ଉପକ୍ରମ

ସୂର୍ଯ୍ୟ ଯେଭଳି ଅନ୍ଧକାରକୁ ହଟାଇ ସାରା ସଂସାରକୁ ଆଲୋକ ଦେଇଥାଏ, ଠିକ୍ ସେହିପରି ଜ୍ଞାନରୂପକ ସାଗର ମଧ୍ୟ ଅଜ୍ଞାନତା ମରୁଭୂମିରେ ଜଳ ପ୍ରବାହ କରିବାରେ ସକ୍ଷମ ହୋଇଥାଏ । ଏହି ଦୁନିଆରେ ଏମିତି ବହୁତ ବ୍ୟକ୍ତି ଜନ୍ମ ନେଇଛନ୍ତି, ଯେଉଁମାନେ ଅନ୍ୟ ଲୋକଙ୍କୁ ବାଟ ଦେଖାଇଛନ୍ତି ଓ ଆଗକୁ ବଢିବାକୁ ପଥ ପରିଷ୍କାର କରିଛନ୍ତି ।

ପ୍ରତିଭା ଓ ଜ୍ଞାନ ବୟସ ତୁଳନାରେ ହୋଇ ନଥାଏ, ନା ଏହାକୁ ଅଭିଜ୍ଞତା ଦ୍ୱାରା ମପା ଯାଇପାରିବ । ଅନେକ ସମୟରେ ବହୁତ କମ ବୟସରେ ପିଲାମାନେ ମଧ୍ୟ ଆମକୁ ନୂଆ ଜିନିଷ ଶିକ୍ଷା ଦେଇଥାନ୍ତି ।

ଆଦିତ୍ୟଙ୍କ ଯାତ୍ରା

ରାଜସ୍ଥାନର କୋଟାର ଜଣେ ଏମିତି ଶିଶୁ କବି ହେଉଛନ୍ତି ଡକ୍ଟର ଆଦିତ୍ୟ ଜୈନ, ଯାହାଙ୍କ ବୟସ ୧୭ । କିନ୍ତୁ ତାଙ୍କ ପ୍ରତିଭା ବଳରେ ସେ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଆଦିତ୍ୟ ନିଜ କବିତା ମାଧ୍ୟମରେ ସମାଜରେ ଚେତନା ଓ ପିରବର୍ତ୍ତନ ଆଣିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି । ଏହା ସହ ସେ ହିନ୍ଦୀର ପ୍ରଚାର ପ୍ରସାର ମଧ୍ୟ କରି ଆସୁଛନ୍ତି ।

ଆଦିତ୍ୟ ଜୈନଙ୍କର ଜନ୍ମ ୧୯୯୮ରେ ହୋଇଥିଲା । ମାତ୍ର ୫ ବର୍ଷ ବୟସରେ ସେ ରତଲାମ୍ ଶିଳ୍ପ ଉତ୍ସବ ଅବସରରେ ନିଜ ଲିଖିତ କବିତା ପଢିଥିଲେ । ବର୍ତ୍ତମାନ ସୁଦ୍ଧା ସେ ଅସଂଖ୍ୟ କବିତାପାଠ କରି ସାରିଛନ୍ତି । ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

ଆଦିତ୍ୟ କହନ୍ତି,ପିଲାଦିନେ ଶିଶୁଗୀତ ପଢିବା ବେଳେ ଗୀତର କିଛି ଶବ୍ଦକୁ ବଦଳାଇ ନିଜେ ଅନ୍ୟ ଏକ ଗୀତ ଲେଖି ଦେଉଥିଲି । ଏହାକୁ କ୍ଲାସରେ ଶୁଣାଉଥିଲି । ଶିକ୍ଷକ ଏ କଥା ମୋ ବାପାଙ୍କୁ କହିଲେ । ବାପା କହିଲେ, ତାହା ଭିତରେ ଥିବା ଲୁକ୍କାୟିତ ପ୍ରତିଭାର ବିକାଶ ହେବା ଦରକାର । ଏହା ମୋ ଭିତରେ ସୃଜନଶକ୍ତିକୁ ବଢାଇଥିଲା । ପରେ ପରେ ବିଭିନ୍ନ ମଂଚରେ ମୁଁ ନିଜ ଲିଖିତ କବିତା ପାଠ କରିଥିଲି।

ଆଦିତ୍ୟଙ୍କୁ ଏହି କାମରେ ପରିବାରରୁ ସବୁବେଳେ ସହଯୋଗ ଓ ପ୍ରୋତ୍ସାହନ ମିଳିଛି । ଆଜି ପର୍ଯ୍ୟନ୍ତ ଆଦିତ୍ୟ ଛଅଟି କବିତା ବହି ଲେଖି ସାରିଛନ୍ତି । ଖୁବ୍ ଶୀଘ୍ର ଦୁଇଟି ବହି ବଜାରରେ ଉପଲବ୍ଧ ହେବାକୁ ଯାଉଛି ।

ଆଦିତ୍ୟଙ୍କ ପ୍ରତିଭା ପାଇଁ ପୁରସ୍କାର

ଆଦିତ୍ୟଙ୍କ ପ୍ରତିଭା ପାଇଁ ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି । ଆଦିତ୍ୟଙ୍କୁ ଦୁଇଥର ରାଷ୍ଟ୍ରପତି ସମ୍ମାନ ମିଳିଛି । ଏହା ବ୍ୟତୀତ ଗୋଲ୍ଡେନ୍ ବୁକ୍ସ ଅଫ୍ ୱାଲ୍ଡ ରେକର୍ଡସ୍, ଲିମକା ବୁକ୍ ଅଫ୍ ୱାଲ୍ଡ ରେକଡର୍ସ, ମିରାକେଲ୍ସ ୱାଲ୍ଡ ରେକଡର୍ସ, ଆମେଜିଙ୍ଗ ୱାଲ୍ଡ ରେକଡର୍ସ, ୟୁନିକ ୱାଲ୍ଡ ରେକଡର୍ସ, ଇଣ୍ଡିଆ ବୁକ୍ ଅଫ୍ ୱାଲ୍ଡ ରେକଡର୍ସ ସହ ପ୍ରାୟ ୧୫ରୁ ଅଧିକ ୱାଲ୍ଡ ରେକର୍ଡସରେ ଆଦିତ୍ୟଙ୍କ ନାମ ବିଶ୍ୱର ସର୍ବକନିଷ୍ଠ ଶିଶୁ କବି ଏବଂ ସାହିତ୍ୟକାର ଭାବେ ସ୍ଥାନ ପାଇଛି । ଯେଉଁ ଆଧାରରେ ୨୦୧୪ରେ ଲଣ୍ଡନର ୱାଲ୍ଡ ରେକଡର୍ସ ୟୁନିଭରସିଟି ତାଙ୍କୁ ସମ୍ମାନଜନକ ଡକ୍ଟର ଉପାଧି ପ୍ରଦାନ କରିଛନ୍ତି ।

ଆଦିତ୍ୟଙ୍କ କବିତା

ଆଦିତ୍ୟ ନିଜ କବିତା ମାଧ୍ୟମରେ ପଲିଥିନ୍ ମୁକ୍ତ ଭାରତ, ରକ୍ତଦାନ, ଜଳ ସଂରକ୍ଷଣ, ପଲ୍ସ ପୋଲିଓ, ବେଟି ବଚାଅ ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି କରନ୍ତି । ତାଙ୍କର ବିଶ୍ୱାସ ଯେ ଏସବୁ ପ୍ରସଙ୍ଗରେ ଯଦି ସେ କବିତା ମାଧ୍ୟମରେ ଲୋକଙ୍କୁ ପ୍ରୋତ୍ସାହିତ କରିପାରିଲେ, ତେବେ ଦେଶର ହିତ ହେବା ସହ ତାଙ୍କ ପରିଶ୍ରମ ସଫଳ ହେବ । ଏବେ ସେ ଯେଉଁ କବି ସମ୍ମିଳନୀକୁ ଯାଉଛନ୍ତି, ପ୍ରଥମେ ବେଟି ବଚାଅ ଅଭିଯାନ କ୍ରମେ ସେ ପ୍ରଥମେ ଝିଅଙ୍କ ଉପରେ କବିତା ପଢୁଛନ୍ତି ।

ଆଦିତ୍ୟଙ୍କ କହିବା କଥା ହେଲା – ଦେଶ ଆମର ଗୌରବ । ଦେଶ ପାଇଁ ଯୁବସମାଜକୁ କିଛି କିଛି କରିବା ଦରକାର । ଦେଶର ପ୍ରଗତିରେ ସମସ୍ତଙ୍କ ଅବଦାନ ରହିବା ଦରକାର । ଇଂରାଜୀ ଭାଷା ଶିଖିବାରେ କିଛି ବାଧା ନାହିଁ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ହିନ୍ଦୀକୁ ଅଣଦେଖା କରିବା । ସେ କବିତା ମାଧ୍ୟମରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର କରୁଛନ୍ତି ।

ଆଦିତ୍ୟଙ୍କୁ ୩୦୦ରୁ ଅଧିକ ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ ସମ୍ମାନିତ କରାଯାଇସାରିଲାଣି । ସେ ୨୦ରୁ ଅଧିକ ରାଜ୍ୟରେ ୧୨୦୦ରୁ ଅଧିକ କାର୍ଯ୍ୟକ୍ରମରେ କବିତା ପାଠ କରିଛନ୍ତି । ଏଭଳିକି ରାଷ୍ଟ୍ରପତି ଭବନ, ରାଜଭବନ, ମୁଖ୍ୟମନ୍ତ୍ରୀ ଆବାସ ପର ବିଭିନ୍ନ ଅବସରରେ କବିତା ପାଠ କରିବାର ସୁଯୋଗ ପାଇଛନ୍ତି । ସେ ଦେଶର ସମସାମୟିକ ପରିସ୍ଥିତି ଉପରେ ଲେଖା ଲେଖିଥାନ୍ତି ।

ଆଧାର - Akhand social worker, freelance journalist