ମହିଳାମାନଙ୍କ ସମ୍ପର୍କରେ ପ୍ରଚଳିତ କଡା ଆଇନ୍ ପୂର୍ବ ପ୍ରଚଳିତ ଆଇନ୍ ଅନୁଯାୟୀ କେବଳ ଯୌନ କ୍ରିୟା ଦ୍ଵାରା ଧର୍ଷଣ (ରେପ୍) ସମ୍ଭବ ହେଉଥିଲେ, ମାତ୍ର ୦୩.୦୨.୨୦୧୩ ରୁ ଧର୍ଷଣ ଆଇନ୍ କୁ ସଂଶୋଧନ କରିବା ଦ୍ଵାରା ନିମ୍ନ କର୍ମମାନ ଧର୍ଷଣରେ ପରିଗଣିତ ହେବ । ଧାରା -୩୭୫ ଯଥା ମହିଳାଙ୍କ ଯୌନାଙ୍ଗରେ, ମୁଖରେ ପରିସ୍ରା ନିର୍ଗତ ଦ୍ଵାରରେ କିମ୍ବା ମଳ ଦ୍ଵାରରେ ପୁରୁଷ ତାଙ୍କର ଯୌନାଙ୍ଗ ଭର୍ତ୍ତି କଲେ କିମ୍ବା ମହିଳାଙ୍କୁ ଅନ୍ୟ କୌଣସି ପୁରୁଷ ସହ ଉପରୋକ୍ତ ମତେ କର୍ମଗତ ହେବାକୁ କହିଲେ । ମହିଳାଙ୍କୁ ତାଙ୍କର ନିଜର ଶାରୀରିକ ଅଙ୍ଗ ଉପରୋକ୍ତ ସ୍ଥାନରେ ଭର୍ତ୍ତି କରିବାକୁ ବାଧ୍ୟ କରି ଜବରଦସ୍ତି କରିଦେଲେ । ମହିଳାଙ୍କ ଉପରୋକ୍ତ ଅଙ୍ଗମାନଙ୍କରେ ଚୁମ୍ବନ ପ୍ରଦାନ କଲେ କିମ୍ବା ତାଙ୍କୁ ଏପରି କରିବାକୁ ବାଧ୍ୟ କଲେ – ଉପରୋକ୍ତ କର୍ମମାନ ଧର୍ଷଣ ହେବ, ଯଦି ଏହା ମହିଳାଙ୍କର ଇଚ୍ଛା ବିରୁଦ୍ଧରେ କିମ୍ବା ତାଙ୍କୁ ଡରାଇ କିମ୍ବା ତାଙ୍କୁ ଠକି ତାଙ୍କର ମତ ନିଆଯାଇଥାଏ । ମହିଳାଙ୍କ ସହିତ ଅଯଥା ସଂସ୍ପର୍ଶରେ ଆସିଲେ ତାଙ୍କୁ ପ୍ରେମ ନିବେଦନ କଲେ, ତାଙ୍କୁ ନଗ୍ନ ଫଟୋ ଦେଖାଇଲେ, ତାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେଲେ- ଏହା ଦଣ୍ଡନୀୟ ଅପରାଧ ଅଟେ । (IPC ଧାରା 354-A) ମହିଳାମାନଙ୍କୁ ଅଜ୍ଞାତରେ କିମ୍ବା ବିନା ଅନୁମତିରେ ତାଙ୍କର ଫଟୋ ଉଠାଇଲେ (IPC ଧାରା 354-C) ମହିଳାଙ୍କ ପଛେ ପଛେ ବିନା କାରଣରେ ଅନୁଗମନ କଲେ ଓ ମହିଳା ଜଣଙ୍କ ଏଥିରେ ବିରକ୍ତି ପ୍ରକାଶ କରୁଥିଲେ, ଏହା ଦଣ୍ଡନୀୟ ହେବ ।(IPC ଧାରା – 354-D) ମହିଳାମାନେ ଆଇନ୍ ରେ ପାଉଥିବା କେତେକ ସ୍ଵତନ୍ତ୍ର ସୁବିଧା ସିଭିଲ୍ ମହିଳାମାନେ କୌଣସି ମୋକଦ୍ଦମା କଲେ ସେମାନଙ୍କୁ କୋର୍ଟ ଫିସ୍ ଦେବାକୁ ପଡେ ନାହିଁ । ଓଡିଶା ସରକାର ଆଇନ୍ କରି ମହିଳାମାନଙ୍କୁ କୋର୍ଟ ଫିସ୍ ଦେବାକୁ ଛାଡ କରିଛନ୍ତି । ଯଦି ଜଣେ ହିନ୍ଦୁ ମହିଳାଙ୍କର ବିବାହ ଜନିତ ଗଣ୍ଡଗୋଳ ଉପୁଜେ ଓ ସେ କେଶ୍ କରିବାକୁ ଚାହାଁନ୍ତି, ତେବେ ସେ ଭାରତ ବର୍ଷର ଯେଉଁଠାରେ ରହୁଥିବେ ସେଠିକାର ସ୍ଥାନୀୟ କୋର୍ଟରେ କେଶ୍ ଟି କରିପାରିବେ । ଯଦି ପରଦା ନାସିନ୍ ମହିଳା ହୋଇଥାଆନ୍ତି, ତେବେ ସିଭିଲ୍ କେଶ୍ ସ୍ଥଳ ବିଶେଷରେ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜିର ହେବାରୁ ରକ୍ଷା ପାଆନ୍ତି । ମହିଳାମାନଙ୍କ ନାମରେ ଟଙ୍କା ପାଇଁ ଡିଗ୍ରୀ ଜାରି ହେଉଥିଲେ – ତାଙ୍କ ଠାରେ ଟଙ୍କା ନ ମିଳିଲେ ତାକୁ ଆରେଷ୍ଟ କରାଯାଇପାରିବ ନାହିଁ । ମହିଳାମାନେ ସାକ୍ଷୀ ଦେଉଥିଲେ ସେ ବେଶ୍ୟାବୃତ୍ତି କରନ୍ତି ବୋଲି ତାଙ୍କୁ ପଚରା ଯିବ ନାହିଁ । ପରଦାସିନ ମହିଳାମାନେ କୌଣସି ଦଲିଲ୍ କରିଦେଇ –ତାହା ଅସ୍ଵୀକାର କଲେ ତାଙ୍କୁ କଥା ଆପାତତଃ ସତ୍ୟ ବୋଲି ଧରାଯିବ ଓ ଯାହାଙ୍କ ସପକ୍ଷରେ ଦଲିଲ୍ ଅଛି ତାଙ୍କୁ ପ୍ରମାଣ କରିବାକୁ ହେବ ଯେ ମହିଳା ଜଣଙ୍କ ବୁଝି ସୁଝି ଦଲିଲ୍ ଟି କରିଥିଲେ । କ୍ରିମିନାଲ୍ ମହିଳାମାନେ ହତ୍ୟା ଓ ଡକାୟତି ଆଦି ଗୁରୁତ୍ଵର ଅପରାଧ କଲେ ମଧ୍ୟ ଜାମିନ୍ ବିଚାର ବେଳେ କୋହଳ ଭାବେ ଗ୍ରହଣ କରି ସେମାନଙ୍କୁ ମାଜିଷ୍ଟ୍ରେଟ୍ ମାନେ ଜାମିନ୍ ଦେବାର ବ୍ୟବସ୍ଥା ଅଛି । (ଧାରା ୪୩୭ ସିଆରପିସି) ମହିଳା କୌଣସି କେଶ୍ ସଂକ୍ରାନ୍ତରେ ପୋଲିସ୍ ଦ୍ଵାରା ପଚରାଉଚରା ହେବା ଦରକାର ହେଲେ, ତାଙ୍କୁ ଥାନା କିମ୍ବା ଅନ୍ୟତ୍ର ଡକାଯାଇ ପାରିବ ନାହିଁ । ପୋଲିସ୍ ତାଙ୍କ ଘରକୁ ଆସି ପଚରା ଉଚରା କରିବେ । (ଧାରା ୧୬ ସିଆରପିସି)-ଜୋରଜବରଦସ୍ତ ମହିଳାଙ୍କୁ ଏଥିପାଇଁ ଥାନାକୁ ନେଲେ ପୋଲିସ୍( I.P.C. ର ଧାରା ୧୬୭(କ) ଦ୍ଵାରା ଦଣ୍ଡିତ ହେବ । ସୂର୍ଯ୍ୟାସ୍ତ ପରେ ସୂର୍ଯ୍ୟୋଦୟ ପୂର୍ବରୁ ମହିଳା ରହୁଥିବା ସ୍ଥାନକୁ ଖାନ୍ତଲାସ୍ କରାଯିବ ନାହିଁ । ମହିଳାଙ୍କ ଶରୀର ସର୍ଚ୍ଚ କଲାବେଳେ ମହିଳା ପୋଲିସ୍ ଦ୍ଵାରା ପୁରୁଷଙ୍କ ଅନୁପସ୍ଥିତିରେ ସର୍ଚ୍ଚ କରାଯିବ । ମହିଳା ମୁଦାଲାଙ୍କୁ ସାଧାରଣତଃ ମହିଳା ପୋଲିସ୍ ଗିରଫ କରିବେ । ମହିଳାଙ୍କୁ ଡାକ୍ତରୀ ମାଇନା କରିବାକୁ ପଡିଲେ ତାଙ୍କ ମତ ନେଇ ମହିଳା ଡାକ୍ତର ଦ୍ଵାରା ଡାକ୍ତରୀ ମାଇନା କରାଯିବ । ଆଡ଼ଲଟ୍ରି କେଶ୍ ରେ (ବିବାହିତ ମହିଳା ସ୍ଵାମୀ ବ୍ୟତୀତ ଅନ୍ୟ ସହ ସହବାସ କରିବା ) ମହିଳାମାନେ ସହଯୋଗୀ ବା ପ୍ରବର୍ତ୍ତକ ଥିଲେ ମଧ୍ୟ ଦୋଷୀ ହୁଅନ୍ତି ନାହିଁ । ଯୌତୁକ ନିରୋଧ ଆଇନ୍ କ’ଣ ? ବର୍ତ୍ତମାନ ଯୌତୁକ ଆମ ସମାଜର ଏକ କଳୁଷିତ ବ୍ୟାଧୀ ରୂପେ ଦେଖାଯାଇଛି । ଯୌତୁକ ପାଇଁ ପ୍ରତିଦିନ କୌଣସି ନା କୌଣସି ଠାରେ ବଧୂ ହତ୍ୟା, ବଧୂ ନିର୍ଯ୍ୟାତନା ଓ ଅନ୍ୟାନ୍ୟ ଅପରାଧି ଘଟିବାରେ ଲାଗିଛି । ଏହି ବ୍ୟାଧିକୁ ବାଧା ଦେବାପାଇଁ “ଯୌତୁକ ନିରୋଧ ଆଇନ, ୧୯୬୧” ପ୍ରଚାଳନ କରାଯାଇଛି । କିନ୍ତୁ ଅଧିକାଂଶସ୍ଥଳେ କନ୍ୟାପକ୍ଷ ଏହି ଆଇନ୍ ର ସୁଯୋଗ ନେଉଥିବାରୁ ଯୌତୁକ ଜନିତ ଅପରାଧ ବଢିବାରେ ଲାଗିଛି । ବିବାହ ପୂର୍ବରୁ କିମ୍ବା ପରେ ବରପକ୍ଷର ଦାବୀ ଅନୁସାରେ କୌଣସି ସ୍ଥାବର କିମ୍ବା ଅସ୍ଥାବର ସମ୍ପତ୍ତି କିମ୍ବା ମୂଲ୍ୟବାନ ବସ୍ତୁ ଦେବାପାଇଁ କନ୍ୟାପକ୍ଷର ସ୍ଵୀକୃତୀକୁ ଯୌତୁକ କୁହାଯାଏ । ବିବାହ ବେଳେ କନ୍ୟାକୁ ସ୍ଵେଚ୍ଛାକୃତ ଭାବେ ଦିଆଯାଉଥିବା ସ୍ଥାବର କିମ୍ବା ଅସ୍ଥାବର କିମ୍ବା ମୂଲ୍ୟବାନ ବସ୍ତୁକୁ ଉପହାର କୁହାଯାଏ । ଏହା ଅପରାଧ ନୁହେଁ । ଯୌତୁକ ଦାବୀ କରିବା, ଯୌତୁକ ଦେବା କିମ୍ବା ଯୌତୁକ ଦେବାନେବାରେ ମଧ୍ୟସ୍ଥତା କରିବା ଆଇନ୍ ଅନୁସାରେ ଅପରାଧ ଅଟେ । ଏଥିପାଇଁ ସର୍ବାଧିକ ୫ ବର୍ଷ ଜେଲ ଓ ଜୋରିମାନା ଦଣ୍ଡ ବ୍ୟବସ୍ଥା କରାଯାଇଛି । ଯୌତୁକ ଦାବୀ ପୂରଣ ହୋଇନଥିବାରୁ ସ୍ତ୍ରୀକୁ ଯୌନ ସମ୍ପର୍କରୁ ବଞ୍ଚିତ କଲେ ଏକ ବର୍ଷ ଜେଲ ଦଣ୍ଡ ସହିତ ଜୋରିମାନା ଦେବାର ବ୍ୟବସ୍ଥା ଅଛି । ଯୌତୁକ ଦାବୀ କରିବା ଏକ ନୃଂଶସତା ଆଚରଣ । ଏଥିପାଇଁ ଯେ କୌଣସି ସ୍ତ୍ରୀ ଚାହିଁଲେ ଛାଡପତ୍ର ଆବେଦନ କରିପାରିବେ । କୌଣସି ବିବାହିତା ମହିଳାଙ୍କର ବିବାହର ସାତ ବର୍ଷ ମଧ୍ୟରେ ଅସ୍ଵାଭାବିକ ମୃତ୍ୟୁ ହେଲେ, ବିବାହ ଦିନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ପ୍ରତି ଶାରୀରିକ କିମ୍ବା ମାନସିକ ନିର୍ଯ୍ୟାତନା କରାଯାଉଥିବା ଚିଠି ପତ୍ର କିମ୍ବା ମୌଖିକ ସାକ୍ଷ୍ୟଥିଲେ ଏହାକୁ ଯୌତୁକଜନିତ ହତ୍ୟା ବୋଲି ଗ୍ରହଣ କରାଯିବ । ଆଧାର – ଓଡିଶା ଆଇନ ସମୀକ୍ଷା ଏମ.ଏମ. ପବ୍ଲିକେସନ