ସାକ୍ଷୀମାନଙ୍କର ପରୀକ୍ଷା ସଂବନ୍ଧରେ ଉପସ୍ଥାପନ କରିବା ଆଦେଶ ଏବଂ ସାକ୍ଷୀ ମାନଙ୍କର ପରୀକ୍ଷା – ଯେଉଁ ଆଦେଶରେ ସାକ୍ଷୀମାନଙ୍କୁ ଉପସ୍ଥାପନ କରାଯାଏ ଏବଂ ପରୀକ୍ଷା କରାଯାଏ , ତାହା ଯଥାକ୍ରମେ ଦେୱାନୀ ଏବଂ ଫୌଜଦାରୀ ପଦ୍ଧତି ସଂବନ୍ଧରେ ସେତେବେଳେ ପ୍ରଚଳିତ କୌଣସି ଆଇନ୍ ଦ୍ଵାରା ନିୟନ୍ତ୍ରିତ ହେବ , ଏବଂ ଏପରି କୌଣସି ଆଇନ୍ ର ଅନୁପସ୍ଥିତିରେ , ନ୍ୟାୟାଳୟଙ୍କର ବିବେକ ଦ୍ଵାରା । ସାକ୍ଷ୍ୟର ଗ୍ରହଣୀୟତା ସଂବନ୍ଧରେ ବିଚାରପତି ସ୍ଥିର କରିବେ – ଯେତେବେଳେ ଉଭୟ , ପକ୍ଷଙ୍କ ମଧ୍ୟରୁ କୌଣସି ପକ୍ଷ , କୌଣସି ବିଷୟରେ ସାକ୍ଷ୍ୟ ପ୍ରଦାନ କରିବାକୁ ପ୍ରସ୍ତାବ କରନ୍ତି, ସେତେବେଳେ, ଏପରି ସାକ୍ଷ୍ୟ ପ୍ରଦାନ କରିବା ନିମନ୍ତେ ପ୍ରସ୍ତାବ କରୁଥିବା ପକ୍ଷକୁ ବିଚାରପତି, ସାକ୍ଷ୍ୟକୁ ଗ୍ରହଣ କରିବେ ,ଯଦି ସେ ବିଚାର କରନ୍ତି ବା ଚିନ୍ତା କରନ୍ତି ଯେ, ଉକ୍ତ ବିଷୟ, ଯଦି ପ୍ରମାଣିତ ହୁଏ, ତାହା ଉପାଦେୟ ହେବ ଏବଂ ଅନ୍ୟଥା ନୁହେଁ । ଯଦି ପ୍ରମାଣିତ କରାଯିବା ନିମନ୍ତେ ପ୍ରସ୍ତାବିତ ବିଷୟ ଏପରି ହୋଇଥାଏ, ଯାହାର ସାକ୍ଷ୍ୟ, ଅନ୍ୟ କୌଣସି ବିଷୟର ପ୍ରମାଣ ଉପରେ ଗ୍ରହଣୀୟ ଅଟେ, ତାହେଲେ, ଏପରି ପ୍ରଥମ ଉଲ୍ଲେଖିତ ବିଷୟକୁ ପ୍ରଥମେ ଉଲ୍ଲେଖିତ ବିଷୟ ଉପରେ ସାକ୍ଷ୍ୟ ପ୍ରଦାନ କରାଯିବା ପୂର୍ବରୁ ପ୍ରମାଣ କରାଯିବ, ଯଦି ଏପରି ବିଷୟର ପ୍ରମାଣ ଦେବା ନିମନ୍ତେ ଉକ୍ତ ପକ୍ଷ ପ୍ରତିଶ୍ରୁତି ଦିଅନ୍ତି ଏବଂ ନ୍ୟାୟାଳୟ ଏପରି ପ୍ରତିଶ୍ରୁତିରେ ସନ୍ତୁଷ୍ଟ ହୁଅନ୍ତି । ଯଦି ଗୋଟିଏ ଅଭିଯୁକ୍ତ ବିଷୟର ଉପାଦେୟତା ପ୍ରଥମେ ପ୍ରମାଣିତ ହୋଇଥିବା ଅନ୍ୟ କୌଣସି ଅଭିଯୁକ୍ତ ବିଷୟ ଉପରେ ନିର୍ଭର କରେ , ତାହେଲେ ବିଚାରପତି ତାଙ୍କର ବିବେକ ଅନୁଯାୟୀ ଦ୍ଵିତୀୟ ବିଷୟ ପ୍ରମାଣିତ ହେବା ପୂର୍ବରୁ ପ୍ରଥମ ବିଷୟ ଉପରେ ସାକ୍ଷ୍ୟ ପ୍ରଦାନ କରିବା ନିମନ୍ତେ ଅନୁମତି ପ୍ରଦାନ କରିପାରନ୍ତି କିମ୍ବା ପ୍ରଥମ ବିଷୟ ଉପରେ ସାକ୍ଷ୍ୟ ପ୍ରଦାନ କରିବା ନିମନ୍ତେ ଅନୁମତି ପ୍ରଦାନ କରିପାରନ୍ତି କିମ୍ବା ପ୍ରଥମ ବିଷୟ ଉପରେ ସାକ୍ଷ୍ୟ ପ୍ରଦାନ କରିବା ପୂର୍ବରୁ ଦ୍ଵିତୀୟ ବିଷୟ ଉପରେ ସାକ୍ଷ୍ୟ ପ୍ରଦାନ କରିବା ନିମନ୍ତେ ଅନୁମତି ଦେଇପାରନ୍ତି । ଉଦାହରଣ ମୃତ ବୋଲି ଅଭିଯୁକ୍ତ କୌଣସି ବ୍ୟକ୍ତିଦ୍ଵାରା କୌଣସି ଉପାଦେୟ ବିଷୟ ସଂବନ୍ଧରେ ଏକ ବିବରଣୀ ପ୍ରମାଣ କରିବା ନିମନ୍ତେ ଏହା ପ୍ରସ୍ତାବିତ , ଯେଉଁ ବିବରଣୀ , ଦଫା ୩୨ ଅନୁଯାୟୀ ଉପାଦେୟ ଅଟେ । ଏହି ବିଷୟ ଯେ, ବ୍ୟକ୍ତିଜଣକ ମୃତ , ତାହା ନିଶ୍ଚିତଭାବେ ସେହି ବ୍ୟକ୍ତିଙ୍କ ଦ୍ଵାରା ପ୍ରମାଣିତ କରାଯିବ ଯେକି , ଏପରି ପ୍ରମାଣ କରିବା ନିମନ୍ତେ ପ୍ରସ୍ତାବ କରିଛନ୍ତି ଏବଂ ଏହା , ବିବରଣୀ ସଂବନ୍ଧରେ ସାକ୍ଷ୍ୟ ଦେବା ପୂର୍ବରୁ କରାଯିବ । କୌଣସି ନକଲ ଦ୍ଵାରା , ହଜିଯାଇଥିବା କୌଣସି ଦଲିଲ୍ ର ବିଷୟବସ୍ତୁ ପ୍ରମାଣ କରିବା ନିମନ୍ତେ , ଏହା ପ୍ରସ୍ତାବିତ ଅଟେ । ଏହି ବିଷୟ ଯେ, ମୂଳ ଦଲିଲ୍ ଟି ହଜିଯାଇଛି , ତାହା ସେହି ବ୍ୟକ୍ତିଦ୍ଵାରା ନିଶ୍ଚିତ ଭାବେ ପ୍ରମାଣ କରାଯିବ , ଯେକି ନାକଲ ଉପସ୍ଥାପନ କରିବା ନିମନ୍ତେ ପ୍ରସ୍ତାବ କରିଛନ୍ତି ଏବଂ ଏହା ନକଲ ଉପସ୍ଥାପନ ପୂର୍ବରୁ କରାଯିବ । ତାହା ଚୋରା ହୋଇଥିବା ଜାଣି , ଚୋରା ସମ୍ପତ୍ତିକୁ ଗ୍ରହଣ କରିବାରେ ‘କ’ ଅଭିଯୁକ୍ତ । ଏହା ପ୍ରମାଣ କରିବା ନିମନ୍ତେ ପ୍ରସ୍ତାବ ଯେ, ସେ , ସମ୍ପତ୍ତିର ଦଖଲକୁ ମନା କରଥିଲେ। ଏପରି ମନା କରିବାରେ ସଠିକତା , ସମ୍ପତ୍ତିର ଚିହ୍ନଟ ଉପରେ ନିର୍ଭର କରେ । ଦଖଲର ଅସ୍ଵୀକାର ପ୍ରମାଣିତ ହେବାପୂର୍ବରୁ , ସମ୍ପତ୍ତିର ଚିହ୍ନଟକୁ ନ୍ୟାୟାଳୟ ତାଙ୍କ ବିବେକ ଅନୁଯାୟୀ ଆବଶ୍ୟକ କରିପାରନ୍ତି କିମ୍ବା ସମ୍ପତ୍ତି ଚିହ୍ନଟ ହେବା ପୂର୍ବରୁ , ଦଖଲର ଅସ୍ଵୀକାର ପ୍ରମାଣିତ କରିବା ନିମନ୍ତେ ଆବଶ୍ୟକ କରିପାରନ୍ତି । ‘କ’ ନାମକ ଏକ ବିଷୟର ପ୍ରମାଣ କରିବା ପ୍ରସାବିତ ଅଟେ , ଯାହାକି ପ୍ରଶ୍ନଗତ ବିଷୟରେ କାରଣ କିମ୍ବା ପ୍ରଭାବ ବୋଲି କୁହାଯାଏ – ମଧ୍ୟବର୍ତ୍ତୀକାଳୀନ ଅନେକ ବିଷୟ ଯଥା – ‘ଖ’ , ‘ଗ’ , ‘ଘ’ ଅଛି , ଯାହାକି ‘କ’ ନାମକ ବିଷୟକୁ , ପ୍ରଶ୍ନଗତ ବିଷୟର କାରଣ କିମ୍ବା ପ୍ରଭାବ ବୋଲି ବିବେଚନା କରିବା ପୂର୍ବରୁ ସ୍ଥିତ ଥିଲା ବୋଲି ନିଶ୍ଚିତଭାବେ ଦର୍ଶାଯିବା ଉଚିତ – ନ୍ୟାୟାଳୟ , ‘ଖ’ , ‘ଗ’ କିମ୍ବା ‘ଘ’ ର ପ୍ରମାଣ ପୂର୍ବରୁ ‘କ’ କୁ ପ୍ରମାଣିତ କରିବା ନିମନ୍ତେ ଅନୁମୋଦନ କରିପାରନ୍ତି କିମ୍ବା ‘କ’ ର ପ୍ରମାଣକୁ ଅନୁମୋଦନ କରିବାପୂର୍ବରୁ ‘ଖ’ , ‘ଗ’ ଏବଂ ‘ଘ’ ର ପ୍ରମାଣ ଆବଶ୍ୟକ କରିପାରନ୍ତି । ଜମାନବନ୍ଦୀ - କୌଣସି ସାକ୍ଷୀଙ୍କୁ ଆହ୍ଵାନ କରିଥିବା ପକ୍ଷଙ୍କ ଦ୍ଵାରା ପରୀକ୍ଷାକୁ , ଜମାନବନ୍ଦୀ କୁହାଯାଏ । ଜେରା – ବିପରୀତ ପକ୍ଷଦ୍ଵାରା କୌଣସି ସାକ୍ଷୀର ପରୀକ୍ଷାକୁ , ଜେରା ବୋଲି କୁହାଯାଏ । ପୁନଃ ପରୀକ୍ଷା – ଜେରାପରେ , ଆହ୍ଵାନ କରିଥିବା ପକ୍ଷଙ୍କ ଦ୍ଵାରା କୌଣସି ସାକ୍ଷୀର , ପରୀକ୍ଷାକୁ ତାଙ୍କର ତାଙ୍କର ପୁନଃ ପରୀକ୍ଷା ବୋଲି କୁହାଯାଏ । ଟିପ୍ପଣୀ ସଦ୍ୟ ଆବେଦନ ପତ୍ର : - ସହ - ପ୍ରତିବାଦୀ , ଅନ୍ୟ ପ୍ରତିବାଦୀ ଦ୍ଵାରା ପରୀକ୍ଷିତ କୌଣସି ସାକ୍ଷୀକୁ ଜେରା କରିପାରେ , ଯଦି ଉକ୍ତ ସାକ୍ଷୀ ଏକ ବିବରଣୀ ପ୍ରଦାନ କରିଥାଏ , ଯାହାକି ସହ – ପ୍ରତିବାଦୀର ସ୍ଵାର୍ଥ ପ୍ରତି କ୍ଷତିକାରକ ଅଟେ – ଜେରା ନିମନ୍ତେ ସାକ୍ଷୀକୁ ପୁନଃ ଆହ୍ଵାନ କରିବା ନିମନ୍ତେ , ପ୍ରତିବାଦୀ ସଂଖ୍ୟା ୧ ଏବଂ ୨ ଦ୍ଵାରା ଆବେଦନ ପତ୍ର , ପ୍ରତିବାଦୀ ୩ରୁ ୫ଙ୍କ ଦ୍ଵାରା ପରୀକ୍ଷା କରାଯାଇଥିଲା – ସାକ୍ଷୀଙ୍କୁ ପୁନଃ ଆହ୍ଵାନ କରିବା ନିମନ୍ତେ ଆବେଦନ ପତ୍ରରେ ଉଲ୍ଲେଖ କରାଯାଇଥିବା କାରଣ ଯେ, ସେମାନଙ୍କ ଓକିଲ , ସାକ୍ଷୀର ପରୀକ୍ଷା ସମୟରେ ଉପସ୍ଥିତ ନଥିଲେ , ତାହା ଯଥେଷ୍ଟ ନୁହେଁ – ବିଚାରକାରୀ ନ୍ୟାୟାଳୟ , ସ୍ତିରିକୃତ ଆଇନ ପ୍ରତି ମସ୍ତିସ୍କ ପରିଚାଳନା ନକରି ଉକ୍ତ ଆବେଦନପତ୍ରକୁ ଅନୁମୋଦିତ କରିଥିଲେ ଏବଂ ସେଥିପାଇଁ ଉକ୍ତ ଆଦେଶ ନାକଚ ହେବା ଯୋଗ୍ୟ ଅଟେ ସଦ୍ୟ ଆବେଦନ ପତ୍ର ପ୍ରଦାନ କରିବା ନିମନ୍ତେ , ପ୍ରତିବାଦୀଙ୍କ ସ୍ଵାଧୀନତା – ରଜନୀ ଦେଇ ବନାମ ନରୋତ୍ତମ ସାହୁ ଏବଂ ଅନ୍ୟମାନେ - ୨୦୦୧ (୧) ସିସିସି – ୧୭୮ (ଓଡିଶା) ସାକ୍ଷୀଙ୍କୁ ଜେରା କରିବା : - କୌଣସି ସାକ୍ଷୀର ପରୀକ୍ଷା – ଜଣେ ପ୍ରତିବାଦୀକୁ ସାକ୍ଷୀଭାବେ ପରୀକ୍ଷା କରାଯାଇଥିଲା – ଅନ୍ୟ – ସହ ପ୍ରତିବାଦୀ କୌଣସି ଉପାଦେୟ ଏବଂ ସ୍ପଷ୍ଟ ବିଷୟ ଉପରେ ଏକ ଭିନ୍ନ ସ୍ଥିତି ଗ୍ରହଣ କରନ୍ତି କିମ୍ବା ସାକ୍ଷୀ ଏପରି ବିବରଣୀ ପ୍ରଦାନ କରେ , ଯାହାକି ପୂର୍ବୋକ୍ତ ସହ – ପ୍ରତିବାଦୀର ସ୍ଵାର୍ଥ ପ୍ରତି କ୍ଷତିକାରକ ଅଟେ - ଯେତେବେଳେ କୌଣସି ସାକ୍ଷୀ କୌଣସି ପକ୍ଷ ଦ୍ଵାରା ପରୀକ୍ଷିତ ହୋଇଥାଏ , କେବଳମାତ୍ର ଏପରି ପକ୍ଷ ଯାହାର ଉକ୍ତ ପ୍ରଥମ ପକ୍ଷ ପ୍ରତି ପ୍ରତିକୂଳିତ ସ୍ଵାର୍ଥ ଥାଏ, ସେ , ଏପରି ସାକ୍ଷ୍ୟକୁ ଜେରା କରିପାରେ – ରଜନୀ ଦେଇ ବନାମ ନରୋତ୍ତମ ସାହୁ ଏବଂ ଅନ୍ୟମାନେ - ୯୦ –(୨୦୦୦) ସିଏଲ୍ ଟି – ୮୬୬ । ପରୀକ୍ଷାର ଆଦେଶ ସାକ୍ଷୀମାନଙ୍କୁ ପ୍ରଥମେ ଜମାନବନ୍ଦୀ କରାଯିବ; ତାପରେ ସେମାନଙ୍କୁ ଜେରା କରିବେ , ତାପରେ ତାଙ୍କୁ ପୁନଃ ପରୀକ୍ଷା କରି ପାରିବେ । ଏପରି ପରୀକ୍ଷା, ଏବଂ ଜେରା, ଉପାଦେୟ ବିଷୟ ଗୁଡିକ ସହିତ ନିଶ୍ଚିତ ଭାବେ ସଂପୃକ୍ତ ହୋଇଥିବ, ମାତ୍ର ଜେରା ସେହି ବିଷୟ ଗୁଡିକରେ ସୀମିତ ହୋଇନଥିବ, ଯେଉଁଥି ନିମନ୍ତେ ସାକ୍ଷୀ ତାଙ୍କର ଜମାନବନ୍ଦୀରେ ସାକ୍ଷ୍ୟ ପ୍ରଦାନ କରିଥାଆନ୍ତି । ପୁନଃ ପରୀକ୍ଷାର ନିର୍ଦ୍ଦେଶ – ଜେରାରେ ଉଲ୍ଲେଖିତ ବିଷୟ ଗୁଡିକର ସ୍ପଷ୍ଟିକରଣ ନିମନ୍ତେ, ପୁନଃ ପରୀକ୍ଷା, ନିର୍ଦ୍ଦେଶ କରାଯାଇପାରେ, ଏବଂ ଯଦି ନୂତନ ବିଷୟ , ନ୍ୟାୟାଳୟଙ୍କ ଅନୁମତିଦ୍ଵାରା ପୁନଃ ପରୀକ୍ଷାରେ ସାମିଲ୍ କରାଯାଏ ତାହେଲେ ଉକ୍ତ ବିଷୟ ଉପରେ ବିପରୀତ ପକ୍ଷ ପୁନର୍ବାର ଜେରା କରିପାରନ୍ତି । ଟିପ୍ପଣୀ ବ୍ୟବସ୍ଥାବଳୀ ପରସ୍ପର ପ୍ରତି ପରିପୂରକ ଅଟେ - ଫୌଜଦାରୀ କାର୍ଯ୍ୟବିଧି ସଂହିତା ୧୯୭୩ – ଦଫା ୩୧୧ – ସାକ୍ଷୀମାନଙ୍କର ପରୀକ୍ଷା ଏବଂ ସାକ୍ଷୀମାନଙ୍କର ପୁନଃ ପରୀକ୍ଷା ଏବଂ ଉପାଦେୟ ସାକ୍ଷୀମାନଙ୍କୁ ଆହ୍ଵାନ କରିବା କିମ୍ବା ପରୀକ୍ଷା କରିବା କ୍ଷମତା ସଂବନ୍ଧରେ ବ୍ୟବସ୍ଥାୟୀତ କରିଥାଏ – ଏହି ବ୍ୟବସ୍ଥାବଳୀ ପରସ୍ପର ପ୍ରତି ପରିପୂରକ ଅଟେ – ଜି.ଏଚ.ଆୟାର ବନାମ୍ ରାଜ୍ୟ ସରକାର – (୧୯୯୭) ୧୩ ଓସିଆର୍ – ୬୩୦ । ଦଫା ୧୩୮, ଦଫା ୧୪୬ ସହିତ ପଢାଯିବ - ସାକ୍ଷୀ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ କିମ୍ବା ବିଷୟ ଉପରେ ସ୍ଵୀକାରୋକ୍ତିର ଚିହ୍ନଟ କଲେ ନାହିଁ - ପ୍ରତିପକ୍ଷ ମଧ୍ୟ ସେହି ପ୍ରସଙ୍ଗରେ ତାଙ୍କ ଜେରା କଲେ ନାହିଁ - ପ୍ରତିପକ୍ଷ କିମ୍ବା ନ୍ୟାୟାଳୟ ସେପରି ତଥ୍ୟ କିମ୍ବା ବିଷୟ ଉପରେ ଭରସା କରିପାରିବେ ନାହିଁ ? ଗଙ୍ଗାଭବାନୀ ବନାମ୍ ରାୟପତି ଭେଙ୍କଟ ରେଡୀ ଏବଂ ଅନ୍ୟମାନେ (୨୦୦୩) ୫୬. ଓସିଆର୍ (ଏସ୍.ସି) ୬୫୫ । ଅଧିକ ଜେରା : ସାକ୍ଷୀର ପୁନଃ ପରୀକ୍ଷା ପରିସର – ଜମାନବନ୍ଦୀ ଏବଂ ଜେରାରେ ପ୍ରଦାନ କରାଯାଇଥିବା ବିବରଣୀ ମଧ୍ୟରେ ପ୍ରଭେଦତା ଏବଂ ଅସାମଞ୍ଜସ୍ୟତା – ପୁନଃ ପରୀକ୍ଷା ଆବଶ୍ୟକ ଥିଲା – ଯା ହେଉନା କାହିଁକି, ନ୍ୟାୟଳୟ ସତର୍କ ହେବା ଉଚିତ୍ ଯେ, କେବଳ ଉପାଦେୟ ପ୍ରଶ୍ନ , ଯାହାକି ଉକତ ବିବରଣୀକୁ ସ୍ପଷ୍ଟ କରିବା ନିମନ୍ତେ ଆବଶ୍ୟକ ଅଟେ , ତାହାହିଁ ପଚରାଯିବ - ଯଦି ଆବଶ୍ୟକ ହୁଏ , ଅଧିକ ଜେରା ଅନୁମୋଦନ କରାଯିବ – ଲଳିତ ମୋହନ ଗୀରି ଏବଂ ଅନ୍ୟମାନେ ବନାମ୍ ଲକ୍ଷ୍ମୀ ନାରାୟଣ ଗୁରୁ ଏବଂ ଅନ୍ୟମାନେ – ୧୯୯୬ (୨) ଓଏଲ୍ଆର୍ – ୪୩୫ ; ୧୯୯୭ (୧) ସିସିସି – ୧୨୭ (ଓଡିଶା) । କୌଣସି ଦଲିଲ୍ ଉପସ୍ଥାପନ କରିବା ନିମନ୍ତେ ଆହୁତ କୌଣସି ବ୍ୟକ୍ତିର ଜେରା – କୌଣସି ଦଲିଲ୍ ଉପସ୍ଥାପନ କରିବା ଆହୁତ କୌଣସି ବ୍ୟକ୍ତି, ଜଣେ ସାକ୍ଷୀ ହୁଏ ନାହିଁ କେବଳ ମାତ୍ର ଏହି କାରଣ ଯୋଗୁ ଯେ, ସେ ତାହା ଉପସ୍ଥାପନ କରେ , ଏବଂ ଯେ ପର୍ଯ୍ୟନ୍ତ ତାଙ୍କୁ ସାକ୍ଷୀଭାବେ ଆହ୍ଵାନ କରା ନ ଯାଇଛି , ତାଙ୍କୁ ଜେରା କରାଯାଇ ପାରିବ ନାହିଁ । ଚରିତ୍ର ପ୍ରତି ସାକ୍ଷୀମାନେ - ଚରିତ୍ର ପ୍ରତି ସାକ୍ଷୀଙ୍କୁ ଜେରା ଏବଂ ପୁନଃ ପରୀକ୍ଷା କରାଯାଇପାରେ । ମୁଖ୍ୟ ପ୍ରଶ୍ନ – ପ୍ରଶ୍ନ , ଯାହାକି ଉତ୍ତରକୁ ନିର୍ଦ୍ଦେଶ କରୁଥାଏ , ଏବଂ ଯାହାକି , ପ୍ରଶ୍ନ କରୁଥିବା ବ୍ୟକ୍ତି ପାଇବା ନିମନ୍ତେ ଆଶା କରନ୍ତି , ତାହା ଏକ ମୁଖ୍ୟ ପ୍ରଶ୍ନ ଅଟେ । କେତେବେଳେ ସେଗୁଡିକ ପଚରାଯିବ ନାହିଁ - ନ୍ୟାୟାଳୟଙ୍କ ଅନୁମତି ବ୍ୟତୀତ , ମୁଖ୍ୟ ପ୍ରଶ୍ନ ଯଦି , ବିପରୀତ ପକ୍ଷ ଦ୍ଵାରା ଆପତ୍ତି ଉଠାଯାଏ , ନିଶ୍ଚିତଭାବେ, ଜମାନବନ୍ଦୀରେ କିମ୍ବା ଜେରାରେ ପଚରାଯିବ ନାହିଁ । ସେହି ସମସ୍ତ ବିଷୟରେ ମୁଖ୍ୟ ପ୍ରଶ୍ନ ପଚାରିବା ନିମନ୍ତେ ନ୍ୟାୟାଳୟ ଅନୁମତି ଦେବେ , ଯେଉଁଗୁଡିକ ପ୍ରାଥମିକ ବିବାଦଶୂନ୍ୟ ଅଟେ , କିମ୍ବା ଯେଉଁଗୁଡିକ , ତାଙ୍କ ମତରେ ଆଗରୁ ବା ପୂର୍ବରୁ ପ୍ରମାଣିତ ହୋଇଛି । କେତେବେଳେ ସେଗୁଡିକ ପଚରାଯିବ - ମୁଖ୍ୟ ପ୍ରଶ୍ନଗୁଡିକ ଜେରାରେ ପଚରା ଯାଇପାରେ । ଲେଖାରେ ଥିବା ବିଷୟଗୁଡିକ ସଂବନ୍ଧରେ ସାକ୍ଷ୍ୟ - ପରୀକ୍ଷା ସମୟରେ କୌଣସି ସାକ୍ଷୀଙ୍କୁ ପଚରା ଯାଇପାରେ ଯେ, କୌଣସି ଚୁକ୍ତି , ମଞ୍ଜୁରୀ କିମ୍ବା ସମ୍ପତ୍ତିର ଅନ୍ୟ ହସ୍ତାନ୍ତରଣ ଯାହା ସଂବନ୍ଧରେ ସେ ପକ୍ଷ ପ୍ରଦାନ କରୁଛନ୍ତି , ତାହା , କୌଣସି ଦଲିଲ୍ ରେ ଧାରିତ ନୁହେଁ , ଏବଂ ଯଦି ସେ କୁହେ ଯେ, ଏହା ଧାରିତ , କିମ୍ବା ଯଦି ସେ କୌଣସି ଦଲିଲ୍ ର ବିଷୟବସ୍ତୁ ସଂବନ୍ଧରେ କୌଣସି ବିବରଣୀ ପ୍ରଦାନ କରିବାକୁ ଚାହାଁନ୍ତି , ଯାହାକି ନ୍ୟାୟାଳୟଙ୍କ ମତରେ ଉପସ୍ଥାପନ କରାଯିବା ଉଚିତ୍ , ବିପରୀତ ପକ୍ଷ ଏପରି ସାକ୍ଷ୍ୟ ପ୍ରଦାନ ଉପରେ ଆପତ୍ତି ଉଠାଇ ପାରନ୍ତି , ଯେ ପର୍ଯ୍ୟନ୍ତ ଏପରି ଦଲିଲ୍ ଉପସ୍ଥାପନ କରାଯାଇନାହିଁ , କିମ୍ବା ଯେପର୍ଯ୍ୟନ୍ତ ବିଷୟଗୁଡିକ ପ୍ରାମାଣ୍ୟ ନ ହୋଇଛି , ଯାହାକାୟ ସାକ୍ଷୀ ଆହ୍ଵାନ କରିଥିବା ପକ୍ଷଙ୍କ ଏ ସଂବନ୍ଧରେ ଗୌଣ ସାକ୍ଷ୍ୟ ପ୍ରଦାନ କରିବା ନିମନ୍ତେ ହକ୍ ଦାର କରିଥାଏ । ସ୍ପଷ୍ଟିକରଣ ଯଦି ଏପରି ବିବରଣୀ ଗୁଡିକ ଉପାଦେୟ ବିଷୟ ହୋଇଥାଏ, ତାହେଲେ ଦଲିଲ୍ ଗୁଡିକର ବିଷୟବସ୍ତୁ ସଂବନ୍ଧରେ ଅନ୍ୟ ବ୍ୟକ୍ତିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବିବରଣୀ ଗୁଡିକ ଉପରେ କୌଣସି ସାକ୍ଷୀ , ମୌଖିକ ସାକ୍ଷ୍ୟ ପ୍ରଦାନ କରିପାରିବେ । ଉଦାହରଣ ପ୍ରଶ୍ନ ହେଉଛି ଯେ, ‘କ’ ‘ଖ’ ଙ୍କୁ ଆକ୍ରମଣ କରିଥିଲେ କି ନାହିଁ । ‘ଗ’ ସାକ୍ଷ୍ୟ ପ୍ରଦାନ କରନ୍ତି ଯେ, ସେ ‘କ’ ‘ଘ’ ଙ୍କୁ କହୁଥିବାର ଶୁଣିଛନ୍ତି - ‘ଖ’ ମୋତେ ଚୋରୀ କରିଥିବା ଅଭିଯୋଗରେ ଏକ ପତ୍ର ଲେଖାଥିଲା ଏବଂ ମୁଁ ତାଙ୍କ ଉପରେ ପ୍ରତିଶୋଧନେବି । ଏହି ବିବରଣୀ ଉପାଦେୟ ଅଟେ , ଯେହେତୁ ଆକ୍ରମଣ ନିମନ୍ତେ ଏହା ‘କ’ର ଉଦ୍ଦେଶ୍ୟକୁ ଦର୍ଶାଏ ଏବଂ ଏ ସଂବନ୍ଧରେ ସାକ୍ଷ୍ୟ ପ୍ରଦାନ କରାଯାଇପାରେ ଯଦିଓ ପାତ୍ର ସଂବନ୍ଧରେ ଅନ୍ୟ କୌଣସି ସାକ୍ଷ୍ୟ ପ୍ରଦାନ କରାଯାଏ ନାହିଁ । ଲିଖିତ ଆକାରରେ ପୂର୍ବବିବରଣୀ ଗୁଡିକ ସଂବନ୍ଧରେ ଜେରା – ଏପରି ଲେଖାକୁ ତାଙ୍କୁ ନ ଦେଖାଇ କିମ୍ବା ପ୍ରମାଣିତ ନକରି , ପ୍ରଶ୍ନଗତ ବିଷୟ ଗୁଡିକ ପ୍ରତି ଉପାଦେୟ ହୋଇଥିବା ଏବଂ ତାଙ୍କ ଦ୍ଵାରା ଲେଖାଯାଇଥିବା କିମ୍ବା ଲିଖିତ ଭାବେ ଉଦ୍ଧାର କରାଯାଇଥିବା କୌଣୟସ ପୂର୍ବ ବିବରଣୀ ସଂବନ୍ଧରେ କୌଣସି ସାକ୍ଷୀଙ୍କୁ ଜେରା କରାଯାଇପାରେ, ମାତ୍ର ଯଦି ଲେଖାଦ୍ଵାରା ତାଙ୍କୁ ପ୍ରତିଦ୍ଵନ୍ଦିତ କରାଯିବା ଉଦ୍ଦେଶ୍ୟ ଥାଏ , ତାହେଲେ ଲେଖାକୁ ପ୍ରମାଣ କରିବା ପୂର୍ବରୁ , ତାଙ୍କର ତାଙ୍କର ଦୃଷ୍ଟି , ଲେଖାର ସେହି ଅଂଶ ଗୁଡିକ ପ୍ରତି ଆକର୍ଷଣ କରାଯିବ , ଯାହାକି ତାଙ୍କୁ ପ୍ରତିଦ୍ୱନ୍ଦିତା କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯିବ । ଟିପ୍ପଣୀ ବିରୋଧାତ୍ମକତାର ଉଦ୍ଦେଶ୍ୟ : ଅନୁସନ୍ଧାନ ସମୟରେ , ଫୌଜଦାରୀ କାର୍ଯ୍ୟବିଧି ଆଇନ ର ଦଫା ୧୬୧ ଅନୁଯାୟୀ , ବିବରଣୀକୁ ଲିପିବଦ୍ଧ କରାଯାଇଥିଲା – ଅନ୍ୟ କୌଣସି ବିଚାର ସମୟରେ ତାର ବିଶ୍ଵସନୀୟତାକୁ ଖଣ୍ଡନ କରିବା ନିମନ୍ତେ , ବିରୋଧାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରେ - ନିରଞ୍ଜନ ପାତ୍ର ଏବଂ ଅନ୍ୟମାନେ ବନାମ୍ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ , କଟକ ଏବଂ ଅନ୍ୟ ଜଣେ - ୨୦୦୦ କ୍ରିମିନାଲ ‘ଲ’ ଜର୍ଣ୍ଣାଲ – ୧୬୦୦ (ଓଡିଶା) । ଉପାଦେୟ ସାକ୍ଷ୍ୟ : - ନ୍ୟାୟାଳୟରେ ପ୍ରଦାନ କରାଯାଇଥିବା ସାକ୍ଷ୍ୟ ଭିତ୍ତିର ମୋକଦ୍ଦମା ସ୍ଥିର କରାଯିବ – ବିରୋଧାତ୍ମକ ଉଦ୍ଦେଶ୍ୟ ନିମନ୍ତେ , ପୂର୍ବ ବିବରଣୀକୁ ବ୍ୟବହାର କରାଯିବ – ପୂର୍ବ ବିବରଣୀକୁ , ଉପାଦେୟ ସାକ୍ଷ୍ୟଭାବେ ବ୍ୟବହାର କରାଯାଇପାରିବ ନାହିଁ – ଚିନ୍ତାମଣି ବନାମ୍ ତାମିଲନାଡୁ ରାଜ୍ୟ ସରକାର ଏବଂ ଅନ୍ୟମାନେ - (୧୯୯୭) ୧୨ ଓସିଆର୍ (ସୁପ୍ରିମକୋର୍ଟ) – ୩୭୨ । ରିଭିଜନର ପ୍ରଥମ ଥର ପାଇଁ ଉଦ୍ରେକ କରାଯାଇଥିବା ଯୁକ୍ତି, କେତେବେଳେ ଗ୍ରହଣୀୟ ହୁଏ ନାହିଁ - ଜେରା ଏହି ଯୁକ୍ତି ଯେ, ନ୍ୟାୟଳୟରେ ତଥ୍ୟ ପ୍ରଦାନକାରୀଙ୍କ ସାକ୍ଷ୍ୟ , ଏତଲାରେ ତାଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟ ଠାରୁ ପୃଥକ୍ ଅଟେ – ତଥ୍ୟ ପ୍ରଦାନକାରୀଙ୍କ ଦୃଷ୍ଟିକୁ , ଏତଲାରେ ପ୍ରଦାନ କରାଯାଇଥିବା ବିଷୟ ପ୍ରତି ବିଶେଷଭାବେ ଆକର୍ଷଣ କରାଯାଇନଥିଲା – ଦର୍ଶାଯାଇଥିଲା ଯେ, ଅଭିଯୁକ୍ତ ବିରୋଧ କିମ୍ବା ଦ୍ଵନ୍ଦ ସଂବନ୍ଧରେ କୌଣସି ନିର୍ଦ୍ଧିଷ୍ଟ ପ୍ରଶ୍ନ ସାକ୍ଷୀଙ୍କୁ ପ୍ରଶ୍ନ ସାକ୍ଷୀଙ୍କୁ ପଚାରିବାର ଅନୁପସ୍ଥିତିରେ , ରିଭିଜନ୍ ରେ ପ୍ରଥମ ଥର ନିମନ୍ତେ ଉଦ୍ରେକ କରାଯାଇଥିବା ଯୁକ୍ତିକୁ ଗ୍ରହଣ କରାଯିବ ନାହିଁ – ଶଙ୍କରୀ ଆଲ୍ ଶର୍ମା ବନାମ୍ ରାଜ୍ୟ ସରକାର – (୧୯୯୭) ୧୩ ଓସିଆର୍ – ୩୫୯ । ସାକ୍ଷୀର ଦୃଷ୍ଟି ଆକର୍ଷଣ କରିବା : କୌଣସି ସାକ୍ଷୀର ବିଶ୍ଵାସ ଭଙ୍ଗ କରିବା ପଦ୍ଧତି ଆଲୋଚିତ ହୋଇଛି – ଦଫା ୧୪୫ର ଦୁଇଟି ଅଂଶ ମଧ୍ୟରେ ଥିବା ପ୍ରଭେଦକୁ ଆଲୋଚନା କରାଯାଇଛି – ତାର ପୂର୍ବ ବିବରଣୀର ସେହି ସମସ୍ତ ଅଂଶ ପ୍ରତି , ସାକ୍ଷୀର ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ ଅଟେ , ଯାହାକି ତାକୁ ବିରୋଧ କରିବା କିମ୍ବା ଦ୍ୱନ୍ଦିତ କରିବା ନିମନ୍ତେ ବ୍ୟବହାର କରାଯିବ - ବିନୟ କୁମାର ସିଂହ ଏବଂ ଅନ୍ୟମାନେ ବନାମ୍ ବିହାର ରାଜ୍ୟ ସରକାର ଏବଂ ଅନ୍ୟମାନେ – (୧୯୯୭) ୧୨ ଓସିଆର୍ (ସୁପ୍ରିମକୋର୍ଟ) – ୩୭୪ । ଜେରାରେ ବୈଧ ପ୍ରଶ୍ନ ଯେତେବେଳେ କୌଣସି ସାକ୍ଷୀକୁ ଜେରା କରାଯାଏ , ସେତେବେଳେ ସେ , ଏତତ୍ ପୂର୍ବରୁ ଉଲ୍ଲେଖିତ ପ୍ରଶ୍ନଗୁଡିକ ସହିତ, ଯେ କୌଣସି ପ୍ରଶ୍ନ ପଚାରିବେ , ଯାହାକି - ତାଙ୍କର ସତ୍ୟତାକୁ ପରୀକ୍ଷା କରିବ । ସେ କିଏ ଏବଂ ଜୀବନରେ ତାଙ୍କର ସ୍ଥିତି କଣ , ତାହା ଆବିଷ୍କାର କରିବା । ତାଙ୍କର ଚରିତ୍ର ଉପରେ ଆଘାତ କରି ତାଙ୍କର ବିଶ୍ଵସନୀୟତାକୁ ଦୋହଲାଇବା । ଯଦିଓ ଏପରି ପ୍ରଶ୍ନର ଉତ୍ତର ପ୍ରତ୍ୟକ୍ଷ ଭାବେ କିମ୍ବା ପରୋକ୍ଷ ଭାବେ ତାଙ୍କୁ ଦୋଷମୁକ୍ତ କରିପାରେ କିମ୍ବା କୌଣସି ଜୋରିମାନା କିମ୍ବା ବ୍ୟାଜ୍ୟାପ୍ତି ନିମନ୍ତେ ପ୍ରତ୍ୟକ୍ଷ ଭାବେ କିମ୍ବା ପରୋକ୍ଷ ଭାବେ ତାଙ୍କୁ ଉନ୍ମୋଚିତ କରିଥାଏ । ଦଫା ୧୪୬ ର ସଂଶୋଧନ – ସାକ୍ଷ୍ୟବିଧି ଆଇନର ଦଫା ୧୪୬ରେ ପ୍ରତିବନ୍ଧ ନିମନ୍ତେ, ନିମ୍ନଲିଖିତ ପ୍ରତିବନ୍ଧକୂ ପରିବର୍ତ୍ତନ କରାଯିବ , ଯଥା : - “ଉଲ୍ଲେଖ ଥାଉ ଯେ , ଭାରତୀୟ ଦଣ୍ଡବିଧି ସଂହିତା (୪୫/୧୮୬୦)ର ଦଫା ୩୭୬, ଦଫା ୩୭୬ ‘କ’ , ଦଫା ୩୭୬ ‘ଖ’ , ଦଫା ୩୭୬ ‘ଗ’ ଦଫା ୩୭୬ ‘ଘ’ କିମ୍ବା ଦଫା ୩୭୬ ‘ଙ’ ଅନୁଯାୟୀ କୌଣସି ଅପରାଧ ନିମନ୍ତେ , କୌଣସି ମୋକଦ୍ଦମାରେ କିମ୍ବା ଏପରି କୌଣସି ଅପରାଧ ସଂଗଠନ କରିବା ଚେଷ୍ଟା ନିମନ୍ତେ ଯେଉଁ ସ୍ଥଳରେ ସମ୍ମତିର ପ୍ରଶ୍ନ ଏକ ବିଷୟ ହୋଇଥାଏ , ସେପରି ସ୍ଥଳେ ଏପରି ସମ୍ମତିକୁ କିମ୍ବା ଏପରି ସମ୍ମତିର ଗୁଣକୁ ପ୍ରମାଣିତ କରିବା ନିମନ୍ତେ , କୌଣସି ବ୍ୟକ୍ତି ସହିତ ଏପରି ଉତ୍ପିଡ଼ିତାର ପୂର୍ବ ଯୌନ ଅଭିଜ୍ଞତା କିମ୍ବା ଉତ୍ପିଡ଼ିତାର ସାଧାରଣ ଅନୈତିକ ଚରିତ୍ର ସଂବନ୍ଧରେ ଜେରା ପ୍ରଶ୍ନ କରିବା କିମ୍ବା ସାକ୍ଷ୍ୟ ପ୍ରଦାନ କରିବା , ଅନୁମୋଦନୀୟ ହେବ ନାହିଁ । କେତେବେଳେ ସାକ୍ଷୀଙ୍କୁ ଉତ୍ତର ଦେବା ନିମନ୍ତେ ବାଧ୍ୟ କରାଯିବ – ଯଦି ଏପରି କୌଣସି ପ୍ରଶ୍ନ କୌଣସି ବିଷୟ ସହିତ ସଂପୃକ୍ତ ଥାଏ, ଯାହାକି ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ ପ୍ରତି ଉପାଦେୟ ହୋଇଥାଏ , ସେପରିସ୍ଥଳେ ଦଫା ୧୩୨ର ବ୍ୟବସ୍ଥାବଳୀ ପ୍ରୟୋଗନୀୟ ହେବ । ନ୍ୟାୟଳୟ ସ୍ଥିର କରିବେ ଯେ, କେତେବେଳେ ପ୍ରଶ୍ନ ପଚରାଯିବ ଏବଂ କେତେବେଳେ ସାକ୍ଷୀଙ୍କୁ ଉତ୍ତର ପ୍ରଦାନ କରିବା ନିମନ୍ତେ ବାଧ୍ୟ କରାଯିବ - ଯଦି ଏପରି କୌଣସି ପ୍ରଶ୍ନ କୌଣସି ଏକ ବିଷୟ ସହିତ ସଂପୃକ୍ତ ଥାଏ ଯାହାକି ସାକ୍ଷୀଙ୍କର ଚରିତ୍ରକୁ ଆଘାତ କରି ତାଙ୍କର ବିଶ୍ଵସନୀୟତାକୁ ପ୍ରଭାବିତ ବ୍ୟତୀତ , ମୋକଦ୍ଦମା କିମ୍ବା କାର୍ଯ୍ୟାନୁଷ୍ଠାନ ପ୍ରତି ଉପାଦେୟ ହୋଇ ନଥାଏ , ସେପରି ସ୍ଥଳେ , ନ୍ୟାୟାଳୟ ସ୍ଥିର କରିବେ ଯେ, ସାକ୍ଷୀଙ୍କୁ ଏହାର ଉତ୍ତର ପ୍ରଦାନ କରିବା ନିମନ୍ତେ ବାଧ୍ୟ କରାଯିବ କି ନାହିଁ , ଏବଂ ଯଦି ସେ ଉପଯୁକ୍ତ ମନେ କରନ୍ତି , ସାକ୍ଷୀଙ୍କୁ ସତର୍କ କରାଇ ଦେଇ ପାରନ୍ତି ଯେ, ସେ ଏହାର ଉତ୍ତର ପ୍ରଦାନ କରିବା ନିମନ୍ତେ ବାଧ୍ୟ ନୁହନ୍ତି , ତାଙ୍କର ବିବେକ ପରିଚାଳନା କରିବାରେ , ନ୍ୟାୟାଳୟ , ନିମ୍ନଲିଖିତ ବିଷୟକୁ ବିଚାରକୁ ନେବେ – ଏପରି ପ୍ରଶ୍ନ ଗୁଡିକ ଉପଯୁକ୍ତ ହେବ , ଯଦି ସେଗୁଡିକ ଏପରି ପ୍ରକୃତିର ହୋଇଥାଏ ଯେ , ସେଗୁଡିକ ଦ୍ଵାରା ପ୍ରଦାନ କରାଯାଇଥିବା ଆରୋପ , ସେହି ବିଷୟ, ଯାହା ଉପରେ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କରନ୍ତି , ତାଙ୍କର ବିଶ୍ଵସନୀୟତା ଉପରେ ନ୍ୟାୟାଳୟଙ୍କର ମତକୁ ଗୁରୁତର ଭାବେ ପ୍ରଭାବିତ କରିବ : ଏପରି ପ୍ରଶ୍ନଗୁଡିକ ଅନୁପଯୁକ୍ତ ହୋଇଥାଏ ଯଦି ସେଗୁଡିକ ପ୍ରଦାନ କରୁଥିବା ଆରୋପ , କୌଣସି ବିଷୟ ସହିତ ସଂପୃକ୍ତ ଥାଏ, ଯାହାକି ସମୟାନୁଯାୟୀ ଅତି ପୁରାତନ ଅଟେ କିମ୍ବା ଏପରି କୌଣସି ପ୍ରକୃତିର ଯେ, ଆରୋପର ସତ୍ୟତା , ଯେଉଁ ବିଷୟ ଉପରେ ସାକ୍ଷୀ ପ୍ରଦାନ କରନ୍ତି , ତାଙ୍କ ବିଶ୍ଵସନୀୟତା ସଂବନ୍ଧରେ ନ୍ୟାୟାଳୟଙ୍କର ମତକୁ ପ୍ରଭାବିତ କରିବ ନାହିଁ କିମ୍ବା ଅତି ଅଳ୍ପ ପରିମାଣରେ ପ୍ରଭାବିତ କରିବ ; ଏପରି ପ୍ରଶ୍ନଗୁଡିକ ଅନୁପଯୁକ୍ତ ହୋଇଥାଏ ଯଦି ସାକ୍ଷୀଙ୍କର ଚରିତ୍ର ସଂବନ୍ଧରେ କରାଯାଇଥିବା ଆରୋପ ଗୁରୁତ୍ଵ ଏବଂ ତାଙ୍କର ସାକ୍ଷ୍ୟର ଗୁରୁତ୍ଵ ମଧ୍ୟରେ ଅତି ପାର୍ଥକ୍ୟ ବା ଅସାମଞ୍ଜସ୍ୟତା ଥାଏ ; ନ୍ୟାୟାଳୟ , ଯଦି ଉପଯୁକ୍ତ ମନେକରନ୍ତି , ଉତ୍ତର ପ୍ରଦାନ କରିବା ନିମନ୍ତେ ସାକ୍ଷୀର ପ୍ରତ୍ୟାଖ୍ୟାନରୁ , ଏହି ଉଲ୍ଲେଖ ଗ୍ରହଣ କରିପାରିବେ ଯେ ଯଦି ଉତ୍ତର ପ୍ରଦାନ କରାଯାଏ , ତାହା ଅନୁକୂଳ ହେବ ନାହିଁ । ଯଥାଯଥ କାରଣ ବିନା , ପ୍ରଶ୍ନ ପଚରାଯିବ ନାହିଁ ଏପରି କୌଣସି ପ୍ରଶ୍ନ , ଯାହାକି ଦଫା ୧୪୮ରେ ଉଲ୍ଲେଖ କରାଯାଇଛି , ପଚରା ଯିବା ଉଚିତ ନୁହେଁ , ଯଦି ଏହା ପଚରାଯାଉଥିବା ବ୍ୟକ୍ତିର ଚିନ୍ତା କରିବ ନିମନ୍ତେ ଯଥାଯଥ କାରଣ ନଥାଏ ଯେ, ଯେଉଁ ଆରୋପ ଏହା ପ୍ରଦାନ କରୁଛି ତାର ଭିତ୍ତି ଦୃଢ । ଉଦାହରଣ କୌଣସି ଆଟର୍ଣ୍ଣି କିମ୍ବା ଓକିଲ ଦ୍ଵାରା କୌଣସି ବାରିଷ୍ଟର ନିର୍ଦ୍ଦେଶିତ ହୋଇଥିଲେ ଯେ, କୌଣସି ଗୁରୁତ୍ଵପୂର୍ଣ୍ଣ ସାକ୍ଷୀ ଜଣେ ଡକାୟତ ଅଟନ୍ତି । ଏହା ଏକ ଯୁକ୍ତିଯୁକ୍ତ କାରଣ ଅଟେ ସାକ୍ଷୀକୁ ପଚାରିବା ନିମନ୍ତେ ଯେ, ସେ ଜଣେ ଡକାୟତ ଅଟନ୍ତି କି ନାହିଁ । ନ୍ୟାୟାଳୟରେ କୌଣସି ବ୍ୟକ୍ତିଙ୍କ ଦ୍ଵାରା କୌଣସି ଓକିଲଙ୍କୁ ସୂଚୀତ କରାଯାଇଥିଲା ଯେ, ଜଣେ ଗୁରୁତ୍ଵପୂର୍ଣ୍ଣ ସାକ୍ଷୀ ଏକ ଡକାୟତ ଅଟେ । ଏହି ସଂବାଦ ଦାତାକୁ ଓକିଲଙ୍କ ଦ୍ଵାରା ପ୍ରଶ୍ନ ପଚରାଯିବାରେ ସେ ତାଙ୍କ ବିବରଣୀର ଉପଯୁକ୍ତ କାରଣ ଦର୍ଶାନ୍ତି । ଏହା ଏକ ଯଥାଯଥ କାରଣ ଅଟେ ସାକ୍ଷୀଙ୍କୁ ପଚାରିବା ନିମନ୍ତେ ଯେ ସେ ଜଣେ ଡକାୟତ କି ନୁହେଁ । କୌଣସି ସାକ୍ଷୀ , ଯାହାଙ୍କୁ କିଛି ହେଲେ ଜଣାନାହିଁ , ତାଙ୍କୁ ଆଖିବୁଜି ପଚରା ଯାଇଥିଲା ଯେ, ସେ ଜଣେ ଡକାୟତ କି ନୁହଁନ୍ତି – ଏଠାରେ , ଏପରି ପ୍ରଶ୍ନ ନିମନ୍ତେ କୌଣସି ଯଥାଯଥ କାରଣ ନାହିଁ । କୌଣସି ସାକ୍ଷୀ , ଯାହାଙ୍କ ସଂବନ୍ଧରେ କିଛି ହେଲେ ଜଣାନାହିଁ , ତାକୁ ତାଙ୍କର ଜୀବନଧାରା ଏବଂ ଜୀବିକା ସଂବନ୍ଧରେ ପ୍ରଶ୍ନ ପଚରାଯିବାରୁ , ସେ ଅସନ୍ତୋଷଜନକ ଉତ୍ତର ପ୍ରଦାନ କରିଥିଲେ , ଏପରିସ୍ଥଳେ ସେ ଜଣେ ଡକାୟତ କି ନୁହେଁ , ତାହା ପଚାରିବା ଏକ ଯଥାଯଥ କାରଣ ହୋଇପାରେ । ଯଥାଯଥ କାରଣ ଯେ, କମ୍ ପ୍ରଶ୍ନ ପଚାରିବା କ୍ଷେତ୍ରରେ ନ୍ୟାୟାଳୟରେ ପଦ୍ଧତି - ଯଦି ନ୍ୟାୟଳୟ ଏହି ମତ ଘୋଷଣା କରନ୍ତି , ଯେ , ଏପରି କୌଣସି ପ୍ରଶ୍ନ ଯଥାଯଥ କାରଣ ବିନା ପଚରା ଯାଇଛି , ତାହେଲେ ସେ ଯଦି ଏପରି ପ୍ରଶ୍ନ କୌଣସି ବାରିଷ୍ଟର , ପ୍ଲିଡର , ଓକିଲ କିମ୍ବା ଆଟର୍ଣ୍ଣିଙ୍କ ଦ୍ଵାରା ପଚରା ଯାଇଥାଏ , ତାର ପରିସ୍ଥିତିକୁ ଉଚ୍ଚ ନ୍ୟାୟାଳୟଙ୍କୁ କିମ୍ବା ଅନ୍ୟ ଅଧିକାରୀଙ୍କୁ ସୂଚୀତ କରିବେ , ଯେଉଁଥିପ୍ରତି ଏପରି ବାରିଷ୍ଟର , ପ୍ଲିଡର , ଓକିଲ କିମ୍ବା ଆଟର୍ଣ୍ଣିଙ୍କ ତାଙ୍କର ବୃତ୍ତି ପରିଚାଳନା କରିବାରେ ନିୟନ୍ତ୍ରଣାଧିନ ଅଟନ୍ତି । ଅଶ୍ଳୀଳ ଏବଂ କୁତ୍ସାଜନକ ପ୍ରଶ୍ନ - ନ୍ୟାୟାଳୟ ଏପରି କୌଣସି ପ୍ରଶ୍ନ ପଚାରିବାକୁ ବାଧା ଦେଇ ପାରନ୍ତି , ଯାହାକୁ ସେ ଅଶ୍ଳୀଳ କିମ୍ବା କୁତ୍ସାଜନକ ବୋଲି ବିବେଚନା କରନ୍ତି , ଯଦିଓ ଏପରି ପ୍ରଶ୍ନ ନ୍ୟାୟାଳୟ ସମ୍ମୁଖରେ ଥିବା ପ୍ରଶ୍ନଗୁଡିକ ଉପରେ ପ୍ରଭାବ ପକାଏ ଯଦି ସେଗୁଡିକ ପ୍ରଶ୍ନଗତ ବିଷୟ ଗୁଡିକ ସହିତ ସଂପୃକ୍ତ ନଥାଏ କିମ୍ବା ସେହି ସମସ୍ତ ବିଷୟ ସହିତ ସଂପୃକ୍ତ ନଥାଏ , ତାହା ଜାଣିବା ଆବଶ୍ୟକ ,ଏହା ସ୍ଥିର କରିବା ନିମନ୍ତେ ଯେ, ପ୍ରଶ୍ନଗତ ବିଷୟ ଗୁଡିକ ବିଦ୍ୟମାନ କି ନୁହେଁ । ଅପମାନ କିମ୍ବା ବିରକ୍ତ କରିବା ନିମନ୍ତେ ଉଦ୍ଦେଶିତ ପ୍ରଶ୍ନଗୁଡିକ ନ୍ୟାୟାଳୟ କୌଣସି ପ୍ରଶ୍ନକୁ ପ୍ରତିବନ୍ଧକ କରିବେ , ଯାହା କି ଅପମାନିତ କିମ୍ବା ବିରକ୍ତି କରିବା ନିମନ୍ତେ ଉଦ୍ଦେଶିତ ବୋଲି ତାଙ୍କୁ ପ୍ରତୀତ ହୁଏ , କିମ୍ବା ଯାହାକି , ଯଦିଓ ଉପଯୁକ୍ତ ହୋଇଥାଏ , ତାହା ଆବଶ୍ୟକ ମତେ ଅପମାନ ଜନକ ବୋଲି ତାଙ୍କୁ ପ୍ରତୀୟମାନ ହୁଏ । ପ୍ରଶ୍ନଗୁଡିକର ଉତ୍ତରକୁ ଖଣ୍ଡନ କରିବା ନିମନ୍ତେ ସାକ୍ଷ୍ୟର ବହିର୍ଭୂତି କାରଣ ସତ୍ୟତା ପରୀକ୍ଷା କରିବା ନିମନ୍ତେ ପଚରାଯାଇଥିବା ପ୍ରଶ୍ନଗୁଡିକର ଉତ୍ତରକୁ ଖଣ୍ଡନ କରିବା ନିମନ୍ତେ ସାକ୍ଷ୍ୟର ବହିର୍ଭୂତି କରଣ - ଯେତେବେଳେ କୌଣସି ସାକ୍ଷୀକୁ ପଚରା ଯାଇଥାଏ ଏବଂ ସେ କୌଣସି ପ୍ରଶ୍ନର ଉତ୍ତର ଦେଇଥାନ୍ତି ଯାହାକି ଏପରି ଅନୁସନ୍ଧାନ ସହିତ ଉପାଦେୟ ଅଟେ , କେବଳମାତ୍ର ସେହି ପର୍ଯ୍ୟନ୍ତ ଯେପରି ଏହା ତାଙ୍କର ଚରିତ୍ରକୁ ଆଘାତ କରି ତାଙ୍କର ବିଶ୍ଵସନୀୟତା ଉପରେ ଆଞ୍ଚ ଆଣିଥାଏ, ସେପରି ସ୍ଥଳେ ତାଙ୍କୁ ବିରୋଧ କରିବା ନିମନ୍ତେ , କୌଣସି ସାକ୍ଷ୍ୟ ପ୍ରଦାନ କରାଯିବ ନାହିଁ , ମାତ୍ର ଯଦି ସେ ମିଥ୍ୟା ଉତ୍ତର ଦେଇଥାଆନ୍ତି , ତାହେଲେ ତାଙ୍କୁ ମିଥ୍ୟା ସାକ୍ଷ୍ୟ ପ୍ରଦାନ କରିବା ଅଭିଯୋଗରେ ଅଭିଯୁକ୍ତ କରାଯିବ । ବ୍ୟତିକ୍ରମ – ୧ – ଯଦି କୌଣସି ସାକ୍ଷୀଙ୍କୁ ପଚରାଯାଏ ଯେ, ସେ କୌଣସି ଅପରାଧରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କି ନାହିଁ ଏବଂ ସେ ମନା କରନ୍ତି , ସେପରି ସ୍ଥଳେ ତାଙ୍କର ପୂର୍ବ ଦୋଷୀ ସାବ୍ୟସ୍ତତା ସଂବନ୍ଧରେ ଶକହୟ ପ୍ରଦାନ କରାଯାଇପାରେ । ବ୍ୟତିକ୍ରମ – ୨ – ଯଦି ତାଙ୍କର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇବା ଉଦ୍ଦେଶ୍ୟରେ , କୌଣସି ସାକ୍ଷୀଙ୍କୁ କୌଣସି ପ୍ରଶ୍ନ ପଚରା ଯାଇଥାଏ , ଏବଂ ସେ , ତାଙ୍କୁ ନିର୍ଦ୍ଦେଶିତ ବିଷୟକୁ ପ୍ରତ୍ୟାଖ୍ୟାନ କରି ଉତ୍ତର ପ୍ରଦାନ କରନ୍ତି , ସେପରି ସ୍ଥଳେ ତାଙ୍କୁ ବିରୋଧ କରାଯାଇପାରେ । ଉଦାହରଣ କୌଣସି ସାକ୍ଷୀଙ୍କୁ ପଚରାଯାଇଥିଲା ଯେ, ସେ ଅସାଧୁତା କାରଣ ଯୋଗୁ କୌଣସି ସ୍ଥିତିରୁ ବରଖାସ୍ତ ହୋଇଛନ୍ତି କି ନାହିଁ । ସେ , ଏହା ପ୍ରତ୍ୟାଖ୍ୟାନ କରନ୍ତି । ଏହା ଦର୍ଶାଇବା ନିମନ୍ତେ ସାକ୍ଷ୍ୟ ପ୍ରଦାନ କରାଯାଇଥିଲା ଯେ, ସେ ଅସାଧୁତା ଯୋଗୁ , ବରଖାସ୍ତ ହୋଇଥିଲେ , ଏପରି ସାକ୍ଷ୍ୟ ଗ୍ରହଣୀୟ ନୁହେଁ । ‘କ’ ଙ୍କୁ ପଚରାଯାଇଥିଲା ଯେ, ତାଙ୍କର ପରିବାରର ‘ଖ’ ଙ୍କ ପରିବାର ସହିତ ଗୁରୁତର ଝଗଡା ହୋଇଥିଲା କି ନାହିଁ , ଯାହାଙ୍କ ବିରୁଦ୍ଧରେ ସେ ସାକ୍ଷ୍ୟ ପ୍ରଦାନ କରୁଅଛନ୍ତି । ସେ ଏହା ମନା କରନ୍ତି । ତାଙ୍କୁ ବିରୋଧ କରାଯାଇପାରେ ଏହି କାରଣ ଉପରେ ଯେ, ତାଙ୍କର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇବା ନିମନ୍ତେ ପ୍ରଶ୍ନଟି ଉଦ୍ଦେଶିତ ଅଟେ । ‘କ’ ଦୃଢୀକରଣ କରେ ଯେ, କୌଣସି ନିର୍ଦ୍ଧିଷ୍ଟ ଦିନ ସେ ‘ଖ’ କୁ ଲାହୋରରେ ଦେଖିଥିଲା । ‘କ’ କୁ ପଚରା ଯାଇଥିଲା ଯେ, ସେ ନିଜେ ଉକ୍ତ ଦିନ କଲିକତାରେ ଥିଲା କି ନାହିଁ । ସେ ଏହା ମନା କରିଥିଲା ଏହା ଦର୍ଶାଇବା ନିମନ୍ତେ ସାକ୍ଷ୍ୟ ପ୍ରଦାନ କରାଯାଇଥିଲା ଯେ, ‘କ’ ସେହିଦିନ କଲିକତାରେ ଥିଲା । ଏହି ସାକ୍ଷ୍ୟ ଗ୍ରହଣୀୟ ଅଟେ , କେବଳ ଏକ ବିଷୟ ଉପରେ ‘କ’ କୁ ବିରୋଧ କରିବା ନିମନ୍ତେ ନୁହେଁ , ଯାହାକି ତାର ବିଶ୍ଵସନୀୟତାକୁ ପ୍ରଭାବିତ କରେ , ମାତ୍ର ଅଭିଯୁକ୍ତ ବିଷୟକୁ ବିରୋଧ କରିବା ନିମନ୍ତେ ଯେ, ପ୍ରଶ୍ନିତ ଦିନ , ‘ଖ’ ଲାହୋରରେ ଦେଖାଯାଇଥିଲା । ଏପରି ପ୍ରତ୍ୟକ ଢାଞ୍ଚାରେ , ଯଦି ସାକ୍ଷୀର ପ୍ରତ୍ୟାଖ୍ୟାନ ମିଥ୍ୟା ହୋଇଥାଏ , ତାହେଲେ ସେ ମିଥ୍ୟା ସାକ୍ଷ୍ୟ ପ୍ରଦାନରେ ଅଭିଯୁକ୍ତ ହୋଇପାରେ । ‘କ’ କୁ ପଚରା ଯାଇଥିଲା ଯେ, ‘ଖ’ର ପରିବାର ସହିତ ତା ପରିବାରର ଏକ ତିକ୍ତ ଗଣ୍ଡଗୋଳ ହୋଇଥିଲା କି ନାହିଁ , ଯାହାଙ୍କ ବିରୁଦ୍ଧରେ ସେ ମିଥ୍ୟା ସାକ୍ଷ୍ୟ ପ୍ରଦାନ କରୁଛି । ସେ ଏହା ପ୍ରତ୍ୟାଖ୍ୟାନ କରେ । ତାକୁ ଏହି କାରଣ ଉପରେ ବିରୋଧ କରାଯାଇପାରେ ଯେ, ଏପରି ପ୍ରଶ୍ନ ତାର ନିରପେକ୍ଷତାକୁ ଖଣ୍ଡନ କରିବା ନିମନ୍ତେ ଉଦ୍ଦେଶିତ ଅଟେ । ଆଧାର – ଦ ଲ ହାଉସ