ଉପକ୍ରମ

ଦଶମ ଶ୍ରେଣୀରେ ଛାତ୍ରୀ ଲିପ୍ସା ପ୍ରଧାନ । ବରଗଡ ଜିଲାର ଭଟଲି ବ୍ଲକ୍ ଅନ୍ତର୍ଗତ କମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢନ୍ତି । ବୟସ ସିନା କମ୍ । ହେଲେ ମନ ତାଙ୍କର ବଡ ଓ ଆଶା ଅସୁମାରୀ। ପାଠପଢାରେ ଖୁବ୍ ଭଲ । ତା’ସହ ନିଜ ଅଞ୍ଚଳର ଲୋକ ଓ ତାଙ୍କ ସମସ୍ୟା ସମ୍ପର୍କରେ ବି ସେ ବେଶ୍ ଅବଗତ।

ମହୁଲ ଗୋଟାଇବା ଯନ୍ତ୍ରର ଉଦ୍ଭାବନ

ସେ ଦେଖିଛନ୍ତି ଗ୍ରୀଷ୍ମ ଋତୁ ଆସିଗଲେ ପଶ୍ଚିମ ଓଡିଶାର ଚାଷୀ ପରିବାର ମହୁଲ ଫୁଲ ସଂଗ୍ରହ କରି ପରିବାର ପ୍ରତିପୋଷଣ କରନ୍ତି। ବଡି ଭୋରରୁ ପୂରା ପରିବାର ଲୋକେ ନିଜ ଚାଷ ଜମିରେ ଥିବା ମହୁଲ ଗଛ ତଳକୁ ଯାଇ ମହୁଲ ଫୁଲ ଗୋଟାଇବାରେ ଲାଗିପଡନ୍ତି । ଉଦୁଉଦିଆ ଖରାରେ ମଧ୍ୟ ସେମାନେ ମହୁଲ ଫୁଲ ଗୋଟାଇଥାନ୍ତି । ଏହାଦ୍ୱାରା ଭଲ ରୋଜଗାର ହୁଏ ସତ। ହେଲେ ଏଭଳି ଗୋଟି ଗୋଟି କରି ମହୁଲ ଗୋଟାଇବା ଦ୍ଵାରା ଅଣ୍ଟା ବ୍ୟଥା ହୋଇଥାଏ । ଆବହମାନ କାଳରୁ ଏହି କାମ ଚାଲିଆସୁଥିବା ଯୋଗୁ ଚାଷୀ ପରିବାର ଏହାକୁ ଏକ ପରମ୍ପରା ବୋଲି ମନେ କରି ପରିଶ୍ରମକୁ ଭୁଲିଯାଆନ୍ତି । ମହୁଲ ଫୁଲ ଗୋଟାଇବାର ଅନ୍ୟ କୌଣସି ପଦ୍ଧତି କି ଯନ୍ତ୍ର ବି ନାହିଁ ।

ଏଥିପାଇଁ କେବଳ ମହୁଲ ଗଛର ତଳେ ପଡିଥିବା ପତ୍ରକୁ ପୂର୍ବରୁ ପୋଡିଦିଆଯାଏ, ଯେମିତିକି ମହୁଲ ଫୁଲ ତଳେ ପଡିବା ପରେ ଭଲ ଭାବେ ଦେଖାଯିବ । ତେବେ ଅନେକ ସମୟରେ ଦେଖାଯାଏ ଏମିତିଭାବେ ମହୁଲ ଗଛ ତଳେ ନିଆଁ ଲଗାଯିବା ଯୋଗୁ ସେହି ନିଆଁ ବ୍ୟାପିଯାଇ ପାଖରେ ଥିବା ବହୁ ଗଛ ମଧ୍ୟ ପୋଡି ନଷ୍ଟ ହୋଇଯାଏ । ଏସବୁ ସମସ୍ୟାକୁ ପିଲାଟି ଦିନରୁ କମଗାଁ ଗ୍ରାମର ବିଶିକେଶନ ପ୍ରଧାନ ଏବଂ ଆରତୀ ପ୍ରଧାନଙ୍କ ଝିଅ ଲିପ୍ସା ଦେଖିଥିଲେ ଓ ତାକୁ ଅଙ୍ଗେ ନିଭେଇଥିଲେ ମଧ୍ୟ । କାରଣ ସେ ବି ପରିବାର ସହିତ ବିଲକୁ ଯାଇ ମହୁଲ ଫୁଲ ଗୋଟାଉଥିଲେ । ତେଣୁ ଏହାର କିଛି ସମାଧାନ ପାଇଁ ଅନେକ ଥର ଚିନ୍ତା କରିଥିଲେ । ଶେଷରେ ନିଜ ବିଜ୍ଞାନ ଶିକ୍ଷକ ସୁବୋଧ କୁମାର ସାହୁଙ୍କ ଦିଗ୍ଦର୍ଶନ ଏବଂ ମାତାପିତାଙ୍କ ପ୍ରେରଣା ଓ ସହାୟତାରେ ସେ ଏକ ଯନ୍ତ୍ର ତିଆରି କଲେ । ତାକୁ ସେ ପ୍ରଥମେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳାରେ ପ୍ରଦର୍ଶନ କରିଥିଲେ । ସେଠାରେ ତାଙ୍କର ଏହି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ । ପରେ ସେହି ପ୍ରକଳ୍ପ ଜିଲାସ୍ତରୀୟ ବିଜ୍ଞାନ ମେଳାକୁ ମଧ୍ୟ ମନୋନୀତ ହୋଇଥିଲା । ଏହାପରେ ଲିପ୍ସାଙ୍କ ଏହି କ୍ଷୁଦ୍ର ପ୍ରକଳ୍ପ ରାଜ୍ୟ ଓ କେନ୍ଦ୍ର ସ୍ତରରେ ବି ଆଦୃତ ହୋଇପାରିଲା । ଏହା ସହିତ ବୈଜ୍ଞାନିକମାନଙ୍କ ସ୍ଵୀକୃତି ମଧ୍ୟ ମିଳିଲା । ଏହି ଯନ୍ତ୍ର ତିଆରି ପାଇଁ ବେଶି ଖର୍ଚ୍ଚ ହେଉ ଥିବାବେଳେ ଚାଷୀମାନଙ୍କ ପାଇଁ ଖୁବ୍ ଉପାଦେୟ। କମ୍ ସମୟରେ ବେଶି ଉତ୍ପାଦନ ସମ୍ଭବପର ବୋଲି ବୈଜ୍ଞାନିକମାନେ ମଧ୍ୟ ସ୍ଵୀକୃତି ଦେଲେ ।

ପୁରଷ୍କୃତ ଏବଂ ସମ୍ମାନ

ଏଥିପାଇଁ ଏହି ମହୁଲ ଗୋଟାଇବା ଯନ୍ତ୍ର ‘ଏପିଜେ ଅବଦୁଲ କଲାମ୍ ଇଗ୍ନାଇଟ୍ ଆୱାର୍ଡ’ ପାଇଁ ମନୋନୀତ ହେଲା । ଏହାସହିତ ଅହମ୍ମଦାବାଦ ଆଇଆଇଏମ୍ ପରିସରରେ ଏକ ଭବ୍ୟ ଉତ୍ସବରେ ଭାରତର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଲିପ୍ସାଙ୍କ ମାତାପିତା ମଧ୍ୟ ଉପସ୍ଥିତ ଥିଲେ ।

ଶେଷକଥା

ଆଉ ଝିଅର କୃତିତ୍ଵରେ ଖୁବ୍ ଗର୍ବ ଅନୁଭବ କରିଥିଲେ ବୋଲି ପରିବାର ବର୍ଗ କହନ୍ତି । କେବଳ ମାତା ପିତା ନୁହନ୍ତି ତାଙ୍କ ଗାଁର ପ୍ରତ୍ୟେକ ଅଧିବାସୀ ଓ ସେ ପଢୁଥିବା ବିଦ୍ୟାଳୟରେ ପ୍ରତ୍ୟେକ ଛାତ୍ରୀଛାତ୍ର, ପ୍ରଧାନ ଶିକ୍ଷକ ବି ଖୁବ୍ ଗର୍ବିତ ।

ଯେବେ ଯେବେ ନାରୀ ଘରର ଏରୁଣ୍ଡି ଡେଇଁଛି ସଫଳତା ତା’ ପାଦ ଛୁଇଁଛି । ଆଉ ପ୍ରମାଣିତ କରିଦେଇଛି ସେ ନୁହେଁ ଦୂର୍ବଳା।

ଆଧାର – ଶିବାନୀ