କୁସୁମଙ୍କ ଯାତ୍ରା

ନାମ ତାଙ୍କର କୁସୁମ ଲୁଗୁନ । ରାଉରକେଲା ଗୋପବନ୍ଧୁପାଲିର ଏହି ମହିଳା ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ପୁରୁଷ କେନ୍ଦ୍ରୀୟ ସମାଜରେ ସେ ଭିନ୍ନ ବୃତ୍ତିକୁ ଆପଣେଇ ସଫଳତା ପାଇଛନ୍ତି । ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡିଛି। ନିଜ ଗୋଡରେ ନିଜେ ଛିଡା ହୋଇ ଅନ୍ୟମାନଙ୍କୁ ସ୍ଵାବଲମ୍ବୀ ହେବାର ବାଟ ଦେଖାଇଛନ୍ତି ସେ । ଦିନଥିଲା କୁସୁମଙ୍କ ବାପା ଆଇଜୁକ ଲୁଗୁନଙ୍କ ଗୋପବନ୍ଧୁପାଲିରେ ଗୋଟିଏ ଝୁମ୍ପୁଡି ଦୋକାନ ଥିଲା । ସେହି ଦୋକାନରେ ସେ ଏକ ସିଲେଇ ମେଶିନ ପକାଇ କିଛି ରୋଜଗାର କରୁଥିଲେ । ସେଥିରେ ତାଙ୍କର ତେଲଲୁଣର ସଂସାର ଚାଲିଥିଲା । ୨୦୦୬ରେ କୁସୁମ କାଂଶବାହାଲ ଗିରିଜାପଡାର ଅକ୍ଷୟ କିରୋଙ୍କୁ ବିବାହ କରିଥିଲେ । ହେଲେ କୁସୁମଙ୍କ ସୁଖ ବେଶୀ ଦିନ ରହି ନଥିଲା । ୨୦୧୦ରେ ବାପା ଆଇଜୁକଙ୍କ ପରଲୋକ ଘଟିଥିଲା ।

ଏହାର କିଛିଦିନପରେ କୁସୁମଙ୍କ ମା ବି ଆଖି ବୁଜିଥିଲେ । ମା,ବାପାଙ୍କ ମୃତ୍ୟୁକୁ କୁସୁମ ସହି ନେଇଥିଲେ । ହେଲେ ୨୦୧୨ ଡ଼ିସେମ୍ବର ୪ରେ କୁସୁମଙ୍କ ସ୍ଵାମୀ ଅକ୍ଷୟ ଆଖି ବୁଜିଲେ । ଭାଙ୍ଗି ପଡିଲେ ସେ ସମ୍ପୂର୍ଣ୍ଣ ଏକା ହୋଇଯାଇଥିଲେ କୁସୁମ । ଅନ୍ୟ କୌଣସି ଚାରି ନ ଥିଲା ତାଙ୍କ ପାଖରେ । ଶେଷକୁ ସେ ବାପଘର ଗୋପବନ୍ଧୁପାଲୀକୁ ଚାଲି ଆସିଥିଲେ । ନିଜର ପିଲା ଛୁଆ ନ ଥିଲେ ମଧ୍ୟ କେମିତି ନିଜେ ବଞ୍ଚିବେ ତାଙ୍କୁ ସେହି ଚିନ୍ତା ଘାରିଥିଲା । ବସ୍ତିରେ ବନ୍ଦ ପଡିଥିବା ବାପାଙ୍କ ଛୋଟ ଦର୍ଜି ଦୋକାନରେ ପଡିଥିବା ପୁରୁଣା ସିଲେଇ ମେଶିନକୁ ପୋଛାପୋଛି କରି ସେ ତାକୁ ଚଳାଇବାକୁ ଚେଷ୍ଟା କରିଥିଲେ । ବସ୍ତି ଲୋକଙ୍କ ଚିରା, ଫଟା ପୋଷାକପତ୍ର ସିଲାଇ କରି ସେଥିରୁ ସେ ପ୍ରତିଦିନ କିଛି ଟଙ୍କା ରୋଜଗାର କରିବା ଆରମ୍ଭ କରିଥିଲେ । ସେହି ଟଙ୍କାରୁ କିଛି କିଛି ସଞ୍ଚୟ କରି ଗୋଟିଏ ନୂଆ ସିଲେଇ ମେଶିନ କିଣିଥିଲେ କୁସୁମ । ଖୁବ୍ କମ୍ ଦିନ ଭିତରେ ତାଙ୍କ ଦୋକାନରେ ଗ୍ରାହକଙ୍କ ଭିଡ ଜମିଲା । ଦି ପଇସା ଭଲ ରୋଜଗାର ହେଲା ।

ଅନ୍ୟ ମହିଳାଙ୍କୁ ସ୍ଵାବଲମ୍ବୀ

କୁସୁମ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ବରଂ ନିଜ ଦୋକାନରେ ସେ ଖୋଲିଛନ୍ତି ଏକ ସିଲେଇ ତାଲିମ କେନ୍ଦ୍ର । ଯେଉଁଠି ପ୍ରତିଥର ୬ରୁ ୭ ଜଣ ମହିଳାଙ୍କୁ ସେ ତାଲିମ ଦେଉଛନ୍ତି । ଦୁଇଟି ମେଶିନ କିଣି ୨୦୧୩ରୁ ନିଜର ତାଲିମ କେନ୍ଦ୍ର ଚଳାଇଛନ୍ତି କୁସୁମ । ଏଥିପାଇଁ ସେ କେବେ କୌଣସି ମହିଳାଙ୍କ ଠାରୁ ଟଙ୍କା ଟିଏ ମାଗି ନ ଥାନ୍ତି, ଯେ ଯାହା ଦେଲା ତାହାକୁ ଆଗ୍ରହ ସହ ଗ୍ରହଣ କରନ୍ତି । ବିଗତ ୩ ବର୍ଷରେ ମଧ୍ୟରେ ୩୦ରୁ ଉର୍ଦ୍ଧ୍ଵ ଗରିବ ମହିଳାଙ୍କୁ ସିଲେଇ ତାଲିମ ମାଧ୍ୟମରେ ସ୍ଵାବଲମ୍ବୀ ହେବାର ବାଟ ଦେଖାଇଛନ୍ତି ସେ ।

ଆଧାର – ଦୈନିକ ଧରିତ୍ରୀ