ୍ୟବସ୍ଥା ଉଲ୍ଲେଖ ରହିଲା । ଜିଲ୍ଲା ପରିଷଦ ମୁଖ୍ୟତଃ ଏକ ଉପଦେଷ୍ଟାମଣ୍ଡଳୀଭାବେ କାର୍ଯ୍ୟ କରିବା ପରିକଳ୍ପିତ ହୋଇଥିଲା । ଏହି ତ୍ରିସ୍ତରୀୟ ବ୍ୟବସ୍ଥାରେ ନିମ୍ନତମ ସ୍ତରରେ ଗ୍ରାମ ପଞ୍ଚାୟତର ସ୍ଥାନ ଥିଲା । ପଣ୍ଡିତ ଜବାହାରଲାଲ ନେହେରୁଙ୍କର ପରାମର୍ଶକ୍ରମେ ଅଧିକାଂଶ ପ୍ରଦେଶ ସାମାନ୍ୟ ପରିବର୍ତ୍ତନ ସହ ଏହି ବ୍ୟବସ୍ଥା ଗ୍ରହଣ କରିନେଲେ । ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଜିଲ୍ଲା ପରିଷଦକୁ ଅତୀବ ପ୍ରାଧାନ୍ୟ ଦିଆଯାଇଥିଲା ସେତେବେଳେ ସେଗୁଡିକର ପ୍ରଶାସନିକ କ୍ଷମତା ରହିଥିଲା । ଦୁର୍ଭାଗ୍ୟବଶତଃ, ଷଷ୍ଠ ଦଶକରେ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି ବିମୁଖତା ପ୍ରକାଶ ପାଇବା ଫଳରେ ଏହା କ୍ରମଶଃ ଅଧୋଗତି ଲାଭ କଲା । ଅଶୋକ ମେହେଟା କମିଟି ସମାଜର ସୁବିଧା ଭୋଗ୍ୟ ବର୍ଗଙ୍କ ଦ୍ଵାରା ପଞ୍ଚୟତିରାଜ ଅନୁଷ୍ଠାନମାନ କବଳିତ ହେବାଦ୍ଵାରା, ସାଧାରଣ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ପରିକଳ୍ପିତ ପଞ୍ଚାୟତିରାଜ ସେବା ବ୍ୟବସ୍ଥାର ମୂଳ ଲକ୍ଷ୍ୟ ସାଧନ ଦୁଷ୍କର ହୋଇଉଠିଲା । ଏଇ ପ୍ରେକ୍ଷୀରେ ଶ୍ରୀ ଅଶୋକ ମେହେଟାଙ୍କ ଅଧ୍ୟକ୍ଷତାରେ ତେରଜଣ ସଭ୍ଯ ବିଶିଷ୍ଟ ଏକ କମିଟି ଗଠିତ ହୋଇ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କର ଶକ୍ତି ବୃଦ୍ଧି ନିମିତ୍ତ ଆବଶ୍ୟକୀୟ ଉପାୟମାନ ନିର୍ଦ୍ଧାରିତ ହେଲା । ଏହି କମିଟି ସୁପାରିଶ କଲେ ଯେ ପଞ୍ଚାୟତିରାଜ ଦ୍ଵି – ସ୍ତରୀୟ ହେବା ବିଧେୟ । ଜିଲ୍ଲା ସ୍ତରରେ ‘ ଜିଲ୍ଲା ପରିଷଦ ’ ଏବଂ ୧୫,୦୦୦ ରୁ ୨୦,୦୦୦ ଲୋକ ସଂଖ୍ୟା ବିଶିଷ୍ଟ ଏକ ଗ୍ରନ୍ଥମାନ ନିମିତ୍ତ ‘ ମଣ୍ଡନ ପଞ୍ଚାୟତ ’ ଗଠନ ନିମିତ୍ତ ଏହି କମିଟି ମତ ପ୍ରଦାନ କଲେ । ପ୍ରଶାସନର ଏକ ଏକକ ରୂପେ ବ୍ଲକର ଅସ୍ତିତ୍ଵ ଏହି କମିଟି ଦ୍ଵାରା ଗ୍ରାହ୍ୟ ହେଲା ନାହିଁ । ଏହା ବ୍ଲକର ବିଲୋପ ନିମିତ୍ତ ପରାମର୍ଶ ଦେଲେ । ନିୟମିତ ନିର୍ବାଚନ, କଥାକଥିତ ଅନୁଷ୍ଠାନମାନଙ୍କର କ୍ଷମତା ପରିସରଭୁକ୍ତ ଅଞ୍ଚଳରେ ସେମାନଙ୍କର କର ଆଦାୟ କ୍ଷମତା ତଥା ଭୂ – ରାଜସ୍ୱ ସଂଗ୍ରହ କ୍ଷମତା ଉକ୍ତ ଅନୁଷ୍ଠାନମାନଙ୍କୁ ହସ୍ତାନ୍ତର କରିବା ନିମନ୍ତେ ଏହି କମିଟି ପରାମର୍ଶ ଦେଲେ । ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କର ଅଭିବୃଦ୍ଧି ପରିକଳ୍ପେ ଏକ ସାମ୍ବିଧାନିକ ବିଧି ବିଧାନ ନିମିତ୍ତ ଏହି କମିଟି ସୁପାରିଶ କଲେ । କେନ୍ଦ୍ର ସରକାର ଏହି କମିଟିଙ୍କର ପରାମର୍ଶ ଗ୍ରହଣ କଲେ ନାହିଁ । କିନ୍ତୁ ତିନୋଟି ରାଜ୍ୟ ଯଥା ପଶ୍ଚିମବଙ୍ଗ , ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ପଞ୍ଚାୟତିରାଜର ପୁନର୍ଜାଗରଣ ନିମିତ୍ତ ପଦକ୍ଷେପ ଗ୍ରହଣ କଲେ । ‘ ଜିଲ୍ଲା ପରିଷଦ ’ ସ୍ତରକୁ ସେମାନେ ପ୍ରଭୃତ ପ୍ରଦାନ କଲେ ଏବଂ ପଞ୍ଚାୟତି ରାଜ ଅନୁଷ୍ଠାନମାନଙ୍କୁ ସେମାନେ ନିଜ ରାଜ୍ୟରେ ଅଜସ୍ର କ୍ଷମତା ହସ୍ତାନ୍ତରିତ କଲେ । ଡକ୍ଟର ଜି.ଭି.କେ. ରାଓ କମିଟି ଦାରିଦ୍ର୍ୟ ଦୂରୀକରଣ ଓ ଅଭିବୃଦ୍ଧିର ଏକାତ୍ମ ଅନୁଭବାର ଭିତ୍ତିଭୂମିରେ ସପ୍ତମ ପଞ୍ଚବାର୍ଷିକ ଯୋଜନା ସୌଧ ଦଣ୍ଡାୟମାନ ହେବା ନୀତିଗତ ଦୃଷ୍ଟିରୁ ସ୍ଵିକୃତ ହେବା ହେତୁ ଓ ଜି.ଭି.କେ ରାଓଙ୍କ ଅଧ୍ୟକ୍ଷତାରେ ବାରଜଣ ସଭ୍ୟ ବିଶିଷ୍ଟ ଏକ କମିଟି ୧୯୮୫ ମସିହାରେ ସରକାରଙ୍କ ଦ୍ଵାରା ଗଠିତ ହେଲା । ଗ୍ରାମ ପୁନର୍ଗଠନ ଓ ଦାରିଦ୍ର୍ୟ ଦୂରୀକରଣ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ପ୍ରଶାସନିକ ବିନ୍ୟାସର ପୁନର୍ବିଲୋକନ ଠିକା ଏହି କମିଟି ଗଠନର ଲକ୍ଷ୍ୟ । ଏହି କମିଟି ମତ ପ୍ରକାଶ କଲେ ଯେ ନୀତି ନିର୍ଣ୍ଣୟ ଏବଂ କାର୍ଯ୍ୟାନ୍ଵୟନର ମୌଳିକ ଏକକ ରୂପେ ‘ ଜିଲ୍ଲା ’ କୁ ହିଁ ସ୍ଵିକୃତି ମିଳିବା ଉଚିତ । ପଞ୍ଚାୟତି ରାଜ ଅନୁଷ୍ଠାନମାନଙ୍କ ନିମନ୍ତେ ନିୟମିତ ସପକ୍ଷରେ ମଧ୍ୟ ଉକ୍ତ କମିଟି ମତ ପ୍ରଦାନ କଲେ । ସପ୍ତମ ପଞ୍ଚବାର୍ଷିକ ଯୋଜନା ସପ୍ତମ ପଞ୍ଚବାର୍ଷିକ ଯୋଜନାର ରୂପରେଖ ମଧ୍ୟରେ ଯୋଜନା ପ୍ରସ୍ତୁତିର ପାରମ୍ପରିକ ପଦ୍ଧତିରେ ଆମୂଳଚୂଳ ପରିବର୍ତ୍ତନର ନଭଉନ୍ମେଷ ପ୍ରତିଭାତ ହେଲା । ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କୁ ପ୍ରଭୁତ ଅର୍ଥ ଓ ସ୍ୱାୟତ୍ତ ଶାସନ ଅଧିକାର ପ୍ରଦାନ କରାଗଲା । ବ୍ଲକ ଏବଂ ଗ୍ରାମ ସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କୁ ପୁନରୁଜ୍ଜୀବିତ କରିବା ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଗଲା । ଯୋଜନା ପ୍ରସ୍ତୁତି ଏବଂ ଗ୍ରାମ ବିକାଶ କାର୍ଯ୍ୟକ୍ରମର ରୂପାୟନ ନିମନ୍ତେ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କୁ ଫଳପ୍ରଦ ଭାବେ ସଂଶ୍ଳିଷ୍ଟ କରିବା ନିମିତ୍ତ ପତନୋନ୍ମୁଖ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରପୁନର୍ଜାଗରଣ ଅବଶ୍ୟମ୍ଭାବୀ ହୋଇପଡିଲା । ନିର୍ଦ୍ଧିଷ୍ଟଭାବେ, ଦାରିଦ୍ର୍ୟ ଦୂରୀକରଣ ଓ ସବନିମ୍ନ ଆବଶ୍ୟକତା ପୂରଣ ଭଳି କେତେକ ଯୁଗାନ୍ତକାରୀ କର୍ମପନ୍ଥା ପରିପ୍ରେକ୍ଷୀରେ ଏହି ପୁନର୍ଜାଗରଣ ପ୍ରାଥମିକ ଆବଶ୍ୟକତା ରୂପେ ବିବେଚିତ ହେଲା । ଡ.ଏଲ.ଏମ୍. ସିଂହଭି କମିଟି ୧୯୮୭ରେ ଡ.ଏଲ.ଏମ୍. ସିଂହଭିଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠିତ ହେଲା । ଏହି କମିଟି ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କର କାର୍ଯ୍ୟାବଳୀ ସମୀକ୍ଷା କଲେ ଓ ସେଗୁଡିକ ଯେପରି ଅଧିକ ଶକ୍ତିଶାଳୀ ହୋଇପାରନ୍ତି ସେ ସମ୍ପର୍କରେ ସୁଚିନ୍ତିତ ମତାମତ ପ୍ରଦାନ କଲେ । ଗ୍ରାମପଞ୍ଚାୟତଗୁଡିକ ଅଧିକ ସମୃଦ୍ଧିକ୍ଷମ ହେବା ନିମିତ୍ତ ଉକ୍ତ କମିଟି ଗ୍ରାମଗୁଡିକର ପୁନର୍ଗଠନ ଉପରେ ପ୍ରାଧାନ୍ୟ ଦେଲେ ଏବଂ ଉକ୍ତ ଅନୁଷ୍ଠାନମାନଙ୍କର ସ୍ଵଚ୍ଛଳ ଆର୍ଥିକ ସମ୍ବଳ ଉପରେ ଅଧିକ ଯତ୍ନବାନ ହେବା ନିମିତ୍ତ ପରାମର୍ଶ ପ୍ରଦାନ କଲେ । ସରକାରିଆ କମିଶନ କେନ୍ଦ୍ର – ରାଜ୍ୟ ସମ୍ପର୍କ ନେଇ ସବିଶେଷ ଅନୁଧ୍ୟାନ କରିବା ସକାଶେ ଗଠିତ ସରକାରିଆ କମିଶନ ମତବ୍ୟକ୍ତ କଲେ ଯେ ଅଧିକାଂଶ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ଫଳପ୍ରଦ ଭାବେ କାର୍ଯ୍ୟ ନିର୍ବାହ କରିପାରୁନାହାନ୍ତି । ଏହାର ମୁଖ୍ୟ କାରଣ ହେଲା ଏହି ଅନୁଷ୍ଠାନମାନଙ୍କ ନିମନ୍ତେ ନିୟମିତ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇପାରୁନାହିଁ । ପୁନଶ୍ଚ ଏହି ଅନୁଷ୍ଠାନମାନଙ୍କର ଅଧିକରମଣ ତୁଚ୍ଛ କାରଣମାନଙ୍କୁ ଭିତ୍ତି କରି ସମ୍ପାଦିତ ହୋଇଥାଏ । କମିଶନ ମତପୋଷଣ କଲେ ସେ ରାଜ୍ୟମାନଙ୍କରେ ଏଥି ସମ୍ପର୍କରେ ପ୍ରଚଳିତ ଆଇନରେ ସମାନତା ରକ୍ଷା କରିବା ସର୍ବାଦୌ ଶ୍ରେୟସ୍କର । ନିୟତକାଳିକ ନିର୍ବାଚନ ଏବଂ ଅଧିକରମଣ ସାରା ଭାରତବର୍ଷରେ ଏକ ନିର୍ଦ୍ଧିଷ୍ଟ ନୀତି ଅନୁସରଣ ସମ୍ପନ୍ନ ହେବା ଶୁଭଙ୍କର । ସଂସଦୀୟ କମିଟି କର୍ମଚାରୀବର୍ଗ, ସାଧାରଣ ଅଭିଯୋଗ ଓ ଅବସର ବୃତ୍ତି ମନ୍ତ୍ରଣାଳୟ ସହିତ ସଂଯୁକ୍ତ ସଂସଦୀୟ ପରାମର୍ଶଦାତା କମିଟିଙ୍କ ଅଧୀନରେ ଏକ ଉପକମିଟି ୧୯୮୮ ମସିହାରେ ଗଠିତ ହେଲା । ଶ୍ରୀ ପି. କେ. ଥୁଙ୍ଗନ ଏହାର ଅଧ୍ୟକ୍ଷ ରୂପେ ଅବସ୍ଥାପିତ ହେଲେ ଜିଲ୍ଲା ସ୍ତରରେ ଜିଲ୍ଲାସ୍ତରୀୟ ଯୋଜନାର ରୂପରେଖ ସ୍ଥିର କରିବା ନିମିତ୍ତ ଏକ ରାଜନୈତିକ ଓ ପ୍ରଶାସନିକ ଢାଞ୍ଚା ପ୍ରସ୍ତୁତ କରିବା ଏହି ଉପକମିଟିଙ୍କର ଲକ୍ଷ୍ୟ ଥିଲା । ଉକ୍ତ କମିଟି ମତ ପ୍ରକାଶ କଲେ ଯେ ପଞ୍ଚାୟତିରାଜ ଅନୁଷ୍ଠାନମାନ ସମ୍ବିଧାନ ସ୍ଵିକୃତ ହେବା ବାଞ୍ଛନୀୟ । ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କ ନିମନ୍ତେ ଯଥାସମୟରେ ନିୟମିତ ରୂପେ ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ଏହି କମିଟି ସୁପାରିଶ କଲେ । ନିର୍ବାଚିତ ସଦସ୍ୟମାନଙ୍କୁ ନେଇ ଗଠିତ ଅନୁଷ୍ଠାନର ମିଆଦ ପାଞ୍ଚବର୍ଷ ହେବା ଉଚିତ । ଜିଲ୍ଲା ସ୍ତରରେ ଯୋଜନା ଓ ଉନ୍ନୟନ ସଂସ୍ଥା ଏକମାତ୍ର ଜିଲ୍ଲା ପରିଷଦ ହିଁ ରହିବା ଉଚିତ । ସମ୍ବିଧାନ ସଂଶୋଧନ ବିଧେୟକ କୋଡିଏ ଲକ୍ଷ୍ୟ କିମ୍ବା ତଦୁର୍ଦ୍ଧ୍ଵ ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟକ ରାଜ୍ୟରେ ଗ୍ରାମ ବ୍ଲକ ଓ ଜିଲ୍ଲାସ୍ତରରେ ପଞ୍ଚାୟତମାନ ଗଠନ କରିବା ନିମିତ୍ତ ଏହି ବିଧେୟକରେ ବ୍ୟବସ୍ଥା ରହିଲା । କୋଡିଏ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ରାଜ୍ୟମାନଙ୍କ ପାଇଁ ଏହି ବ୍ୟବସ୍ଥା ପ୍ରଯୁଜ୍ୟ ନଥିଲା । ପୁନଶ୍ଚ, ଏକ ରାଜ୍ୟର ବିଧାନମଣ୍ଡଳ ଆଇନ ପ୍ରଣୟନ ପୂର୍ବକ ସେହି ରାଜ୍ୟର ପଞ୍ଚାୟତି ରାଜ ଅନୁଷ୍ଠାନମାନଙ୍କୁ ସ୍ୱାୟତ୍ତ ଶାସନ ଅନୁଷ୍ଠାନର ସମସ୍ତ କ୍ଷମତା ଓ ଅଧିକାର ପ୍ରଦାନ କରିବା ନିମିତ୍ତ ଏହି ବିଧେୟକ ଏକ ପ୍ରସ୍ତାବ ଉପସ୍ଥାପନ କଲା । ଅନୁଷ୍ଠାନଗୁଡିକର ପାଣ୍ଠି ହିସାବ ଓ ହିସାବ ସମୀକ୍ଷା ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକଙ୍କ ଉପରେ ନ୍ୟସ୍ତ ହେବା, ଆଦିବାସୀ, ହରିଜନ ଏବଂ ମହିଳାଙ୍କ ନିମନ୍ତେ ସ୍ଥାନ ସଂରକ୍ଷିତ ହେବା , ପ୍ରତ୍ୟକ ସ୍ତରରେ ପଞ୍ଚାୟତ ଅନୁଷ୍ଠାନ ନିମନ୍ତେ ପାଞ୍ଚବର୍ଷିଆ ଅଧିକ୍ଷଣ, ପ୍ରତ୍ୟାଭୂତ ଦିଆଯିବା ପଞ୍ଚାୟତି ନିର୍ବାଚନମାନଙ୍କର ଅଧିକ୍ଷଣ, ପରିଚାଳନା ଓ ନିୟନ୍ତ୍ରଣ ଭାରତର ନିର୍ବାଚନ ଆୟୋଗଙ୍କ ଉପରେ ନ୍ୟସ୍ତ କରିବା ଏହି ବିଧେୟକରେ ପ୍ରସ୍ତାବିତ ହୋଇଥିଲା ୧୦ ଅଗଷ୍ଟ, ୧୯୮୯ରେ ଏହା ଲୋକସଭାରେ ଶ୍ରୀ ରାଜୀବ ଗାନ୍ଧୀଙ୍କ ଦ୍ଵାରା ଆନୀତ ହୋଇ ଗୃହିତ ହୋଇଥିଲା । କିନ୍ତୁ ରାଜ୍ୟ ସଭାରେ ଏହା କୀଟ ଖାଇଯାଇଥିଲା । ସମ୍ବିଧାନ ସଂଶୋଧନ ବିଧେୟ (୭୪ ତମ) – ୧୯୯୦ ପ୍ରତ୍ୟକ ଗ୍ରାମରେ ଗୋଟିଏ କରି ‘ ଗ୍ରାମସଭା ’ ଗଠିତ ହେବା ନିମିତ୍ତ ଏହି ବିଧେୟକରେ ବ୍ୟବସ୍ଥା ରହିଲା । ଗ୍ରାମସ୍ତର ତଥା ଅନ୍ୟାନ୍ୟ ସ୍ତରରେ ପଞ୍ଚାୟତ ଗଠନ ନିମନ୍ତେ ଏହି ବିଧେୟକ ପ୍ରସ୍ତାବ ଦେଲା । ଗ୍ରାମସ୍ତରୀୟ ପଞ୍ଚାୟତର ସମସ୍ତ ଆସନ ନିମିତ୍ତ ପ୍ରତ୍ୟକ୍ଷ ନିର୍ବାଚନ ତଥା ଅନ୍ୟାନ୍ୟ ସ୍ତରୀୟ ପଞ୍ଚାୟତର ସର୍ବନିମ୍ନ ଶତକଡା ପଚାଶ କିମ୍ବା ତଦୁର୍ଦ୍ଧ୍ଵ ଆସନ ନିମିତ୍ତ ପ୍ରତ୍ୟକ୍ଷ ନିର୍ବାଚନ ଏହି ବିଧେୟକରେ ପ୍ରସ୍ତାବ ରହିଲା । ଏହି ବିଧେୟକର ଅନ୍ୟାନ୍ୟ ପ୍ରସ୍ତାବମାନ ହେଲା । ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କୁ ଟିକସ ଆଦାୟ ଓ ବିନିଯୋଗ ପଥକର, ଶୁଳ୍କ, ଫିସ୍ ଆଦାୟ ଓ ବିନିଯୋଗ ସମ୍ପର୍କୀୟ କ୍ଷମତା ଅର୍ପଣ । ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କର ଆର୍ଥିକ ସ୍ଥିତି ଅନୁଧ୍ୟାନ ନିମନ୍ତେ ଏକ ଅର୍ଥ କମିଶନ ଗଠନ । ପଞ୍ଚାୟତ ନିମନ୍ତେ ଏକ ପାଞ୍ଚବର୍ଷିଆ କାର୍ଯ୍ୟକାଳ ନିଧାର୍ଯ୍ୟ । ପଞ୍ଚାୟତ ଭଙ୍ଗ ହେବାର ଛ’ ମାସ ମଧ୍ୟରେ ନିର୍ବାଚନ ସମ୍ପନ୍ନ । ଭି.ପି.ସିଂହ ସରକାରଙ୍କ ଦ୍ଵାରା ସେପ୍ଟେମ୍ବର ୧୯୯୦ରେ ଏହି ବିଧେୟକ ଉପସ୍ଥାପିତ ହେଲା । କିନ୍ତୁ ବିତର୍କ ପାଇଁ ଏହା ଗୃହୀତ ହେବା ପୂର୍ବରୁ ଏହି ସରକାରଙ୍କ ପତନ ଘଟିଲା । ସମ୍ବିଧାନ ସଂଶୋଧନ ଅଧିନିୟମ (୭୩ ତମ) –୧୯୯୩ ପି.ଭି. ନରସିଂହ ରାଓ ସରକାର ଦାୟିତ୍ଵ ଗ୍ରହଣ କରିବା ପରେ ପରେ ନୂତନ ଭାବେ ଏକ ସମ୍ବିଧାନ ସଂଶୋଧନ ବିଧେୟକ ଉପସ୍ଥାପନ କରିବା ନିମିତ୍ତ ନିଷ୍ପତ୍ତି ନେଲେ । ୭୩ ତମ ସମ୍ବିଧାନ ସଂଶୋଧନ ବିଧେୟକ , ୧୯୯୧ ଉପସ୍ଥାପିତ ହୋଇ ପାର୍ଲିଆମେଣ୍ଟର ତିରିଶ ଜଣ ସଭ୍ୟବିଶିଷ୍ଟ ଏକ ସଂଯୁକ୍ତ କମିଟିଙ୍କ ବିଚାରବିମର୍ଶ ନିମିତ୍ତ ପ୍ରେରିତ ହେଲା । ଏହି ସଂଯୁକ୍ତ କମିଟି ସବିସ୍ତାର ବିଚାରବିମର୍ଶ ପୂର୍ବକ ନିଜର ରିପୋର୍ଟ ପ୍ରଦାନ କଲେ । ସଂଯୁକ୍ତ କମିଟିଙ୍କର ମତାମତ ଓ ବିଭିନ୍ନ ରାଜନୈତିକ ଦଳର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ଦ୍ଵାରା ଉତ୍ଥାପିତ ପ୍ରଶ୍ନ ବିଚାରକୁ ନେଇ ବିଧେୟକରେ ଆବଶ୍ୟକୀୟ ସଂଶୋଧନ ସରକାରଙ୍କ ଦ୍ଵାରା କରାଗଲା । ତତ୍ପରେ ପ୍ରାୟ ସର୍ବସମ୍ମତି କ୍ରମେ ୨୨ ଡିସେମ୍ବର, ୧୯୯୨ ରେ ଲୋକସଭାରେ ଗୃହୀତ ହେଲା ଏବଂ ରାଜ୍ୟସଭାରେ ୨୩ ଡିସେମ୍ବର ୧୯୯୨ ରେ ଗୃହୀତ ହେଲା । ୧୭ଟି ରାଜ୍ୟ ବିଧାନ ସଭାରେ ଏହାର ଦୃଢୀକରଣ ଦ୍ଵାରା ଏହି ବିଧେୟକ ସମ୍ବିଧାନ ସଂଶୋଧନ ଅଧିନିୟମ ୧୯୧୨ ରୂପେ ପରିଚିତ ହେଲା ଏବଂ ଏହା ଏପ୍ରିଲ , ୧୯୯୩ ରୁ କାର୍ଯ୍ୟକାରୀ ହେଲା । ପଞ୍ଚାୟତିରାଜ ଅଧିନିୟମର ମୁଖ୍ୟ ବିଭାବ ପଞ୍ଚାୟତ ପରିସୀମା ମଧ୍ୟରେ ବସବାସ କରୁଥିବା ଏବଂ ଭୋଟର ତାଲିକାଭୁକ୍ତ ହୋଇଥିବା ସମସ୍ତ ସାବାଳକ ବ୍ୟକ୍ତିଙ୍କୁ ନେଇ ଗ୍ରାମସଭା ଗଠିତ ହେବ । ପଞ୍ଚାୟତିରାଜ ବ୍ୟବସ୍ଥା ତ୍ରିସ୍ତରୀୟ ହେବ – ଗ୍ରାମ ସ୍ତରୀୟ , ମଧ୍ୟବର୍ତ୍ତୀ ସ୍ତରୀୟ , ଜିଲ୍ଲାସ୍ତରୀୟ । ୨୦ଲକ୍ଷ୍ୟରୁ କମ୍ ଜନସଂଖ୍ୟା ବିଶିଷ୍ଟ କ୍ଷୁଦ୍ର ରାଜ୍ୟମାନଙ୍କରେ ମଧ୍ୟବର୍ତ୍ତୀ ସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ସ୍ଥାପିତ ହେବା ଅନାବଶ୍ୟକ । ପ୍ରତ୍ୟକ ସ୍ତରର ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କର ଆସନ ଗୁଡିକ ପ୍ରତ୍ୟକ୍ଷ ନିର୍ବାଚନ ଦ୍ଵାରା ପୂରଣ ହେବ । ଗ୍ରାମସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କର ଅଧ୍ୟକ୍ଷ ମଧ୍ୟବର୍ତ୍ତୀ ସ୍ତରୀୟ ଅନୁଷ୍ଠାନମାନଙ୍କରେ ସଦସ୍ୟ ରହିବେ ଏବଂ ମଧ୍ୟବର୍ତ୍ତୀସ୍ତରୀୟ ପଞ୍ଚାୟତମାନଙ୍କର ଅଧ୍ୟକ୍ଷ ଜିଲ୍ଲାସ୍ତରୀୟ ଅନୁଷ୍ଠାନମାନଙ୍କରେ ସଦସ୍ୟ ରହିବେ । ପାର୍ଲାମେଣ୍ଟ ସଦସ୍ୟ , ରାଜ୍ୟ ବିଧାନସଭା ସଦସ୍ୟ, ବିଧାନପରିଷଦ ସଦ୍ୟମାନେ ମଧ୍ୟ ମଧ୍ୟବର୍ତ୍ତୀସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ପଞ୍ଚାୟତମାନଙ୍କରେ ସଦସ୍ୟ ରହିପାରିବେ । ପଞ୍ଚାୟତରେ ଆଦିବାସୀ, ହରିଜନଙ୍କର ଆସନ ସଂଖ୍ୟା, ଉକ୍ତ ପଞ୍ଚାୟତରେ ବାସ କରୁଥିବା ମୋଟ ଜନସଂଖ୍ୟା ସହ ଆଦିବାସୀ, ହରିଜନଙ୍କ ସଂଖ୍ୟାର ଅନୁପାତ ଯାହା, ତାହା ସହ ସମାନୁପାତିକ ହେବ । ମୋଟ ଆସନର ଏକ ତୃତୀୟାଂଶ ମହିଳାଙ୍କ ପାଇଁ ସଂରକ୍ଷିତ , ସଂରକ୍ଷିତ ହେବା ଆଦିବାସୀ, ହରିଜନଙ୍କ ପାଇଁ ସଂରକ୍ଷିତ ହୋଇ ରହିଥିବା ଏକ ତୃତୀୟାଂଶ ଆସନ କ୍ଷେତ୍ରରେ ମଧ୍ୟ ମହିଳାଙ୍କ ନିମନ୍ତେ ଏହି ସଂରକ୍ଷଣ ନୀତି କାର୍ଯ୍ୟକାରୀ ହେବ । ରାଜ୍ୟର ମୋଟ ଜନସଂଖ୍ୟା ସହ ଆଦିବାସୀ, ହରିଜନଙ୍କ ସଂଖ୍ୟାର ଅନୁପାତ ଯାହା, ତାହା ସହ ପ୍ରତ୍ୟକ ସ୍ତରୀୟ ପଞ୍ଚାୟତ ଅନୁଷ୍ଠାନମାନଙ୍କ ଅଧ୍ୟକ୍ଷ ଆସନ ସଂଖ୍ୟା ସମାନୁପାତିକ ହେବ । ପ୍ରତ୍ୟକ ସ୍ତରୀୟ ପଞ୍ଚାୟତ ଅନୁଷ୍ଠାନମାନଙ୍କର ଅଧ୍ୟକ୍ଷ ଆସନର ଏକ ତୃତୀୟାଂଶ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଅନୁନ୍ନତ ବର୍ଗର ନାଗରିକଙ୍କ ପାଇଁ ଅଧ୍ୟକ୍ଷ ପଦବୀ ଏବଂ ସଦସ୍ୟ ଆସନ ସଂଖ୍ୟାର ସଂରକ୍ଷଣ ବ୍ୟବସ୍ଥା ରାଜ୍ୟ ସରକାର ନିର୍ଦ୍ଧାରଣ କରିବେ । ପ୍ରତ୍ୟକ ପଞ୍ଚାୟତର କାର୍ଯ୍ୟକାଳ ପାଞ୍ଚବର୍ଷ ହେବ । ଏହି କାର୍ଯ୍ୟକାଳ ପୂର୍ଣ୍ଣ ହେବା ପୂର୍ବରୁ ନୁତମ ପଞ୍ଚାୟତ ନିମନ୍ତେ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଥିବା ଆବଶ୍ୟକ । ଯଦି କୌଣସି କ୍ଷେତ୍ରରେ ପଞ୍ଚାୟତ ଭଙ୍ଗ ହୁଏ, ତେବେ ଏହା ହେବାର ଛ’ ମାସ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବା ବାଧ୍ୟତାମୂଳକ । ଏପରି ସ୍ଥଳେ ନବଗଠିତ ପଞ୍ଚାୟତ ପାଞ୍ଚବର୍ଷ ମୋଟ କ୍କାର୍ଜ୍ୟକାଳର ଅବଶିଷ୍ଟ ସମୟସୀମା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏକ ପଞ୍ଚାୟତର ମୋଟ କାର୍ଯ୍ୟକାଳର ଅବଶିଷ୍ଟ ସମୟସୀମା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏକ ପଞ୍ଚାୟତର ମୋଟ କାର୍ଯ୍ୟକାଳ, ଅର୍ଥାତ୍ ପାଞ୍ଚ ବର୍ଷ ପୂରଣ ହେବା ପର୍ଯ୍ୟନ୍ତ କୌଣସି ଅଧିନିୟମର ସଂଶୋଧନ ବଳରେ ଏହାକୁ ଭଙ୍ଗ କରି ହେବ ନାହିଁ । ରାଜ୍ୟର ବିଧାନମଣ୍ଡଳ ନିର୍ବାଚନ ନିୟନ୍ତ୍ରିତ କରୁଥିବା ଆଇନ କିମ୍ବା ରାଜ୍ୟର ଅନ୍ୟ ଯେକୌଣସି ଆଇନ ଅଯୋଗ୍ୟ ଘୋଷିତ ହୋଇଥିବା ବ୍ୟକ୍ତି ପଞ୍ଚାୟତର ସଭ୍ୟ ହେବା ପାଇଁ ହକଦାର ହେବେ ନାହିଁ । ନିର୍ବାଚନ ପ୍ରକ୍ରିୟାର ଅଧିକ୍ଷଣ, ନିର୍ଦ୍ଦେଶ ଓ ନିୟନ୍ତ୍ରଣ ତଥା ନିର୍ବାଚନ ନାମାବଳୀ ପ୍ରସ୍ତୁତ ନିମିତ୍ତ ରାଜ୍ୟରେ ଏକ ସ୍ଵତନ୍ତ୍ର ନିର୍ବାଚନ କମିଶନ ସ୍ଥାପିତ ହେବ । ଏହି ଅଧିନିୟମ, ସମ୍ବିଧାନର ଏକାଦଶ ଅନୁସୂଚିରେ ପଞ୍ଚାୟତ ଉପରେ ନ୍ୟସ୍ତ ହୋଇଥିବା ଦାୟିତ୍ଵ ଓ କ୍ଷମତାର ପରିଧି ପ୍ରତି ଦୃଷ୍ଟି ପ୍ରଦାନପୂର୍ବକ ଅନ୍ୟାନ୍ୟ କେତେକ ଅତିରିକ୍ତ ଯୋଜନା ମଧ୍ୟ ସରକାରଙ୍କ ଦ୍ଵାରା ପଞ୍ଚାୟତ ଉପରେ ନ୍ୟସ୍ତ ହେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅତିରିକ୍ତ ଯୋଜନାମାନ କାର୍ଯ୍ୟକାରୀ କରାଇବା ପଞ୍ଚାୟତମାନଙ୍କର ମୁଖ୍ୟ ଦାୟିତ୍ଵ । ପଞ୍ଚାୟତ ନିଜର କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିବା ନିମିତ୍ତ ପ୍ରଭୃତ ପାଣ୍ଠି ପାଇବେ । ରାଜ୍ୟ ସରକାରଙ୍କ ଠାରୁ ପଞ୍ଚାୟତ ସମ୍ପାଦନ କରିବା ନିମିତ୍ତ ପ୍ରଭୃତ ପାଣ୍ଠି ପାଇବେ । ରାଜ୍ୟ ସରକାରଙ୍କ ଠାରୁ ପଞ୍ଚାୟତ ଗୁଡିକ ଅନୁଦାନ ପାଇଁ ନିଜ ଆର୍ଥିକ ସ୍ଥିତି ସୁଦୃଢ କରିପାରିବେ । ଏତଦ୍ ବ୍ୟତୀତ କେତେକ ନିର୍ଦ୍ଧିଷ୍ଟ କରରୁ ଲବ୍ଧ ହେଉଥିବା ରାଜସ୍ୱ ପଞ୍ଚାୟତି ରାଜ ଅନୁଷ୍ଠାନମାନଙ୍କୁ ଆଦାୟ କରି ତାହାର ବିନିଯୋଗ କରିବା କ୍ଷମତା ପଞ୍ଚୟାତକୁ ଦିଆଯିବ । ଏହି ଅଧିନିୟମ ବଳବତ୍ତର ହେବାର ଏକ ବର୍ଷ ମଧ୍ୟରେ ପ୍ରତ୍ୟକ ରାଜ୍ୟରେ ଗୋଟିଏ ଅର୍ଥ ଆୟୋଗ ଗଠିତ ହେବ । ତତ୍ପରେ ପ୍ରତ୍ୟକ ପାଞ୍ଚ ବର୍ଷରେ ଏକ ନୂତନ ଅର୍ଥ ଆୟୋଗ ଗଠିତ ହେବ । ଏହି ଆୟୋଗର ଦାୟିତ୍ଵ ନିମ୍ନ ପ୍ରକାର ହେବ । ପଞ୍ଚାୟତର ଆର୍ଥିକ ସ୍ଥିତି ସମୀକ୍ଷା କରିବା । ରାଜ୍ୟ ଏବଂ ପ୍ରତ୍ୟକ ସ୍ତରୀୟ ପଞ୍ଚାୟତ ମଧ୍ୟରେ ଅର୍ଥ ବଣ୍ଟନ ଆଭିମୁଖ୍ୟରେ ଉପଯୁକ୍ତ ପରାମର୍ଶ ଦେବା । ସମ୍ବିଧାନ ସଂଶୋଧନ ଅଧିନିୟମ (୭୩ ତମ) , ୧୯୯୨ ଅବଲମ୍ବନରେ ପ୍ରତ୍ୟକ ରାଜ୍ୟ ୨୪ ଏପ୍ରିଲ, ୧୯୯୪ ସୁଦ୍ଧା ନିଜ ପଞ୍ଚାୟତିରାଜ ଅଧିନିୟମରେ ସଂଶୋଧନ ସାଧନ କରି ତାହାକୁ କଥିତ ଅଧିନିୟମ ଅନୁରୂପ କରିବେ । ଗ୍ରାମ ପଞ୍ଚାୟତ ଆଇନ,ଗ୍ରାମ ପଞ୍ଚାୟତ ନିୟମାବଳୀ ଓ ନିର୍ବାଚନ ପ୍ରଥମେ ୧୯୪୮ ସାଲରେ ଆମ ଓଡିଶାରେ ଗ୍ରାମପଞ୍ଚାୟତ ଆଇନ କାର୍ଯ୍ୟକାରୀ ହେଲା । ଉକ୍ତ ଆଇନକୁ ‘ଓଡିଶା ଗ୍ରାମ ପଞ୍ଚାୟତ ଆଇନ, ୧୯୪୮’ ନାମିତ କରାଗଲା । ଏହି ଆଇନର ଭିତ୍ତିରେ ୧୯୪୯ ମଦିହାରେ ଓଡିଶା ଗ୍ରାମପଞ୍ଚାୟତ ନିୟମାବଳୀ ପ୍ରଣୀତ ହେଲା । ଏହାକୁ ‘ ଓଡିଶା ଗ୍ରାମପଞ୍ଚାୟତ ନିୟମାବଳୀ, ୧୯୪୯ ’ ହୋଇଅଛି । ‘ ଓଡିଶା ଗ୍ରାମପଞ୍ଚାୟତ ଆଇନ, ୧୯୬୪’ରେ ମୋଟ ୧୫୧୪ ଟି ଧାରା ରହିଅଛି । ପ୍ରତ୍ୟକ ଧାରା ଭିନ୍ନ ଭିନ୍ନ ବିଷୟ ଉପରେ ଆଧାରିତ । ଭିନ୍ନ ଭିନ୍ନ ଧାରା ମଧ୍ୟରୁ କେତୋଟି ମୁଖ୍ୟ ଧାରା ଶିରୋନାମା ବା ବିଷୟବସ୍ତୁ ସଂକ୍ଷିପ୍ତରେ ନିମ୍ନରେ ଉଲ୍ଲେଖ କରାଗଲା : ଧାରା ୩ – ଗ୍ରାମ ଗଠନ ଧାରା ୪ – ଗ୍ରାମ ଶାସନର ଗଠନ ଓ ନିଗମନ ଧାରା ୫ – ଗ୍ରାମ ସଭା ଏବଂ ତାହାର କାର୍ଯ୍ୟକଳାପ । ଗ୍ରାମର ପ୍ରତ୍ୟକ ସାବାଳକ ଭୋଟରଙ୍କ ମିଶ୍ରଣ ଜାତିରେ ପ୍ରତ୍ୟକ ଗ୍ରାମରେ ଗୋଟିଏ ଲେଖାଏଁ ଗ୍ରାମ ଶାସନ ଗଠିତ ହେବ । ସେହି ସାବାଳକ ଭୋଟର ହେବେ ସେହିମାନେ ଯେଉଁମାନଙ୍କର ନାମ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ଲିଷ୍ଟରେ ସ୍ଥାନ ପାଇଥିବ, ଯାହାକି ୧୯୫୦ ମସିହାର ଲୋକ ପ୍ରତିନିଧି ଆଇନ ଅନୁସାରେ ପ୍ରସ୍ତୁତ ହୋଇଥିବ ଏବଂ ସେହି ଭୋଟର ଲିଷ୍ଟ ଅଂଶତକ ଗ୍ରାମର ଭୋଟର ତାଲିକା ବୋଲି ବିବେଚିତ ହେବ । ଗ୍ରାମ ଶାସନ ମେମ୍ବରମାନଙ୍କର ବର୍ଷକୁ ଦୁଇଥର ସଭା ହେବ, ଯଥା ଗୋଟିଏ ଗୋଟିଏ ଫେବୃୟାରୀରେ ଓ ଅନ୍ୟଟି ଜୁନ୍ ଏର ଏବଂ ନିର୍ଦ୍ଧାରିତ ପ୍ରଣାଳୀରେ ଅନ୍ୟ ସମୟରେ ମଧ୍ୟ ସଭା ବସିପାରେ । ଗ୍ରାମ ଶାସନର ଅର୍ଥାତ୍ ଗ୍ରାମସଭାର ମେମ୍ବରମାନଙ୍କ ମଧ୍ୟରୁ ଦଶଭାଗରୁ ଏକଭାଗ ଉପସ୍ଥିତ ଥିଲେ କୋରମ୍ ହେବ । କେଉଁ ନିର୍ଦ୍ଧିଷ୍ଟ ଯୋଜନାମାନ ହାତକୁ ନିଆଯିବ, ଆଗାମୀ ଆର୍ଥିକ ବର୍ଷର ବଜେଟର ରୂପରେଖ କ’ଣ ହେବ ତାହା ଏହି ଗ୍ରାମସଭା ବୈଠକରେ ବିଚାରକୁ ନିଆଯିବ । ଏହାର ଅନ୍ୟାନ୍ୟ କାର୍ଯ୍ୟମାନ ହେଲା ଅଡିଟ ରିପୋର୍ଟ ସମୀକ୍ଷା, ଖଜଣା ବୃଦ୍ଧି ସମ୍ପର୍କରେ ବିଚାରବିମର୍ଷ , ଗ୍ରାମ ଗୋଷ୍ଠୀ ସେବା ସଙ୍ଗଠନ ସମ୍ପର୍କରେ ବିଚାର । ଧାରା ୬ – ପଲ୍ଲୀସଭା ଓ ତାହାର କାର୍ଯ୍ୟକଳାପ । ଗ୍ରାମ ଅନ୍ତର୍ଗତ ପ୍ରତ୍ୟକ ମୌଜା ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ଗୋଟିଏ ପଲ୍ଲୀସଭା ଗଢାଯିବ । ଗ୍ରାମ ପାଇଁ ଗଢାଯାଉଥିବା ୱାର୍ଡର ପରିସର ଗୋଟିଏ ମୌଜାରୁ ଅଧିକଥିଲେ ସେଭଳି ପ୍ରତ୍ୟକ ୱାର୍ଡ ପାଇଁ ଗୋଟିଏ ମାତ୍ର ପଲ୍ଲୀସଭା ଗଢାଯିବ । ପଲ୍ଲୀସଭାର ବୈଠକ ବର୍ଷରେ ଥରେ ଫେବୃୟାରୀ ମାସରେ ଅନୁଷ୍ଠିତହୁଏ । ମୌଜାର ସାବାଳକ ଭୋଟରମାନେ ଏଥିରେ ସଭ୍ୟ ରହନ୍ତି । ପଲ୍ଲିସଭା ଆଗାମୀ ବର୍ଷ କେଉଁ ନିର୍ଦ୍ଧିଷ୍ଟ ଉନ୍ନୟନମୂଳକ କାର୍ଯ୍ୟକ୍ରମମାନ କାର୍ଯ୍ୟକାରୀ ହେବା ଚାହାନ୍ତି, ତାହା ଦର୍ଶାଇ ଗ୍ରାମପଞ୍ଚାୟତକୁ ସୁପାରିଶ ପଠାଇବେ । ଧାରା ୭ – ପ୍ରତ୍ୟକ ଗ୍ରାମ ଶାସନ ପାଇଁ ଗୋଟିଏ ଗ୍ରାମପଞ୍ଚାୟତ ଗଠନ କରାଯିବ । ଉକ୍ତ ଗ୍ରାମ ପଞ୍ଚାୟତ ଗ୍ରାମ ଶାସନର କାର୍ଯ୍ୟକାରୀ କର୍ତ୍ତୃପକ୍ଷ ହେବ । ଧାରା ୧୯ – ସରପଞ୍ଚଙ୍କ କ୍ଷମତା, ଦାୟିତ୍ଵ ଏବଂ କର୍ତ୍ତବ୍ୟ ସରପଞ୍ଚଙ୍କ ଉପରେ ଗ୍ରାମପଞ୍ଚାୟତର କାର୍ଯ୍ୟକାରୀ କ୍ଷମତା ନ୍ୟସ୍ତ । ସେ ଗ୍ରାମପଞ୍ଚାୟତ ବୈଠକ ଡକାଇ ତହିଁରେ ସଭାପତିତ୍ଵ କରିବେ ଏବଂ ଉକ୍ତ ବୈଠକ ପରିଚାଳନା କରିବେ । ଗ୍ରାମ ଶାସନ ତରଫରୁ ସେ ଚୁକ୍ତିପତ୍ର ସମ୍ପାଦନ କରିବେ । ଗ୍ରାମ ଶାସନର ସମସ୍ତ କାଗଜପତ୍ର ଏବଂ ଦଲିଲ ଦସ୍ତାବିଜ, ନଗଦ ଟଙ୍କା ସମସ୍ତ ମୁଲ୍ୟବାନ ସିକ୍ୟୁରିଟି ଏବଂ ସମସ୍ତ ସମ୍ପତ୍ତି ଯାହାକି ଗ୍ରାମ ଶାସନରେ ଅଛି କିମ୍ବା ଗ୍ରାମ ଶାସନକୁ ଦିଆଯିବ କିମ୍ବା ଗ୍ରାମ ଶାସନ ଦ୍ଵାରା ପରିଚାଳନାଧିନ କିମ୍ବା ନିୟନ୍ତ୍ରଣାଧିନ ଥିବ ସେସବୁର ଦାୟିତ୍ଵ ସରପଞ୍ଚଙ୍କ ଉପରେ ନ୍ୟସ୍ତ ରହିବ। ଧାରା ୨୧ – ନାଏବ ସରପଞ୍ଚଙ୍କ କ୍ଷମତା ଓ କର୍ତ୍ତବ୍ୟ - ସରପଞ୍ଚ ସମୟକୁ ସମୟ ଲିଖିତ ଆକାରରେ ସରପଞ୍ଚଙ୍କର କୌଣସି କ୍ଷମତା ପ୍ରୟୋଗ ପାଇଁ, କର୍ତ୍ତବ୍ୟ ପାଳନ ପାଇଁ, କାର୍ଯ୍ୟସମ୍ପାଦନ ପାଇଁ ନାଏବ ସରପଞ୍ଚଙ୍କୁ ଅଧିକାର ଦେଇପାରିବେ । ସେହିପରି ମଧ୍ୟ କ୍ଷମତା ପ୍ରୟୋଗ, କର୍ତ୍ତବ୍ୟ ପାଳନ ଓ କାର୍ଯ୍ୟ ସମ୍ପାଦନ ଅଧିକାର ନାଏବ ସରପଞ୍ଚଙ୍କଠାରୁ କାଢି ନେଇ ପାରିବେ । ଯେତେବେଳେ ସରପଞ୍ଚ ସ୍ଥାନ ଖାଲି ପଡିବ ଏପରିକି ସରପଞ୍ଚ ନିର୍ବାଚିତ କିମ୍ବା ମନୋନୀତ ହୋଇ ଶୂନ୍ୟସ୍ଥାନ ପୂରଣ ହେବା ପର୍ଯ୍ୟନ୍ତ ଯେତେ ସମୟ, ସେହି ସମୟତକ ନାଏବ ସରପଞ୍ଚ ଏହି ଆଇନ ଅନୁଯାୟୀ ସରପଞ୍ଚଙ୍କର ସମସ୍ତ କ୍ଷମତା ପ୍ରୟୋଗ କରିବେ, କର୍ତ୍ତବ୍ୟ ପାଳନ କରିବେ ଓ କାର୍ଯ୍ୟ ସମ୍ପାଦନ କରିବେ । ସରପଞ୍ଚଙ୍କ ଅନୁପସ୍ଥିତିରେ ନାଏବ – ସରପଞ୍ଚ ଗ୍ରାମପଞ୍ଚାୟତର ବୈଠକରେ ସଭାପତିତ୍ଵ କରିପାରିବେ ଏବଂ ସରପଞ୍ଚ ଓ ନାଏବ ସରପଞ୍ଚ ଉଭୟ ଅନୁପସ୍ଥିତିତ ଥିଲେ ଉପସ୍ଥିତ ଥିବା ଗ୍ରାମପଞ୍ଚାୟତ ମେମ୍ବର ମଧ୍ୟରୁ ଜଣକୁ ସଭାପତିପଦ ପାଇଁ ନିର୍ବାଚନ କରାଯିବ । ଧାରା ୨୨ – ମେମ୍ବରମାନଙ୍କ ଅଧିକାର ଗ୍ରାମପଞ୍ଚାୟତ କେଉଁ ସବୁ କାର୍ଯ୍ୟ ହାତକୁ ନେଇଛି ତାହା ତଦାରଖ କରିବେ ଏବଂ ଗ୍ରାମପଞ୍ଚାୟତ ଅଧିନରେ ପରିଚାଳିତ ବା ନିୟମିତ ସମସ୍ତ ଅନୁଷ୍ଠାନମାନ ତଦାରଖ କରିପାରିବେ ଏବଂ ସେଥିରେ ସବୁକିଛି ଦୋଷତ୍ରୁଟି ଅଛି ତାହା ସରପଞ୍ଚଙ୍କ ଦୃଷ୍ଟିକୁ ଆଣିବେ । ଧାରା ୪୪ - ଗ୍ରାମପଞ୍ଚାୟତର ପ୍ରଧାନ କାର୍ଯ୍ୟସୂଚୀ – ସର୍ବସାଧାରଣ ରାସ୍ତା ନିର୍ମାଣ, ମରାମତି, ରକ୍ଷଣାବେକ୍ଷଣ । ସର୍ବସାଧାରଣ ଆଲୋକ, ଜଳ ଏବଂ ପରିଷ୍କାରର ବ୍ୟବସ୍ଥା । ନାଳ ନର୍ଦ୍ଦମା ନିର୍ମାଣ, ରକ୍ଷଣାବେକ୍ଷଣ । ଅସ୍ଵାସ୍ଥ୍ୟକର ବସତିର ସଂସ୍କାର ସାଧନ । ଗ୍ରାମପଞ୍ଚାୟତଠାରେ ନ୍ୟସ୍ତଥିବା ସମ୍ପତ୍ତିର ରକ୍ଷଣବେକ୍ଷଣ ଓ ଉନ୍ନତି ବ୍ୟବସ୍ଥା । ଗୋଚର ଜମି ସୃଷ୍ଟି ଓ ପରିଚାଳନା । ଗୋରୁ ବିକ୍ରୟର ରେଜିଷ୍ଟ୍ରେସନ ବ୍ୟବସ୍ଥା । ପ୍ରାଥମିକ ଶିକ୍ଷାପାଇଁ ପ୍ରାଥମିକ ବିଦ୍ୟାଳୟ ଗଠନ ଏବଂ ତା’ର ରକ୍ଷଣାବେକ୍ଷଣ ପାଇଁ ପଞ୍ଚାୟତ ସମିତିକୁ ଆବଶ୍ୟକ ସାହାଯ୍ୟ । ମୃତ୍ତିକା ସଂରକ୍ଷଣ କାର୍ଯ୍ୟ ତଦାରଖ ଓ ତତ୍ତ୍ଵାବଧାନ । ହାଟ ବଜାର ରକ୍ଷଣାବେକ୍ଷଣ ଓ ନିୟନ୍ତ୍ରଣ । ଗ୍ରାମ୍ୟ ଗୃହନିର୍ମାଣ । ଦାରିଦ୍ର୍ୟ ହ୍ରାସ କାର୍ଯ୍ୟକ୍ରମ । ମହିଳା ଓ ଶିଶୁ କଲ୍ୟାଣ । ସାଧାରଣ ଯୋଗାଣ ବ୍ୟବସ୍ଥା ଇତ୍ୟାଦି । ଧାରା ୪୫ – ସ୍ଵେଚ୍ଛାକୃତ କାର୍ଯ୍ୟ - ସର୍ବସାଧାରଣ ରାସ୍ତା ପାର୍ଶ୍ଵରେ ବୃକ୍ଷରୋପଣ ଓ ତାହାର ରକ୍ଷଣାବେକ୍ଷଣ । ପତିତ ଜମି ଉଦ୍ଧାର । ସମବାୟ ବିକାଶ – ଉନ୍ନତ ଧରଣର ବିହନ ଓ ଯନ୍ତ୍ରପାତି ପାଇଁ ସମବାୟ ସୂତ୍ରରେ ଭଣ୍ଡାର ପ୍ରତିଷ୍ଠା । ଦୁର୍ଭିକ୍ଷ ଓ ଅନ୍ୟାନ୍ୟ ପ୍ରାକୃତିକ ବିପତ୍ତିବେଳେ ସାହାଯ୍ୟ । ନାରୀ ଓ ଶିଶୁମଙ୍ଗଳ । ଆଖଡା, କ୍ଲବ, ପ୍ରମୋଦଶାଳା ଗଠନ ଓ ରକ୍ଷଣାବେକ୍ଷଣ । ନୌଚାଳନାଘାଟ, ଖରାଦିନିଆ ରାସ୍ତା ଓ କାଞ୍ଜିଆହୋଦା ପ୍ରତିଷ୍ଠା , ରକ୍ଷଣାବେକ୍ଷଣ ଓ ଆବଶ୍ୟକୀୟ ଫିସ୍ ଆଦାୟ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ କାମ ପ୍ରବର୍ତ୍ତନ, କର୍ମସଂସ୍ଥାନ । କୁଟୀର ଶିଳ୍ପ ପ୍ରସାର ଓ ଉନ୍ନତି ବିଧାନ । ଧର୍ମଶାଳା ନିର୍ମାଣ ଓ ରକ୍ଷଣାବେକ୍ଷଣ । ପ୍ରୌଢଶିକ୍ଷା । ସ୍ଵେଚ୍ଛାସେବକଦଳ ଗଠନ ଇତ୍ୟାଦି । ଧାରା ୭୧ – ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଅନ୍ୟାନ୍ୟ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପରିଚାଳନାଧିନ ଥିବା ସମ୍ପତ୍ତି ବ୍ୟତୀତ ଗ୍ରାମ ଇଲାକା ମଧ୍ୟରେ ଯେଉଁସବୁ ସାଧାରଣ ସମ୍ପତ୍ତିଥିବ ସେ ସବୁକୁ ଗ୍ରାମ ଶାସନଠାରେ ନ୍ୟସ୍ତ ହେବ ଏବଂ ଗ୍ରାମଶାସନ ସେସବୁର ମାଲିକ । ଏତତ୍ ବ୍ୟତୀତ ଗ୍ରାମ ଶାସନଠାରେ ଅନ୍ୟ ଯେଉଁସବୁ ସମ୍ପତ୍ତିଗ୍ରାମ ଶାସନର ନିର୍ଦ୍ଦେଶ , ପରିଚାଳନା ଓ କର୍ତ୍ତୃତ୍ଵରେ ରହିବ । ଧାରା ୯୩ – ପ୍ରତ୍ୟକ ଗ୍ରାମ ଶାସନ ପାଇଁ ଗ୍ରାମପାଣ୍ଠି ଗଠିତ ହେବ ଏବଂ ଉକ୍ତ ପାଣ୍ଠିରେ ନିମ୍ନଲିଖିତ ଆୟମାନ ରହିବ । କର, ଫି ଇତ୍ୟାଦି । ଗ୍ରାମ ଶାସନ ଇଲାକାରେ ସଙ୍ଗଠିତ ଅପରାଧର ବିଚାର ପରେ ଲବ୍ଧ ଜୋରିମାନା ଅର୍ଥ । ଗ୍ରାମ ଶାସନର ସମ୍ପତ୍ତି ବିକ୍ରୟରୁ ଲବ୍ଧ ଧନ । ସ୍ଥାନୀୟ ସଂସ୍ଥା, କିମ୍ବା ସରକାର ତରଫରୁ କିମ୍ବା ନିଜେ ପଞ୍ଚାୟତ ଦ୍ଵାରା ନିର୍ବାହ କରାଯାଉଥିବା ଯୋଜନା ଲବ୍ଧ ଅର୍ଥ । ସେସ୍ ଅନୁଦାନରୁ ଲବ୍ଧ ଅର୍ଥ ଇତ୍ୟାଦି । ଧାରା ୯୮ – ଏହି ଧାରା ଅନୁଯାୟୀ ପଞ୍ଚାୟତର ବାର୍ଷିକ ବଜେଟ ସରପଞ୍ଚଙ୍କ ଦ୍ଵାରା ପ୍ରସ୍ତୁତ ହୁଏ ଏବଂ ତାହା ପଲ୍ଲୀସଭା ଓ ଗ୍ରାମ ଶାସନର ଅନୁମୋଦନ ପରେ ସମିତିକୁ ପ୍ରେରଣ କରାଯାଏ । ସମିତିର ଅନୁମୋଦନ ଲାଭ କଲାପରେ ଏହି ବାର୍ଷିକ ବଜେଟ କାର୍ଯ୍ୟକାର ହେବା କ୍ଷମତା ଲାଭ କରିଥାଏ । ଧାରା ୧୨୪ - ମାସରେ ଅନ୍ତତଃ ଥରେ ଗ୍ରାମ ପଞ୍ଚାୟତ ବୈଠକ ହେବା ଉଚିତ । ପରିସ୍ଥିତିର ଆହ୍ଵାନରେ କୌଣସି ସମୟରେ ଗ୍ରାମପଞ୍ଚାୟତର ସ୍ଵତନ୍ତ୍ର ବୈଠକ ମଧ୍ୟ ଆହୂତ ହୋଇପାରେ । ‘ଓଡିଶାରେ ଗ୍ରାମପଞ୍ଚାୟତ ଆଇନ, ୧୯୬୪ ’ ଭିତ୍ତିରେ ‘ ଓଡିଶା ଗ୍ରାମପଞ୍ଚାୟତ ନିଯମାବଳୀ, ୧୯୬୮ ’ ପ୍ରସ୍ତୁତ ହୋଇଅଛି । ଏଥିରେ ୨୮୬ଟି ନିୟମ ସନ୍ନିବିଷ୍ଟ ହୋଇଅଛି । ପଞ୍ଚାୟତ ଆଇନରେ ବର୍ଣ୍ଣିତ ବିଭିନ ଧାରା କାର୍ଯ୍ୟ କ୍ଷେତ୍ରରେ ପ୍ରବର୍ତ୍ତନ ହେଲାବେଳେ କେତେକ ବିଶଦ୍ ନିର୍ଦ୍ଦେଶନାମା, ପ୍ରାଞ୍ଜଳ ପଥପ୍ରଦର୍ଶନ ଓ ନିର୍ଦ୍ଧିଷ୍ଟ ଦିଗ୍ ଦର୍ଶନ ଆବଶ୍ୟକ ହୁଏ । ଗ୍ରାମପଞ୍ଚାୟତ ନିଯମାବଳୀ ଜରିଆରେ ଏହିସବୁ ଆବଶ୍ୟକତା ପୂରଣ ପ୍ରତି ଦୃଷ୍ଟି ଦିଆଯାଇଛି । ଓଡିଶା ପଞ୍ଚାୟତ ସମିତି ଆଇନ,୧୯୫୯ ସରକାରଙ୍କ ବିଜ୍ଞପ୍ତିପ୍ରକାରେ ଗୋଟିଏ ଜିଲ୍ଲା ବିଭିନ୍ନ ଭାଗରେ ବିଭକ୍ତ ହୋଇ ବିଭିନ୍ନ ବ୍ଲକରେ ପରିଣତ ହୁଏ । ପ୍ରତ୍ୟକ ବ୍ଲକରେ ଗୋଟିଏ ସମିତି ଗଠିତ ହୋଇଥାଏ । ଉକ୍ତ ସମିତିରେ ନିମ୍ନୋକ୍ତ ସଦସ୍ୟମାନେ ରହନ୍ତି । ଜଣେ ଅଧ୍ୟକ୍ଷ ଏବଂ ଜଣେ ଉପାଧ୍ୟକ୍ଷ । ସରକାରଙ୍କ ଦ୍ଵାରା ନିଯୁକ୍ତିପ୍ରାପ୍ତ ଜଣେ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଶିକ୍ଷା, ରାଜସ୍ୱ, କୃଷି, ସମବାୟ, ପଶୁପାଳନ, ଗ୍ରାମପଞ୍ଚାୟତ, ଜଙ୍ଗଲ, ଭେଷଜ ବିଜ୍ଞାନ, ସ୍ୱାସ୍ଥ୍ୟ, ପୂର୍ତ୍ତ, ଜନମଙ୍ଗଳ ଏବଂ ସରକାରଙ୍କ ଦ୍ଵାରା ବିଜ୍ଞାପିତ ଅନ୍ୟାନ୍ୟ ବିଭାଗର ଆବଶ୍ୟକୀୟ କର୍ମର୍ତ୍ତାଗଣ । ବ୍ଲକସ୍ଥିତ ପଞ୍ଚାୟତମାନଙ୍କର ସରପଞ୍ଚବୃନ୍ଦ । ବ୍ଲକସ୍ଥିତ ମ୍ୟୁନିସିପାଲିଟି ଗୁଡିକର ଅଧ୍ୟକ୍ଷ (ଉକ୍ତ ମ୍ୟୁନିସିପାଲିଟିର ଜନସଂଖ୍ୟା କୋଡିଏ ହଜାର କିମ୍ବା ତା’ଠାରୁ କମ୍ ହେବା ଉଚିତ ) । ବ୍ଲକସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ (ଉକ୍ତ ପରିଷଦର ଜନସଂଖ୍ୟା ୨୦,୦୦୦ କିମ୍ବା ତା’ଠାରୁ କମ୍ ହେବା ଉଚିତ) । ବ୍ଲକସ୍ଥିତ ପଞ୍ଚାୟତମାନଙ୍କଠାରୁ ନିର୍ବାଚିତ ସମିତି ସଦସ୍ୟ । ସମିତିର ପ୍ରଥମ ବୈଠକଠାରୁ ମୋଟ ପାଞ୍ଚବର୍ଷ ପର୍ଯ୍ୟନ୍ତ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଏବଂ ସଭ୍ୟମାନଙ୍କର କାର୍ଯ୍ୟକାଳ ନିଧାର୍ଯ୍ୟ ହୋଇଅଛି । ଅଧ୍ୟକ୍ଷ କିମ୍ବା ତାଙ୍କର ଅନୁପସ୍ଥିତିରେ ଉପାଧ୍ୟକ୍ଷ ସମିତି ବୈଠକ ପରିଚାଳନା କରିବେ । ସ୍ଥାନୀୟ ବିଧାନସଭା ସଦସ୍ୟ ଏହି ବୈଠକରେ ଆମନ୍ତ୍ରିତ ସଭ୍ୟଭାବେ ଯୋଗଦେଇ ପାରିବେ । ସମିତିର ଅଧ୍ୟକ୍ଷ ବ୍ଲକର କାର୍ଯ୍ୟନିର୍ବାହୀ କର୍ତ୍ତୃପକ୍ଷ ଅଟନ୍ତି ଓ ବି.ଡି.ଓ. ଏହାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଟନ୍ତି । ସମିତିର କ୍ଷମତା ଓ କାର୍ଯ୍ୟ ପରିସର ଗୋଷ୍ଠୀ ଉନ୍ନୟନ ସମ୍ପର୍କିତ ସମସ୍ତ ସମସ୍ତ ଯୋଜନା ଓ କାର୍ଯ୍ୟର ଖସଡା ପ୍ରସ୍ତୁତ, ନିର୍ବାହ ବିଏମ ପର୍ଯ୍ୟବେକ୍ଷଣ । ବ୍ଲକରେ ପ୍ରାଥମିକ ଶିକ୍ଷାର ପରିଚାଳନା, ନିୟନ୍ତ୍ରଣ ଏବଂ ପ୍ରସାରଣ । ଟିକାଦାନ ଏବଂ ଜନ୍ମମୃତ୍ୟୁ ପଞ୍ଜୀକରଣ ସମ୍ପର୍କୀୟ ଆଇନର କାର୍ଯ୍ୟକାରୀତା ପର୍ଯ୍ୟବେକ୍ଷଣ । ବ୍ଲକସ୍ଥିତ ପଞ୍ଚାୟତଗୁଡିକର କାର୍ଯ୍ୟ ବିଧିର ପର୍ଯ୍ୟବେକ୍ଷଣ ଇତ୍ୟାଦି । ଅଧ୍ୟକ୍ଷ ଏବଂ ସମସ୍ତ ବେସରକାରୀ ସଦସ୍ୟ ବ୍ଲକଦ୍ଵାରା କାର୍ଯ୍ୟକାରୀ ହେଉଥିବା କିମ୍ବା ବ୍ଲକଦ୍ଵାରା ପରିଚାଳିତ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ସମ୍ପାଦିତ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିପାରିବେ । ବିଭିନ୍ନ ଷ୍ଟାଣ୍ଡିଂ କମିଟି ମାଧ୍ୟମରେ ସମିତି ତାହାର ବିଭିନ୍ନ ଦାୟିତ୍ଵ ନିର୍ବାହ କରନ୍ତି । ସମିତିର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କର କ୍ଷମତା ଓ କାର୍ଯ୍ୟ ପରିସର ଅଧ୍ୟକ୍ଷଙ୍କ ଦ୍ଵାରା ସମିତି ବୈଠକ ଆହୂତ ଓ ପରିଚାଳିତ ହୁଏ । ବ୍ଲକ ଦ୍ଵାରା ସମ୍ପାଦିତ ସମସ୍ତ କାର୍ଯ୍ୟ ଅଧ୍ୟକ୍ଷ ନିରୀକ୍ଷଣ ଓ ପର୍ଯ୍ୟବେକ୍ଷଣ କରନ୍ତି । ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଉପାଧ୍ୟକ୍ଷ ତାଙ୍କର ସମସ୍ତ ଦାୟିତ୍ଵ ସମ୍ପାଦନ କରନ୍ତି । ଅଧ୍ୟକ୍ଷପଦ କୌଣସି କାରଣରୁ ଶୂନ୍ୟ ରହିଲେ ତାହା ପୂରଣ ହେବା ପର୍ଯ୍ୟନ୍ତ ଉପାଧ୍ୟକ୍ଷ ଅଧ୍ୟକ୍ଷଙ୍କର ସମସ୍ତ ଦାୟିତ୍ଵ ସମ୍ପାଦନ କରିବେ । ପଞ୍ଚାୟତ ସମିତିର ସଦସ୍ୟ ନିର୍ବାଚିତ ହେବା ନିମିତ୍ତ ଅଥବା ଉକ୍ତ ପଦରେ ନିରବଚ୍ଛିନ୍ନ ରହିବା ପଥରେ ବିଭିନ୍ନ କଟକଣାମାନ ରହିଛି । ଉକ୍ତ କଟକଣା ବା ଅଯୋଗ୍ୟତାଗୁଡିକ ନିମ୍ନରେ ସଂକ୍ଷେପରେ ଦର୍ଶାଯାଇଅଛି । ଯଦି କୌଣସି ବ୍ୟକ୍ତି ସାଧାରଣତଃ ବ୍ଲକରେ ବସବାସ କରନ୍ତି ନାହିଁ । ଯଦି ମସ୍ତିସ୍କ ବିକୃତ ଥାଏ । ଯଦି ଦେବାଳିଆ ଘୋଷିତ ହେବା ନିମିତ୍ତ ଦରଖାସ୍ତ ଦାଖଲ କରନ୍ତି ବା ଯଦି ଦେବାଳିଆ ଘୋଷିତ ହୋଇ ସେଥିରୁ ମୁକ୍ତି ଲାଭ କରିନଥାନ୍ତି । ମୂଳବଧିର ହୋଇଥିଲେ କିମ୍ବା କୁଷ୍ଠ କିମ୍ବା ଯକ୍ଷ୍ମା ବ୍ୟାଧିଗ୍ରସ୍ତ ହୋଇଥିଲେ । ନିର୍ବାଚନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଭାରତର ନାଗରିକ ହୋଇ ନଥିଲେ । ନୈତିକ ଅଧୋଗତି ପ୍ରସୂତ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ରାଜ୍ୟ କିମ୍ବା କେନ୍ଦ୍ର ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅଧୀନରେ କୌଣସି ଲାଭଜନକ ପଦବୀରେ ଅଭିଷିକ୍ତ ହୋଇଥିଲେ । ଓଡିଶା ଶିକ୍ଷାବୋର୍ଡ ସ୍ଵୀକୃତ କୌଣସି ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । କେନ୍ଦ୍ର ବା ରାଜ୍ୟରେ ମନ୍ତ୍ରୀ ପଦାଭିଷିକ୍ତ ହୋଇଥିଲେ । ଲୋକସଭା କିମ୍ବା ବିଧାନସଭା ପରିଷଦର ସଦସ୍ୟ ହୋଇଥିଲେ । ରାଜ୍ୟ କିମ୍ବା କେନ୍ଦ୍ରସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ ପରିଚାଳନାଧିନ କୌଣସି ଚାକିରୀରୁ ବରଖାସ୍ତ ହୋଇଥିଲେ । କୌଣସି ପଞ୍ଚାୟତ ଉପରେ କିଛି କର ବା ଫି ଏକାଦିକ୍ରମେ ଦୁଇବର୍ଷ ପାଇଁ ବକେୟା ଥିଲେ । କୌଣସି ରେଜିଷ୍ଟାର୍ଡ ସମିତିର ସଭ୍ୟ ଥାଇ ଏକାଦିକ୍ରମେ ଦୁଇବର୍ଷ ପାଇଁ କୌଣସି ଦେୟ ବକେୟା ଥିଲେ । ଗ୍ରାମରେ ଅଭ୍ୟାସବଶତଃ ବିଚାରପତି ପନ୍ଥାରେ ମାଲିମୋକଦ୍ଦମା ସୃଷ୍ଟି କରିବାରେ ବ୍ୟାପୃତ ରହୁଥିଲେ ଏବଂ ତାହା ଉଚିତଭାବେ ପ୍ରମାଣିତ ହୋଇଥିଲେ । ସମିତି କିମ୍ବା କୌଣସି ସରକାରଙ୍କ ସହ ସମ୍ପାଦିତ କୌଣସି ଚୁକ୍ତିରେ କୌଣସି ଭାବେ ଆଗ୍ରହାନ୍ଵିତ ବା ଜଡିତ ଥିଲେ (ଯଦି ଉପରୋକ୍ତ କଣ୍ଟ୍ରାକ୍ଟରୀରେ କୌଣସି ବ୍ୟକ୍ତି କେବଳ ମାତ୍ର ଅଂଶୀଦାର ଥାଆନ୍ତି ତେବେ ସେ ଅଯୋଗ୍ୟ ବିବେଚିତ ହେବେ ନାହିଁ ) । ସମିତି ତରଫରୁ ସବେତନ ତଥା ନିୟୋଜିତ ଆଇନଜ୍ଞ ରୂପେ ନିଯୁକ୍ତ ହୋଇଥିଲେ । ରାଜ୍ୟ ବିଧାନସଭା ନିର୍ବାଚନାର୍ଥେ ପ୍ରଚଳିତ କୌଣସି ଆଇନ ଦ୍ଵାରା ଅଯୋଗ୍ୟ ବିବେଚିତ ହୋଇଥିଲେ । ରାଜ୍ୟ ବିଧାନସଭା ପ୍ରଣିତ କୌଣସି ଆଇନ ଦ୍ଵାରା ଅଯୋଗ୍ୟ ଘୋଷିତ ହୋଇଥିଲେ ଜଣେ ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷଙ୍କ ସମେତ ଯେକୌଣସି ନିର୍ବାଚିତ ସମିତି ସଦସ୍ୟ ନିମ୍ନୋକ୍ତ ଅଯୋଗ୍ୟତା ବଳରେ ନିଜର ପଦବୀ ହରାଇପାରନ୍ତି । ଯଦି ବ୍ଲକ ମଧ୍ୟରେ ସାଧାରଣତଃ ବସବାସ କରିବା ବନ୍ଦ କରିଦିଅନ୍ତି । . ଲିଖିତାକାରରେ ପୂର୍ବରୁ ଅବହିତ ନ କରାଇ ଛ’ ମାସରୁ ଅଧିକ କାଳ ନିରବଚ୍ଛିନ୍ନ ବ୍ଲକରୁ ଅନୁପସ୍ଥିତ ରହିଲେ । ଚେୟାରମ୍ୟାନଙ୍କ କ୍ଷେତ୍ରରେ ସମିତିକୁ ଜଣାଇବାକୁ ପଡିବ ଏବଂ ଭାଇସ – ଚେୟାରମ୍ୟାନ ତଥା ଅନ୍ୟାନ୍ୟ ସଦସ୍ୟଙ୍କ କ୍ଷେତ୍ରରେ ଚେୟାରମ୍ୟାନଙ୍କୁ ଜଣାଇବାକୁ ପଡିବ । ସମିତିଙ୍କର ଲିଖିତ ଅନୁମତି ବିନା ଯଦି ସମିତିର ସାଧାରଣ ତିନୋଟି ବୈଠକରେ କ୍ରମାନ୍ଵୟରେ ଅନୁପସ୍ଥିତ ରହନ୍ତି । ଆଇନଜୀବୀ ଭାବେ ଯଦି ସମିତି ବିରୁଦ୍ଧରେ କାର୍ଯ୍ୟକରନ୍ତି ବା ସମିତି ବିରୁଦ୍ଧରେ ବିଚାରାଳୟରେ ହାଜର ହୁଅନ୍ତି । ସେହିଭଳି, ଗ୍ରାମ ପଞ୍ଚାୟତ କ୍ଷେତ୍ରରେ ମଧ୍ୟ ସଦସ୍ୟ ପ୍ରାର୍ଥୀ ବା ସରପଞ୍ଚ ପ୍ରାର୍ଥୀଙ୍କ ନିମନ୍ତେ କେତେକ କଟକଣା ବା ଅଯୋଗ୍ୟତାର ମାନ ନିର୍ଦ୍ଧାରିତ ହୋଇଅଛି ଜଣେ ପ୍ରାର୍ଥୀ ଅଯୋଗ୍ୟ ବିବେଚିତ ହେବେ, ଯଦି ସେ ଭାରତର ନାଗରିକ ନୁହନ୍ତି । ଯଦି ଗ୍ରାମ ବା ୱାର୍ଡର ଭୋଟର ତାଲିକାରେ ପ୍ରାର୍ଥୀଙ୍କର ନାମ ନାହିଁ । ଯଦି ମସ୍ତିସ୍କ ବିକୃତ ଅଛି । ଦେବାଳିଆ ଘୋଷିତ ହେବା ନିମନ୍ତେ ଯଦି ସେ ଦରଖାସ୍ତ କରିଥିବେ କିମ୍ବା ଦେବାଳିଆ ଅବସ୍ଥାରୁ ମୁକ୍ତି ଲାଭକରି ନଥିବେ । ଯଦି ମୂଳ, ବଧୀର ହୋଇଥିବେ କିମ୍ବା କୁଷ୍ଠ କିମ୍ବା ଯକ୍ଷ୍ମା ବ୍ୟାଧିଗ୍ରସ୍ତ ହୋଇଥିବେ । ଯଦି କୌଣସି ନିର୍ବାଚନୀ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବେ । ଯଦି ନୈତିକ ଭ୍ରଷ୍ଟାଚାରଜନିତ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଅନ୍ତତଃ ଛ’ ମାସ ଜେଲଦଣ୍ଡ ଭୋଗିଥିବେ ଏବଂ କାରାମୁକ୍ତ ହୋଇ ଅନ୍ତତଃ ପାଞ୍ଚବର୍ଷ ବିତି ନଥିବ କିମ୍ବା ସଦାଚରଣ ପାଇଁ କୌଣସି ମୁଚଲିକା ଦେବା ନିମିତ୍ତ ନିର୍ଦ୍ଦେଶପ୍ରାପ୍ତ ହୋଇ ନଥିବେ । ଯଦି ରାଜ୍ୟ କିମ୍ବା କେନ୍ଦ୍ର ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ ଅଧିନରେ କୌଣସି ଲାଭପ୍ରଦ ପଦବୀ ଧାରଣା କରିଥିବେ । ଯଦି ସେ ଓଡିଶା ଶିକ୍ଷା ବୋର୍ଡ ସ୍ଵୀକୃତ କୌଣସି ବିଦ୍ୟାଳୟରେ ଶିକ୍ଷକତା କରୁଥାନ୍ତି । ରାଜ୍ୟ କିମ୍ବା କେନ୍ଦ୍ର ସରକାରରେ ଯଦି ସେ ମନ୍ତ୍ରୀ ପଦାଭିଷିକ୍ତ ହୋଇଥାନ୍ତି । ଯଦି କେନ୍ଦ୍ର ରାଜ୍ୟ ସରକାରଙ୍କ କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅଧିନରେ ଚାକିରୀ କରି ବରଖାସ୍ତ ହୋଇଥାନ୍ତି । କୌଣସି ସମବାୟ ସମିତିର ସଦସ୍ୟରୂପେ ଯଦି ସମିତିରୁ ରୁଣ ଆଣିଥିବେ ଏବଂ ନୋଟିସ୍ ପାଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଋଣ ପରିଶୋଧ କରି ନଥିବେ । ଯଦି ଏକ ଅଭ୍ୟାସଗତ, ଚିରାଚରିତ ମାଲିମୋକଦ୍ଦମା ସୃଷ୍ଟିକାରୀ ରୂପେ ଆଇନ ସମ୍ମତ ଅଧିକାରୀଙ୍କ ଦ୍ଵାରା ଘୋଷିତ ହୋଇଥିବେ । ଗ୍ରାମପଞ୍ଚାୟତ କିମ୍ବା ସମିତି କିମ୍ବା କୌଣସି ସରକାରଙ୍କ ପାଇଁ କରାଯାଉଥିବା କୌଣସି କାମ ବା ନିର୍ମାଣ କାର୍ଯ୍ୟ କିମ୍ବା ସେମାନଙ୍କ ସହିତ ସମ୍ପାଦିତ କୌଣସି ଚୁକ୍ତିରେ କୌଣସି ଭାବେ ଆଗ୍ରହାନ୍ଵିତ ବା ଜଡିତ ଥିଲେ । ଗ୍ରାମ ପଞ୍ଚାୟତ ତରଫରୁ ସବେତନ କିମ୍ବା ନିୟୋଜିତ ଆଇନଜୀବୀ ରୂପେ ନିଯୁକ୍ତ ହୋଇଥିଲେ । ଓଡିଶା ବିଧାନ ସଭା, କିମ୍ବା ରାଜ୍ୟ ସଭା କିମ୍ବା ଲୋକସଭାର ସଦସ୍ୟ ପଦରେ ରହିଥିଲେ । ସମିତି ସଦସ୍ୟ ପଦରେ ରହିଥିଲେ । ରାଜ୍ୟ ବିଧାନସଭା ନିର୍ବାଚନ ଉଦ୍ଦେଶ୍ୟରେ ପ୍ରଚଳିତ କୌଣସି ଆଇନାନୁଯାୟୀ ଅଯୋଗ୍ୟ ବିବେଚିତ ହୋଇଥିଲେ । ରାଜ୍ୟ ବିଧାନସଭା ପ୍ରଣିତ କୌଣସି ଆଇନାନୁଯାୟୀ ଅଯୋଗ୍ୟ ବିବେଚିତ ହୋଇଥିଲେ । ଜଣେ ବ୍ୟକ୍ତି ସରପଞ୍ଚ କିମ୍ବା ଗ୍ରାମ ପଞ୍ଚାୟତ ସଦସ୍ୟ ଥିବା ସମୟରେ ଯଦି ନିମ୍ନୋକ୍ତ କୌଣସି ତ୍ରୁଟି ସାଧନ କରୁଥିବା ପ୍ରମାଣିତ ହୁଏ, ତେବେ ସେ ନିଜ ପଦବୀ ହରାଇବେ । ଶେଷଥର ପାଇଁ ଉପସ୍ଥିତ ଥିବା ଗ୍ରାମ ପଞ୍ଚାୟତ ବୈଠକ ଦିବସଠାରୁ ଚାରିମାସ ମଧ୍ୟରେ ଅନୁଷ୍ଠିତ କ୍ରମାଗତ ତିନୋଟି ବୈଠକରେ ଅନୁପସ୍ଥିତ ଥିଲେ । ଆଇନଜୀବୀ ରୂପେ ପଞ୍ଚାୟତ ବିରୁଦ୍ଧରେ ଲଢିଲେ କିମ୍ବା କୋର୍ଟରେ ଉପସ୍ଥିତ ହେଲେ । କୌଣସି ସମବାୟ ସମିତିର ସଭ୍ୟ ରୂପେ ସେଠାରୁ ଋଣ ଗ୍ରହଣ କରି ଋଣ ପରିଶୋଧ ନିମିତ୍ତ ସମିତି ଦ୍ଵାରା ବିଜ୍ଞପ୍ତି ଦ୍ଵାରା ବିଜ୍ଞପ୍ତି ଜାରି ହେବାର କିଛି ମାସ ମଧ୍ୟରେ ଯଦି ଋଣ ପରିଶୋଧ ନକରନ୍ତି । ଯଦି ପଞ୍ଚାୟତ ସମିତିର ତିନୋଟି କ୍ରମାନ୍ଵୟ ବୈଠକରେ ସମିତିର ଲିଖିତ ଅନୁମତି ବିନା ଅନୁପସ୍ଥିତ ରହନ୍ତି । ସହାୟକ ଗ୍ରନ୍ଥ - ଓଡିଶା ପଞ୍ଚାୟତିରାଜ ମାନୁଏଲ ଲେଖକ – ଶ୍ରୀ ଶଙ୍କର୍ଷଣ ସାମଲ ଏବଂ ଅନ୍ୟମାନେ Panchayati Raj Laws in Orissa ଲେଖକ – ଶ୍ରୀ ଅକ୍ଷୟ କୁମାର ସାମଲ ଶ୍ରୀମତୀ ମଧୁସ୍ମିତା ସାମଲ ଆମ ପଞ୍ଚାୟତ – ଲେଖକ – ଶ୍ରୀ ଚନ୍ଦ୍ରଶେଖର ଦାଶ ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ