ଝିଅମାନଙ୍କର ସମ୍ପତ୍ତିର ଅଧିକାର ଜଣେ ପୁରୁଷ ହିନ୍ଦୁ ମଲାବେଳେ ନିଜର ସ୍ଵଉପାର୍ଜିତ ସମ୍ପତ୍ତି ଓ ତାଙ୍କ ପିତୃ ପୈତୃକ ସମ୍ପତ୍ତି ଛାଡି ଥାଇପାରନ୍ତି। ତାଙ୍କ ସ୍ଵ-ଉପାର୍ଜିତ ସମ୍ପତ୍ତିରୁ ସେହି ବ୍ୟକ୍ତିଙ୍କର ପୁଅ, ଝିଅ,ସ୍ତ୍ରୀ ଓ ମା ସମସ୍ତେ ସମାନ ଅଂଶ ପାଆନ୍ତି । ପିତୃ ପୈତୃକ (ଆନ୍ସେଷ୍ଟ୍ରାଲ୍) ସମ୍ପତ୍ତିରୁ ଝିଅମାନେ ସେମାନଙ୍କ ଭାଇମାନଙ୍କ ସହିତ ସମାନ ଭାଗ ପାଉନଥିଲେ। ବ୍ୟକ୍ତି ଜଣକ ମୃତ୍ୟୁ ପୂର୍ବରୁ ଏକ କାଳ୍ପନିକ ଭାଗ ବଣ୍ଟନ କରାଯାଉଥିଲା । ସେଥିରେ ବ୍ୟକ୍ତି ଜଣକ ୧ ଭାଗ, ପ୍ରତ୍ୟେକ ପୁଅ ୧ ଭାଗ, ବ୍ୟକ୍ତିଙ୍କର ସ୍ତ୍ରୀ ଥିଲେ ସେ ୧ ଭାଗ ଓ ତାଙ୍କର ମାତା ଥିଲେ ତାଙ୍କର ୧ ଭାଗ ଏଭଳି ବଣ୍ଟନ ହେଉଥିଲା। ଏଣୁ ପିତୃ ପୈତୃକ ସମ୍ପତ୍ତିରେ ବ୍ୟକ୍ତି ସମ୍ପୂର୍ଣ୍ଣ ମାଲିକ ନ ରହି ଉପରୋକ୍ତ ମତେ ଗୋଟିଏ ଅଂଶ ପାଉଥିଲେ । ତାଙ୍କ ମୃତ୍ୟୁ ପରେ ସେହି ଅଂଶକୁ ତାଙ୍କର ପୁଅ, ଝିଅ, ସ୍ତ୍ରୀ ଓ ମାତା ସମସ୍ତେ ସମାନ ଅଂଶରେ ବାଣ୍ଟି ନେଉଥିଲେ । ଏ ଦୃଷ୍ଟିର ଦେଖିଲେ ଝିଅମାନଙ୍କ ତାଙ୍କ ଭାଇମାନଙ୍କଠାରୁ ପିତୃ ପୈତୃକ ସମ୍ପତ୍ତି ଉପରେ କମ୍ ଭାଗ ପାଉଥିଲେ । (କାରଣ ଉପରୋକ୍ତ କାଳ୍ପନିକ ଭାଗ ବଣ୍ଟନ ବେଳେ ପୁଅମାନେ ଭାଗ ପାଇବା ବେଳେ ଝିଅମାନେ କିଛି ପାଉନଥିଲେ) ହିନ୍ଦୁ ଉତ୍ତରାଧିକାରୀ ସଂଶୋଧିତ ଆଇନ୍ ୨୦୦୫ ଯାହାକି ୦୯.୦୯.୨୦୦୫ରୁ କାର୍ଯ୍ୟକାରୀ ହେଲା, ଏହାଦ୍ୱାରା ଉପରୋକ୍ତ କାଳ୍ପନିକ ଭାଗ ଉଠିଗଲା । ପୁଅ ଓ ଝିଅ ସମାନ ଅଂଶୀଦାର ହୋଇଗଲେ । ଏଣୁ ଯେଉଁ କ୍ଷେତ୍ରରେ ପିତାମାନେ ୦୯.୦୯.୨୦୦୫ ତା ପରେ ମୃତ୍ୟୁବରଣ କରୁଛନ୍ତି, ସେଭଳି କେଶ୍ ରେ ଝିଅମାନେ ସେମାନଙ୍କର ଭାଇମାନଙ୍କ ପରି ପିତୃପୈତୃକ ସମ୍ପତ୍ତିରୁ ସମାନ ଅଂଶ ପାଇବେ । ପୁନଶ୍ଚ ବର୍ତ୍ତମାନ ଝିଅମାନେ ସେମାନଙ୍କ ଭାଇମାନଙ୍କ ପରି ବାପାଙ୍କ ଠାରୁ ବାପାଙ୍କ ଜୀବିତ ଅବସ୍ଥାରେ ପିତୃପୈତୃକ ସମ୍ପତ୍ତିରୁ ଭାଗ ମାଗି ପାରିବେ । ସ୍ତ୍ରୀ କିନ୍ତୁ ସ୍ଵାମୀଙ୍କ ଜୀବିକା ଅବସ୍ଥାରେ ସ୍ଵାମୀଙ୍କ ଠାରୁ ତାଙ୍କର କୌଣସି ସମ୍ପତ୍ତି ଉପରେ ଭାଗ ଦାବି କରିପାରିବେ ନାହିଁ । ନାବାଳକମାନଙ୍କର ଅଭିଭାବକ ଆମ ଦେଶରେ ପ୍ରଚଳିତ ନିୟମ ଅନୁଯାୟୀ ପ୍ରତ୍ୟେକ ନାବାଳକ ଓ ନାବାଳିକାମାନଙ୍କର ଶରୀର ଓ ସମ୍ପତ୍ତି ରକ୍ଷା ପାଇଁ ଅଭିଭାବକ (ଗାର୍ଡିଆନ୍) ରହିବା ଆବଶ୍ୟକ । ଏଥି ନିମିତ ଗାର୍ଡିଆନ୍ ଓ ୱାର୍ଡ ନିୟମ ୧୮୯୦ ଅଛି । ଏହି ନିୟମ ଅନୁଯାୟୀ ପିଲାମାନଙ୍କ କଷ୍ଟୋଡି, ତାଙ୍କ ସମ୍ପତ୍ତି ଦେଖାରଖା, ବିକ୍ରିବଟା, ବିବାହ ଆଦି କାର୍ଯ୍ୟରେ ମତଦାନ ଓ ସେମାନଙ୍କ ଶରୀର ସୁରକ୍ଷା ପାଇଁ ବ୍ୟବସ୍ଥା ଅଛି । ଏହି ନିୟମ ସବୁ ଭାରତୀୟମାନଙ୍କୁ ପ୍ରଯୁଜ୍ୟ । ଏହାଛଡା ହିନ୍ଦୁ ନାବାଳକ ଓ ଅଭିଭାବକ ନିୟମ ୧୯୫୬ ମଧ୍ୟ ହିନ୍ଦୁମାନଙ୍କ ପାଇଁ କେତେକ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି ଯଥା-ପିଲାଟିର ବାପା ମା ଥିଲେ ବାପା ଗାର୍ଡିଆନ୍ ହୁଅନ୍ତି । ବାପା ଯଦି ପାଗଳ, ଧର୍ମତ୍ୟାଗୀ କିମ୍ବା ସଂସାର ତ୍ୟାଗୀ ହୋଇଥାନ୍ତି ସେଭଳି କ୍ଷେତ୍ରରେ ପିଲା ଜୀବିତ ଥିଲେ ମଧ୍ୟ ମାତା ପିଲାର ଗାର୍ଡିଆନ୍ ହୋଇପାରିବେ । ପିଲା ୱିଲ୍ ଦ୍ଵାରା ମଧ୍ୟ ଗାର୍ଡିଆନ୍ ନିଯୁକ୍ତ କରିପାରିବେ । ପିତାଙ୍କ ମୃତ୍ୟୁ ପୂର୍ବରୁ ଯଦି ମାତାଙ୍କ ମୃତ୍ୟୁ ହୋଇସାରିଥାଏ, ତେବେ ଗାର୍ଡିଆନ୍ ଉଇଲ୍ ମୁତାବକ ହେବ । ପିତା ୱିଲ୍ ଦ୍ଵାରା ଗାର୍ଡିଆନ୍ ନିଯୁକ୍ତି କରି ଯଦି ମାତାଙ୍କ ଠାରୁ ଆଗରୁ ମୃତ୍ୟୁବରଣ କରନ୍ତି ତେବେ ୱିଲ୍ ଅକାମୀ ହୋଇଯିବ ଓ ମାତା ଗାର୍ଡିଆନ୍ ହୋଇଯିବେ । ହିନ୍ଦୁ ଝିଅମାନେ ନାବାଳିକା ଅବସ୍ଥାରେ ବାହା ହେଲେ ସ୍ଵାମୀ ତାଙ୍କର ଗାର୍ଡିଆନ୍ ହେବେ । ଅବୈଧ ସମ୍ପତ୍ତିର ପ୍ରଥମ ଗାର୍ଡିଆନ୍ ମାତା ହୁଅନ୍ତି ଓ ମାତାଙ୍କ ଅନ୍ତେ ପିତା ହୁଅନ୍ତି। ଆବଶ୍ୟକସ୍ଥଳେ ନାବାଳିକା ଓ ନାବାଳକମାନଙ୍କର ଗାର୍ଡିଆନ୍ ନିଯୁକ୍ତି କୋର୍ଟ କରିଥାଆନ୍ତି । ଏହି ଗାର୍ଡିଆନ୍ ମାନେ ପିଲାମାନଙ୍କର ସମ୍ପତ୍ତି କୋର୍ଟଙ୍କ ବିନା ପରାମର୍ଶରେ ବିକ୍ରି କରିପାରିବେ ନାହିଁ । ବାପା ମାଆ କଳହ କରି ଅଲଗା ରହି ଛୋଟ ପିଲାଙ୍କୁ କଷ୍ଟୋଡ଼ିରେ ନେବାକୁ ଚାହିଁଲେ କୋର୍ଟ ସାଧାରଣତଃ ୫ ବର୍ଷ ବୟସ୍କ ଶିଶୁମାନଙ୍କୁ ମାତାଙ୍କ ହସ୍ତରେ ଅର୍ପଣ କରିଥାନ୍ତି । ହିନ୍ଦୁ ସଂଯୁକ୍ତ ପରିବାରର ସମ୍ପତ୍ତି ପାଇଁ ଯଦି କର୍ତ୍ତା ଥାଆନ୍ତି ଓ ବାଳୁତମାନଙ୍କର ପିତାମାତା ଥିଲେ ମଧ୍ୟ ସେ କ୍ଷେତ୍ରରେ ସେହି ସମ୍ପତ୍ତି ପାଇଁ କର୍ତ୍ତା ଗାର୍ଡିଆନ୍ ରହିବେ । କେବଳ ହାଇକୋର୍ଟ ଚାହିଁଲେ କର୍ତ୍ତାଙ୍କୁ ବଦଳାଇ ଦେଇ ଅନ୍ୟ ଗାର୍ଡିଆନ୍ ନିଯୁକ୍ତ କରିବେ । ଆବଶ୍ୟକ ସ୍ଥଳେ ପିତାମାତା ଆଦି ବାଳୁତମାନଙ୍କର ସ୍ଵାର୍ଥ ହାନି ଘଟାଉଥିଲେ ଓ ସେଭଳି ପ୍ରମାଣ ଆସିଲେ କୋର୍ଟ ଗାର୍ଡିଆନ୍ ନିଯୁକ୍ତି କରିପାରନ୍ତି । ପୋଷ୍ୟପୁତ୍ର ସମ୍ପର୍କିତ କେତେକ ଜରୁରୀ ଆଇନ୍ ପୋଷ୍ୟପୁତ୍ର ସଂପର୍କରେ ସିଭିଲ୍ ଆଇନ୍ ର ତୃତୀୟ ବିଭାଗରେ ଶିଶୁମାନଙ୍କ ସମ୍ପର୍କରେ ପୃଷ୍ଠା ୫୩ରେ ଉଲ୍ଲେଖ କରାଯାଇଅଛି । ହିନ୍ଦୁମାନେ କିପରି ପୋଷ୍ୟପୁତ୍ର ଓ ପୋଷ୍ୟ କନ୍ୟା ଗ୍ରହଣ କରିବେ ତାହା ସେଠାରେ ଉଲ୍ଲେଖ ହୋଇଅଛି । ଅନ୍ୟ ଧର୍ମାବଲମ୍ବୀ ଭାରତୀୟମାନେ ପୋଷ୍ୟ ସନ୍ତାନ କରିବା ବ୍ୟବସ୍ଥା ଆଇନ୍ ରେ ନାହିଁ; ମାତ୍ର ମାନ୍ୟବର ସୁପ୍ରିମ୍ କୋର୍ଟ, ଲକ୍ଷ୍ମୀକାନ୍ତ ପାଣ୍ଡେ-ବନାମ-ଭାରତ ସରକାର (୧୯୮୪) ୨ ଏସ୍ସିସିରେ କିପରି ପ୍ରତ୍ୟେକ ଭାରତୀୟ ଏପରିକି ବିଦେଶୀମାନେ ମଧ୍ୟ ଭାରତୀୟ ଶିଶୁମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିପାରିବେ ତାହାର ନିୟମାବାଳୀ ଉଲ୍ଲେଖ କରିଛନ୍ତି । ଏଣୁ ଏହି ରାୟ ବଳରେ ବର୍ତ୍ତମାନ ସବୁ ଜାତିର ଲୋକ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ । ଏହାଛଡା ଜୁଭେନାଇଲ୍ ଜଷ୍ଟିସ୍ (ବାଳୁତମାନଙ୍କର ଯତ୍ନ ଓ ସୁରକ୍ଷା ) ଆଇନ୍, ୨୦୦୦ ଧାରା ୪୧ ଅନୁଯାୟୀ ଯେଉଁ ପିତୃ ମାତୃହୀନ ପିଲା, ପରିତ୍ୟକ୍ତ ପିଲା କିମ୍ବା ଅବହେଳିତ ପିଲାମାନେ ଉପରୋକ୍ତ ଆଇନ୍ ବଳରେ ଚିଲ୍ଡ୍ରେନ୍ ହୋମ୍ କିମ୍ବା ସ୍ପେଶାଲ୍ ହୋମ୍ ରେ ରହୁଥିବେ,ସେଭଳି ପିଲାଙ୍କୁ ମଧ୍ୟ ସରକାରଙ୍କ ଦ୍ଵାରା ଗଠିତ ବୋର୍ଡର ସଦସ୍ୟମାନେ ମଞ୍ଜୁର କଲେ ପୋଷ୍ୟ ସନ୍ତାନ ହିସାବରେ ଚାହୁଁଥିବା ବ୍ୟକ୍ତିଙ୍କୁ ଦେଇପାରିବେ । ଯେଉଁ ବ୍ୟକ୍ତିମାନଙ୍କର ସନ୍ତାନ ସନ୍ତତି ଅଛନ୍ତି ସେମାନେ ଚାହିଁଲେ ମଧ୍ୟ ଉପରୋକ୍ତ ପିଲାମାନଙ୍କୁ ପୋଷ୍ୟ ସନ୍ତାନ ହିସାବରେ ଗ୍ରହଣ କରିପାରିବେ । ଆଧାର – ଓଡିଶା ଲ ହାଉସ