ଓଜନ ଓ ମାପ ସମ୍ବନ୍ଧୀୟ ଆଇନ୍ ଗତ ସୁରକ୍ଷା ବ୍ୟବସ୍ଥା କ’ଣ ? ଭାରତୀୟ ଦଣ୍ଡବିଧି ଆଇନ୍ ର ୨୬୪ରୁ ୨୬୭ ଦଫାରେ ଓଜନ ଓ ମାପ ସମ୍ବନ୍ଧୀୟ ଅପରାଧ ପାଇଁ ଦଣ୍ଡ ବ୍ୟବସ୍ଥା କରି ସର୍ବସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି । ଏହି ଦଫା ଅନୁସାରେ ନିମ୍ନୋକ୍ତ କାରଣଗୁଡିକ ଅପରାଧ ଅଟେ । ଓଜନରେ ଠକିବା ଉଦ୍ଦେଶ୍ୟରେ କୌଣସି ନକଲି ତରାଜୁ ବ୍ୟବହାର କରିବା । ଓଜନ ଓ ମାପ ଉପକରଣକୁ ଚଞ୍ଚକତା କରି କମ୍ ବା ବେଶି କରିବା । ନକଲି ତରାଜୁ ଜାଣିଶୁଣି ନିଜ ପାଖରେ ରଖିବା । ନକଲି ତରାଜୁ ବା ମାପ ତିଆରିକରିବା ଓ ବିକିବା । ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା, ସୁବିଧା, ସୌନ୍ଦର୍ଯ୍ୟ ଓ ନୈତିକତାର ସୁରକ୍ଷା ପାଇଁ ଆଇନ୍ ଗତ ବ୍ୟବସ୍ଥା କ’ଣ ? ଭାରତୀୟ ଦଣ୍ଡବିଧି ଆଇନ୍ ର ୧୬୮ ଠାରୁ ୨୯୪ (କ) ଦଫା ମଧ୍ୟରେ ନାଗରିକଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା, ସୁବିଧା ସୌନ୍ଦର୍ଯ୍ୟ ଓ ନୈତିକତାର ଅବକ୍ଷୟଜନୀତି ଅପରାଧ ପାଇଁ ଦଣ୍ଡ ବ୍ୟବସ୍ଥା କରାଯାଇ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି । ସେଭଳି ଅପରାଧୀମାନଙ୍କ ପାଇଁ ଜେଲ ଓ ଜୋରିମାନା ଦଣ୍ଡ ବ୍ୟବସ୍ଥା ରହିଛି । ସେଭଳି ଅପରାଧମୂଳକ କାର୍ଯ୍ୟଗୁଡିକ ହେଉଛି । ସର୍ବସାଧାରଣ ପାଇଁ ବିରକ୍ତିକର କାର୍ଯ୍ୟ କରିବା । ଜୀବନ ପ୍ରତି ବିପଦପୂର୍ଣ୍ଣ ରୋଗର ସଂକ୍ରମଣ ହେବାଭଳି ଅସାବଧାନ ଓ ଅନିଷ୍ଟକାରି କାର୍ଯ୍ୟ କରିବା । (ଏହା ଏକ ପୋଲିସ୍ ଧର୍ତ୍ତବ୍ୟ ଅପରାଧ ) । ରୋଗନିରୋଧୀ ନିୟମକୁ ଅବଜ୍ଞା ପ୍ରଦର୍ଶନ କରିବା । ବିକ୍ରୀ ଉଦ୍ଦେଶ୍ୟରେ ଥିବା ଖାଦ୍ୟ କିମ୍ବା ପାନୀୟକୁ ଭେଜାଲ କରିବା । ଅନିଷ୍ଟକର ଖାଦ୍ୟ ବା ପାନୀୟ ବିକ୍ରୀ କରିବା । ଔଷଧକୁ ଭେଜାଲ କରିବା । ଭେଜାଲ ଔଷଧ ବିକ୍ରୀ କରିବା । ସର୍ବସାଧାରଣ ଝରଣା କିମ୍ବା ଜଳାଶୟର ଜଳକୁ ଅଶୁଦ୍ଧ କରିବା (ଏହା ଏକ ପୋଲିସ୍ ଧର୍ତ୍ତବ୍ୟ ଅପରାଧ) । ବାୟୁମଣ୍ଡଳକୁ ସ୍ୱାସ୍ଥ୍ୟ ଅନୁପଯୋଗୀ କରିବା । ସର୍ବସାଧାରଣ ରାସ୍ତାରେ ବେପରୁଆ ଭାବେ ଗାଡି ଚାଳନା କିମ୍ବା ଅଶ୍ଵାରୋହଣ କରିବା । (ଏହା ଏକ ପୋଲିସ୍ ଧର୍ତ୍ତବ୍ୟ ଅପରାଧ) । ନିରାପତ୍ତାବିହୀନ କିମ୍ବା ଅତ୍ୟଧିକ ବୋଝାଇକରି ନୌକା ଆଦିରେ ଭଡାରେ ଲୋକ ପାର କରିବା । (ଏହା ଏକ ପୋଲିସ୍ ଧର୍ତ୍ତବ୍ୟ ଅପରାଧ) । ସର୍ବସାଧାରଣ ରାସ୍ତା କିମ୍ବା ଜଳପଥରେ ବିପଦ କିମ୍ବା ବାଧା ସୃଷ୍ଟି କରିବା । ବିଷାକ୍ତ ଦ୍ରବ୍ୟର ବେପରବାୟ କାରବାର କରିବା । ବିସ୍ପୋରକ ଦ୍ରବ୍ୟର ବେପରବାୟ କାରବାର । ଯନ୍ତ୍ରପାତି ଦ୍ଵାରା ବେପରବାୟ କାରବାର । ଘର ଭଙ୍ଗା ବା ମରାମତିରେ ବେପରବାୟ କାରବାର । ପଶୁପାଳନ ସମ୍ପର୍କରେ ବେପରବାୟ କାରବାର । ବିରକ୍ତିକର କାର୍ଯ୍ୟ ବନ୍ଦ କରିବାକୁ ନିଷେଧାଜ୍ଞା ସତ୍ତ୍ୱେ ପୁନଶ୍ଚ ସେହିଭଳି କରିବା । ଅଶ୍ଳୀଳ ପୁସ୍ତକ ୨୦ ବର୍ଷରୁ କମ୍ ବୟସ୍କ ଲୋକଙ୍କୁ ବିକ୍ରୀ କରିବା । ଅଶ୍ଳୀଳ କାର୍ଯ୍ୟ କରିବା ଓ ଅଶ୍ଳୀଳ ରେଖା, ଗୀତ ଆଦି ଦ୍ଵାରା ସର୍ବସାଧାରଣଙ୍କ ଶ୍ରୁତିକଟୁ କରାଇବ । ସରକାରଙ୍କ ବିନା ଅନୁମତିରେ ଲଟେରୀ କାର୍ଯ୍ୟାଳୟ ରଖିବା । ସର୍ବସାଧାରଣଙ୍କ ଶାନ୍ତିଭଙ୍ଗ ସମ୍ବନ୍ଧୀୟ ଆଇନଗତ ବ୍ୟବସ୍ଥା କ’ଣ ? ଭାରତୀୟ ଦଣ୍ଡବିଧି ଆଇନ୍ ର ୧୪୧ ଠାରୁ ୧୬୦ ଦଫା ମଧ୍ୟରେ ସର୍ବସାଧାରଣ ଶାନ୍ତିଭଙ୍ଗ ହେଲେ ଦଣ୍ଡବିଧାନ ବ୍ୟବସ୍ଥା କରାଯାଇଛି । ଏହି ଦଫା ଅନୁସାରେ ନିମ୍ନଲିଖିତ କାରଣଗୁଡିକ ଅପରାଧ ଅଟେ । ୫ ଜଣରୁ ଉର୍ଦ୍ଧ୍ଵଲୋକ ମିଶି ବେଆଇନ କାର୍ଯ୍ୟ କରିବା । ବେଆଇନ୍ ଜନମତ ସହ ଜାଣିଶୁଣି ଯୋଗଦେବା । ମାରାତ୍ମକ ଅସ୍ତ୍ରଶସ୍ତ୍ର ସହ ବେଆଇନ୍ ଜନତାରେ ଯୋଗଦେବା । ୫ ଜଣରୁ ଉର୍ଦ୍ଧ୍ଵଲୋକ ସମାନ ଉଦ୍ଦେଶ୍ୟରଖି କୌଣସି ପ୍ରକାର ଦଙ୍ଗାଗୋଳ କରିବା । ମାରାତ୍ମକ ଅସ୍ତ୍ର ଧାରଣ କରି ଦଙ୍ଗାଗୋଳ କରିବା । ବେଆଇନ୍ ଜନତାରେ ଯୋଗଦେବା ପାଇଁ ଭଡାଟିଆ ଲୋକ ନିଯୁକ୍ତ କରିବା, ଠିକ୍ କରିବା କିମ୍ବା ପଠାଇବା । ଦଙ୍ଗାଗୋଳ ଦମନ କରିବାକୁ ଉଦ୍ୟମ କରିବାକୁ ସରକାରୀ କର୍ମଚାରୀଙ୍କୁ ବାଧାଦେବା କିମ୍ବା ଆକ୍ରମଣ କରିବା । ଦଙ୍ଗାଗୋଳ କରିବାକୁ ନିୟନ୍ତ୍ରଣ ବିହୀନ ଉତ୍ତେଜନ ସୃଷ୍ଟି କରିବା । ସାମ୍ପ୍ରଦାୟିକ ଶତ୍ରୁତାସୃଷ୍ଟି ଅଏକତା ବିରୁଦ୍ଧରେ କାର୍ଯ୍ୟ କରିବା । ଜାତୀୟ ସଂହତି ବିରୁଦ୍ଧରେ ମତାମତ ପ୍ରକାଶ କିମ୍ବା ନିନ୍ଦା କରିବା । ଦଙ୍ଗାଗୋଳ, ସୃଷ୍ଟିକାରୀ ବେଆଇନ୍ ଜନତାରେ ଭଡାଟିଆ ଭାବେ ଯୋଗଦେବା ଦୁଇ ଜଣ କିମ୍ବା ତା’ଠାରୁ ଅଧିକ ଲୋକ ସର୍ବସାଧାରଣ ସ୍ଥାନରେ ମାଡ଼ଗୋଳ କରିବା । ଧର୍ମ ସମ୍ବନ୍ଧୀୟ ଆଇନ୍ ଗତ ସୁରକ୍ଷା ବ୍ୟବସ୍ଥା କ’ଣ? ସମ୍ବିଧାନରେ ଜନସାଧାରଣଙ୍କୁ ସେମାନଙ୍କ ଧର୍ମ ଅଧିକାର ପ୍ରଦାନ କରାଯାଇ ଭାରତୀୟ ଦଣ୍ଡବିଧି ଆଇନ୍ ର ୨୯୫ ଠାରୁ ୨୯୮ ଦଫା ମଧ୍ୟରେ ଧର୍ମଗତ ଅପରାଧ ପାଇଁ ଦଣ୍ଡ ବ୍ୟବସ୍ଥା କରାଯାଇ ସୁରକ୍ଷା ପ୍ରଦାନ କରାଯାଇଛି । ଧରମଗା ଅପରାଧଗୁଡିକ ନିମ୍ନରେ ଦିଆଗଲା । କୌଣସି ସମ୍ପ୍ରଦାୟର ଧର୍ମକୁ ଅବମାନନା କରିବା ଉଦ୍ଦେଶ୍ୟରେ ସେମାନଙ୍କ ଧର୍ମପିଠକୁ ନଷ୍ଟ କିମ୍ବା ଅପବିତ୍ର କରିବା। କୌଣସି ସମ୍ପ୍ରଦାୟର ଧର୍ମ କିମ୍ବା ଧର୍ମବିଶ୍ଵାସକୁ ଜାଣିଶୁଣି ଇର୍ଷାମୂଳକ ଭାବେ ଅପମାନିତ କରିବା । ଧର୍ମ ଉପାସନାରେ ରତ ଥିବା ଜନତା ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି କରିବା, କୌଣସି ଲୋକ ଧର୍ମକୁ ଅବମାନନା କରି ଜାଣିଶୁଣି କୌଣସି ଶବ ପ୍ରତି ଅବମାନନା ଉଦ୍ଦେଶ୍ୟରେ ଶବସଂସ୍କାର ସମୟରେ ଗଣ୍ଡଗୋଳ କରିବା କିମ୍ବା ଶ୍ମଶାନ, ସମାଧିରେ ଅନଧିକାର ପ୍ରବେଶ କରିବା । କୌଣସି ଲୋକର କୌଣସି ଧର୍ମମନୋଭାବକୁ ଆଘାତ କରିବା ଉଦ୍ଦେଶ୍ୟରେ ଜାଣିଶୁଣି କୁଭାଷା ଆଦି ପ୍ରୟୋଗ କରିବା । ଶାରୀରିକ ସୁରକ୍ଷାପାଇଁ ଆଇନଗତ ବ୍ୟବସ୍ଥା ଭାରତୀୟ ଦଣ୍ଡବିଧି ଆଇନ୍ ର ୧୯୯ ଠାରୁ ୩୩୮ ଦଫା ମଧ୍ୟରେ ବିଭିନ୍ନ ପ୍ରକାର ଶାରୀରିକ ଆଘାତ ପାଇଁ ଦଣ୍ଡବିଧି ବ୍ୟବସ୍ଥା ରହିଛି । ଏହା ନାଗରିକମାନନକ ଜୀବନ ଓ ଶରୀରର ସୁରକ୍ଷା କରୁଛି । ଏହି ଦଫାଗୁଡିକ ଅନ୍ତର୍ଗତ ଅପରାଧମାନ ନିମ୍ନରେ ଦିଆଗଲା । କୌଣସି ଲୋକର ମୃତ୍ୟୁ ଘଟାଇବା ଉଦ୍ଦେଶ୍ୟରେ କିମ୍ବା ମୃତ୍ୟୁ ଘଟିବା ଭଳି ଶରୀରକୁ ଆଘାତ କରିବା ଉଦ୍ଦେଶ୍ୟରେ କିମ୍ବା ମୃତ୍ୟୁ ଘଟିବା ଭଳି କାର୍ଯ୍ୟ କରିବା ଜ୍ଞାନରେ ଯେଉଁ ଲୋକ କୌଣସି କାର୍ଯ୍ୟ କରେ ଏବଂ ଯାହାଦ୍ଵାରାକି ସେହି ଲୋକ ମୃତ୍ୟୁ ଘଟେ ସେହି ବ୍ୟକ୍ତି ଦଣ୍ଡ ଯୋଗ୍ୟ ନରହତ୍ୟା ଅପରାଧ କରେ । ଦଣ୍ଡ ବିଧି ଆଇନ୍ ର ୩୦୨ ଦଫା ଅନୁସାରେ ଅନ୍ୟକୁ ମାରିଦେବା ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟ କରିବା, କୌଣସି ବ୍ୟକ୍ତିକୁ ମାରିଦେବା ଉଦ୍ଦେଶ୍ୟରେ ତା’ପ୍ରତି କୌଣସି ମାରାତ୍ମକ ଅସ୍ତ୍ର ପ୍ରୟୋଗ କରିବା, ଏପରି ଆଘାତ କରିବା ଯାହା ଦ୍ଵାରା ମରିଯିବାର ସମ୍ଭାବନା ଥାଏ, ତେବେ ସେ ବ୍ୟକ୍ତି ଏହି ଦଫା ଅନୁସାରେ ଅପରାଧ କରେ । ଏହି ଅପରାଧ ପାଇଁ ପ୍ରାଣ ଦଣ୍ଡ କିମ୍ବା ଯାବଜ୍ଜୀବନ ଜେଲ ଦଣ୍ଡର ବ୍ୟବସ୍ଥା ଅଛି । ଦଣ୍ଡ ବିଧି ଆଇନ୍ ର ୩୦୪ ଦଫା ଅନୁସାରେ ଜୀବନରେ ମାରିଦେବା ଉଦ୍ଦେଶ୍ୟ ନଥାଇ କ୍ଷଣିକ ଉତ୍ତେଜନାରେ କୌଣସି ଅସ୍ତ୍ର ପ୍ରୟୋଗ ଦ୍ଵାରା କାହାରି ମୃତ୍ୟୁ ହେଲେ ଅପରାଧ ହୁଏ । ଏଥିପାଇଁ ଯାବଜ୍ଜୀବନ ଜେଲ କିମ୍ବା ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡ ଦେବାର ବ୍ୟବସ୍ଥା ଅଛି । ଦଣ୍ଡବିଧି ଆଇନ୍ ର ୩୦୪ (କ) ଦଫା ଅନୁସାରେ ଯଦି କୌଣସି ଲୋକ ଅସାବଧାନ ବଶତଃ ଓ ଅବହେଳା ହେତୁ କୌଣସି ଯାନବାହାନ କିମ୍ବା ଅସ୍ତ୍ରଦ୍ଵାରା କାହାରି ମୃତ୍ୟୁ ଘଟାଏ ତେବେ ଅପରାଧ ହୁଏ । ଏହି ଅପରାଧ ପାଇଁ ସର୍ବାଧିକ ୨ ବର୍ଷ ଜେଲ ଓ ଜୋରିମାନା ଦଣ୍ଡ ବ୍ୟବସ୍ଥା ରହିଛି । ଦଣ୍ଡ ବିଧି ଆଇନ୍ ର ୩୦୫ ଦଫା ଅନୁସାରେ କୌଣସି ନାବାଳକ କିମ୍ବା ପାଗଳ ଲୋକ ଆତ୍ମହତ୍ୟା କଲାବେଳେ ଜାଣିଶୁଣି ତା’କୁ ଆତ୍ମହତ୍ୟାରୁ ରକ୍ଷା କରିବା ପାଇଁ ଚେଷ୍ଟା ନକଲେ କିମ୍ବା ସାହାଯ୍ୟ କଲେ ଅପରାଧ ହୁଏ । ଏହି ଅପରାଧ ପାଇଁ ଯାବଜ୍ଜୀବନ ଜେଲ କିମ୍ବା ସର୍ବାଧିକ ୧୦ ବର୍ଷ ଜେଲ ଓ ଜୋରିମାନା ଦଣ୍ଡ ଦେବାର ବ୍ୟବସ୍ଥା ଅଛି । ଦଣ୍ଡବିଧି ଆଇନ୍ ର ୩୦୯ ଦଫା ଅନୁସାରେ ଯଦି କୌଣସି ଲୋକ ଆତ୍ମହତ୍ୟା କରିବାପାଇଁ ଚେଷ୍ଟା କରିଥାଏ କିନ୍ତୁ ସୌଭାଗ୍ୟ କ୍ରମେ ବଞ୍ଚିଯାଏ ତେବେ ଅପରାଧ ହୁଏ । ଏଥିପାଇଁ ସର୍ବାଧିକ ୧ ବର୍ଷ ଜେଲ ଓ ଜୋରିମାନା ଦଣ୍ଡ ବ୍ୟବସ୍ଥା ଅଛି । ଦଣ୍ଡବିଧି ଆଇନ୍ ର ୩୧୦ ଦଫା ଅନୁସାରେ କୌଣସି ଲୋକ ଅନ୍ୟମାନଙ୍କ ସହଯୋଗରେ ଚୋରୀ, ଡକାୟତି କିମ୍ବା ପିଲାଚୋରୀ କାମରେ ଅଭ୍ୟସ୍ତ ଥାଇ ଯଦି ଏହି କାର୍ଯ୍ୟରେ ହତ୍ୟା ଉଦ୍ଦେଶ୍ୟ ମଧ୍ୟ ଥିଲେ ଅପରାଧ ହୁଏ । ଏଥିପାଇଁ ଆଜୀବନ ଜେଲ ଓ ଜୋରିମାନା ଦଣ୍ଡଦେବାର ବ୍ୟବସ୍ଥା ଅଛି । ଦଣ୍ଡବିଧି ଆଇନ୍ ର ୩୧୮ ଦଫା ଅନୁସାରେ କୌଣସି ମୃତ ଶିଶୁର ଜନ୍ମ ଲୁଚାଇବା ଉଦ୍ଦେଶ୍ୟରେ ମୃତ ଶିଶୁକୁ ଗୋପନରେ ନଷ୍ଟ କଲେ ଅପରାଧ ହୁଏ । ଏଥିପାଇଁ ସର୍ବାଧିକ ୨ ବର୍ଷ ଜେଲ ଓ ଜୋରିମାନା ଦଣ୍ଡ ବ୍ୟବସ୍ଥା ଅଛି । ଦଣ୍ଡ ବିଧି ଆଇନ୍ ର ୩୨୦ ଦଫା ଅନୁସାରେ କୌଣସି ଲୋକପ୍ରତି ଗୁରୁତର ଆଘାତ ହେବ, ଯଦି ସେ ଲୋକର - ମୁଷ୍କ ଛେଦ କରିବା । ଦୃଷ୍ଟିଶକ୍ତି ସ୍ଥାୟୀଭାବେ ନଷ୍ଟ କରିବା । ଶ୍ରବଣ ଶକ୍ତିକୁ ସ୍ଥାୟିଭାବେ ନଷ୍ଟ କରିବା । କୌଣସି ଅଙ୍ଗପ୍ରତ୍ୟଙ୍ଗ ବା ଗଣ୍ଠିକୁ କଷ୍ଟ ଦେବା, ନଷ୍ଟ କରିବା କିମ୍ବା ସ୍ଥାୟୀ ଭାବେ କ୍ଷତି କରିବା । ମୁଣ୍ଡ କିମ୍ବା ମୁଖମଣ୍ଡଳକୁ ସ୍ଥାୟୀ ଭାବେ ବିକଳାଙ୍ଗ କରିବା ହାଡ କିମ୍ବା ଦାନ୍ତ ଭାଙ୍ଗିଦେବା କିମ୍ବା ସ୍ଥାନଚ୍ୟୁତ କରିବା ଜୀବନକୁ ବିପନ୍ନ କଲାଭଳି ଯେ କୌଣସି ଆଘାତ କରିବା, ଯେଉଁ ଆଘାତ ଦ୍ଵାରା କୋଡିଏ ଦିନ ଧରି ଅତିଶୟ ଶାରୀରିକ ଯନ୍ତ୍ରଣା ଭୋଗିବାକୁ ପଡିପାରେ କିମ୍ବା ସାଧାରଣ ଦୈନନ୍ଦିନ କାର୍ଯ୍ୟ କରିବାକୁ ଅକ୍ଷମ ହୁଏ । ଦଣ୍ଡ ବିଧି ଆଇନ୍ ର ୩୨୪ ଓ ୩୨୬ ଦଫା ଅନୁସାରେ ଜାଣିଶୁଣି କୌଣସି ଲୋକକୁ ଆଘାତ କରିବା କିମ୍ବା ଗୁରୁତର ଆଘାତ କରିବା ଅପରାଧ ଅଟେ । କୌଣସି ତୀକ୍ଷଣ ଅସ୍ତ୍ର ଦ୍ଵାରା ସମାନ ଆଘାତ କିମ୍ବା ରକ୍ତାକ୍ତ କଲାଭଳି ଗୁରୁତର ଆଘାତ ଦଣ୍ଡ ବିଧି ଅପରାଧ ଅଟେ । ଏହା ପୋଲିସ୍ ଧର୍ତ୍ତବ୍ୟ ଅପରାଧ ଅନୁସାରେ ଅପରାଧ ଅଟେ । ଏଥିପାଇଁ ସର୍ବାଧିକ ୧୦ ବର୍ଷ ଜେଲ୍ ଓ ଜୋରିମାନା ଦଣ୍ଡ ଦେବାର ବ୍ୟବସ୍ଥା ଅଛି । ଦଣ୍ଡ ବିଧି ଆଇନ୍ ର ୩୨୮ ଦଫା ଅନୁସାରେ ପାନୀୟ ଦ୍ରବ୍ୟରେ ବିଷ ମିଶାଇ ପାନ କରାଇଲେ ଅପରାଧ ହୁଏ । ସମ୍ମାନର ସୁରକ୍ଷା ପାଇଁ ଆଇନ୍ ଗତ ବ୍ୟବସ୍ଥା କ’ଣ ? ନାଗରିକମାନଙ୍କ ସମ୍ମାନର ସୁରକ୍ଷା ପାଇଁ ଭାରତୀୟ ଦଣ୍ଡବିଧି ଆଇନ୍ ର ୪୯୯ ଠାରୁ ୫୦୨ ଦଫା ମଧ୍ୟରେ ମାନହାନୀ ପାଇଁ ଦଣ୍ଡବ୍ୟବସ୍ଥା କରାଯାଇଛି । କୌଣସି ଲୋକ ଅନ୍ୟ କୌଣସି ଲୋକକୁ ନିନ୍ଦା କଲାଭଳି ବା ଅପବାଦ ଦେବାଭଳି ଭାଷା କହିବ କିମ୍ବା ଲେଖିବା କିମ୍ବା ଛାପିବା ଦୋଷାବହ ଅଟେ । କୌଣସି ମୃତ ବ୍ୟକ୍ତି ବଞ୍ଚିଥିଲେ ଉପରୋକ୍ତ କାର୍ଯ୍ୟଦ୍ଵାରା ତା’ର ବଞ୍ଚିଥିବା ଅବସ୍ଥାରେ ମାନହାନୀ ଘଟିଥାନ୍ତା କିମ୍ବା ତା’ର ପରିବାରର ଅଥବା ନିକଟ ସମ୍ପର୍କୀୟଙ୍କର ମାନହାନୀ ଘଟୁଥିଲେ ମଧ୍ୟ ଅପରାଧ ହୁଏ । କୌଣସି କମ୍ପାନୀ କିମ୍ବା ଆସୋସିଏସନ କିମ୍ବା ବ୍ୟକ୍ତି ସମୂହଙ୍କର ଉପରୋକ୍ତ କାର୍ଯ୍ୟଦ୍ଵାରା ମାନହାନୀ ଘଟିବା ଦୋଷାବାହା ଅଟେ । ଥଟ୍ଟା କିମ୍ବା ଅନ୍ୟ କୌଣସି ପ୍ରକାର ନିନ୍ଦା କରାଯାଇ ମାନହାନୀ ଘଟାଇବା ମଧ୍ୟ ଅପଦାଢ । ଏଥିପାଇଁ ଦଣ୍ଡ ବିଧି ଆଇନ୍ ର ୫୦୦ ଦଫା ଅନୁସାରେ ସର୍ବାଧିକ ୧ ବର୍ଷ ଜେଲ ଓ ଜୋରିମାନାର ଦଣ୍ଡ ବ୍ୟବସ୍ଥା ଅଛି । ସମ୍ମାନହାନୀ ଜନକ ଲେଖା ଛାପିବା, ଖୋଦିତ କରିବା କିମ୍ବା ଏହି ପଦାର୍ଥ ବିକ୍ରୀ କରିବା କିମ୍ବା ବିକ୍ରୀ କରିବାକୁ ଦେବା ଆଇନ ଅନୁସାରେ ଅପରାଧ ଅଟେ । ଏଥିପାଇଁ ସର୍ବାଧିକ ୨ ବର୍ଷ ଜେଲ ଓ ଜୋରିମାନା ଦଣ୍ଡ ଦେବାର ବ୍ୟବସ୍ଥା ଅଛି । ଚୋରୀ ସମ୍ପର୍କୀୟ ଅପରାଧ ପାଇଁ ଆଇନ୍ ଗତ ବ୍ୟବସ୍ଥା କ’ଣ? ଯେଉଁ ସମ୍ପତ୍ତିର ଦଖଲ, ଚୋରୀ, ଧମକ, ଡକାୟତି ଦ୍ଵାରା ହସ୍ତାନ୍ତରିତ ହୁଏ କିମ୍ବା କରାଯାଇଥିବା ସମ୍ପତ୍ତି କିମ୍ବା ବିଶ୍ଵାସଭଙ୍ଗ ଦ୍ଵାରା ହସ୍ତାନ୍ତରିତ ହୋଇଥିବା ସମ୍ପତ୍ତି, ଚୋରୀ, ସମ୍ପତ୍ତି ଅଟେ । ଜାଣିଶୁଣି ଚୋରୀଜିନିଷ ରଖିବା କିମ୍ବା ଡକାୟତି ସମ୍ପତ୍ତିକୁ ଅସାଧୁଭାବେ ଗ୍ରହଣ କରିବା କିମ୍ବା ଚୋରୀ ସମ୍ପତ୍ତି କାରବାର କରିବାରେ ଅଭ୍ୟସ୍ତ ରହିବା କିମ୍ବା ଚୋରୀ ସମ୍ପତ୍ତି ଲୁଚାଇବାରେ ସାହାଯ୍ୟ କରିବା ଅପରାଧ ଅଟେ । ଏଗୁଡିକ ପୋଲିସ ଧର୍ତ୍ତବ୍ୟ ଅପରାଧ । ଏଥିପାଇଁ ଜେଲ ଓ ଜୋରିମାନା ଦଣ୍ଡରେ ଦଣ୍ଡିତ ହେବାର ବ୍ୟବସ୍ଥା ଅଛି । କୌଣସି ସ୍ଥାନରେ ଚୋରୀ ହେଲେ ତୁରନ୍ତ ନିକଟସ୍ଥ ଥାନାରେ ଖବର ଦେବେ ଏବଂ ଅପରାଧୀକୁ ଧରିବାରେ ପୋଲିସ୍ କୁ ସବୁଦିଗରୁ ସାହାଯ୍ୟ କରିବେ । ଠକଙ୍କ ପାଇଁ ଆଇନଗତ ବ୍ୟବସ୍ଥା କ’ଣ ? ଦଣ୍ଡ ବିଧି ସଂହିତାରେ ଠକମାନଙ୍କୁ ଦଣ୍ଡ ଦେବା ପାଇଁ 415 ରୁ 424 ଦଫା ମଧ୍ୟରେ ବ୍ୟବସ୍ଥା କରାଯାଇଛି । ଯେଉଁଲୋକ ଅନ୍ୟ କୌଣସି ଲୋକଙ୍କୁ ଠକାଇ କିମ୍ବା ପ୍ରତାରିତ କରି ଅସାଧୁ ଉପାୟରେ କୌଣସି ସମ୍ପତ୍ତି କାହାରୀକୁ ଦେବାକୁ ବାଧ୍ୟ କରେ କିମ୍ବା ତାହାର ଶରୀର, ମନ, ମର୍ଯ୍ୟାଦା ବା ସମ୍ପତ୍ତି ଆଘାତପ୍ରାପ୍ତ ହେବାଭଳି କାମ କରାଏ କିମ୍ବା ଅସାଧୁ ଉଦ୍ଦେଶ୍ୟରେ କୌଣସି ଘଟଣାକୁ ଲୁଚାଏ କିମ୍ବା ଜାଣିଶୁଣି ନିଜକୁ ଅନ୍ୟ ଲୋକ ନାମରେ ପରିଚୟ ଦିଏ କିମ୍ବା ଗୋଟିଏ ଜିନିଷର ନମୁନା ଦେଖାଇ ଆଉ ଗୋଟିଏ ଖରାପ ଜିନିଷ ବିକ୍ରି କରେ କିମ୍ବା କୌଣସି ଲୋକର ଖ୍ଯାତି ହେବା ବିଷୟ ତାକୁ ଜଣାଇବାକୁ ବାଧ୍ୟ ଥାଇ ଜଣାଏ ନାହିନ ତେବେ ତାହା ଠକାମି ହୁଏ । ଏଥିପାଇଁ ଜେଲ ଓ ଜୋରିମାନା ଦଣ୍ଡରେ ଦଣ୍ଡିତ ହେବାର ବ୍ୟବସ୍ଥା ଅଛି । ମଦ୍ୟପଙ୍କ ପାଇଁ ଆଇନଗତ ବ୍ୟବସ୍ଥା କ’ଣ? ଭାରତୀୟ ଦଣ୍ଡବିଧି ଆଇନର ୫୧୦ ଦଫା ଅନୁସାରେ କୌଣସି ଲୋକ ମଦ୍ୟପାନ କରି ସର୍ବସାଧାରଣଙ୍କ ସ୍ଥାନରେ କିମ୍ବା ଅନ୍ୟ କୌଣସି ସ୍ଥାନରେ ବେଆଇନ ଭାବେ ପ୍ରବେଶ କରି କୌଣସି ଲୋକକୁ ବିରକ୍ତ କିମ୍ବା ଅସଦାଚରଣ କଲେ ଅପରାଧ ହୁଏ । ଏଥିପାଇଁ ସର୍ବାଧିକ ୨୪ ଘଣ୍ଟା ଜେଲ କିମ୍ବା ୧୦ ଟଙ୍କା ଜୋରିମାନା ଦେନ୍ଦାଦେବାର ବ୍ୟବସ୍ଥା ଅଛି । ରେଜିଷ୍ଟ୍ରି ଆଇନ୍ କ’ଣ? ଦଲିଲ ପଞ୍ଜିକରଣ ରେଜିଷ୍ଟ୍ରେସନ କରିବାକୁ ହେଲେ ଦଲିଲ ସମ୍ପାଦନ ହେବାର ଚାରିମାସ ମଧ୍ୟରେ ରେଜିଷ୍ଟ୍ରି କରିବାକୁ ହୁଏ । କୌଣସି ବିଶେଷ କାରଣରୁ ଦଲିଲ ଉପରୋକ୍ତ ସମୟ ମଧ୍ୟରେ ରେଜିଷ୍ଟ୍ରି ପାଇଁ ଦାଖଲ ହୋଇ ନପାରିଲେ ମୂଳ ରେଜିଷ୍ଟ୍ରେସନ ଫିର ଦଶ ଗୁଣ ଅର୍ଥ ଦଣ୍ଡ ଦେଇ ରେଜିଷ୍ଟ୍ରି କରାଯାଇପାରେ । ଉଇଲ ବା ଇଚ୍ଛାପତ୍ର ରେଜିଷ୍ଟ୍ରେସନ ଯେ କୌଣସି ସମୟରେ କରାଯାଇପାରେ । ଦଲିଲ ସଂପାଦନରେ କୌଣସି ପକ୍ଷ ରେଜିଷ୍ଟ୍ରେସନ ପାଇଁ ରାଜି ନହେଲେ ଚାରି ମାସ ମଧ୍ୟରେ ଆବେଦନ କରାଯାଇପାରେ । କୌଣସି ଅବୈଧ ବା ମିଥ୍ୟା ସମ୍ପତ୍ତିକୁ ଦଲିଲ ସଂପାଦନ କରି ରେଜିଷ୍ଟ୍ରି କଲେ ଏବଂ ତାହା ପରେ ପ୍ରମାଣିତ ହେଲେ ରେଜିଷ୍ଟ୍ରେସନ ଅବୈଧ ହୁଏ । କୌଣସି ପର୍ଦ୍ଦଶୀନମହିଳା, ଅକ୍ଷମ, ଅସୁସ୍ଥ କିମ୍ବା ବୃଦ୍ଧବ୍ୟକ୍ତି ନିଜ ବାସସ୍ଥାନରେ ଥାଇ ଦଲିଲ ରେଜିଷ୍ଟ୍ରି କରିପାରିବେ । ଏ କ୍ଷେତ୍ରରେ ରେଜିଷ୍ଟ୍ରେସନ ସମ୍ପର୍କୀୟ ଅଫିସରଙ୍କ ନ୍ୟାର୍ଯ୍ୟ ଫିସ୍ ଓ ଯାତାୟତ ଖର୍ଚ୍ଚ ବହନ କରିବାକୁ ହୁଏ । ରେଜିଷ୍ଟ୍ରେସନ ପାଇଁ ପୈଠ କରାଯାଇଥିବା ଦଲିଲକୁ ସବ ରେଜିଷ୍ଟ୍ରାର ଅଗ୍ରାହ୍ୟ କଲେ ଏକ ମାସ ମଧ୍ୟରେ ଅଦାଲତରେ ରେଜିଷ୍ଟ୍ରେସନ ପାଇଁ ଆବେଦନ କରାଯାଇପାରେ । ଆଇନ୍ ଦୃଷ୍ଟିରେ ଚୁକ୍ତି କ’ଣ ? ଭଲଭାବେ ବୁଝାଇ, ଗପ ସୃଷ୍ଟିକରି କିମ୍ବା ଭୁଲ ତଥ୍ୟ ଦେଇ ଚୁକ୍ତି କରାଯାଏ ନାହିଁ । ଆଇନ୍ ନ ଜାଣିଲେ କ୍ଷମା ଦିଆଯାଏ ନାହିଁ । ତେଣୁ ଆଇନ୍ ଜାଣିବା ଆବଶ୍ୟକ । ଯେତେବେଳେ ଜଣେ ଅନାବଶ୍ୟକ ଉପରେ ଅଯଥା ପ୍ରଭାବ ବିସ୍ତାବ କରିବା ପାଇଁ ସୁଯୋଗ ପାଏ, ସେତେବେଳେ ତାକୁ ଚୁକ୍ତି କୁହାଯାଏ ନାହିଁ । କୌଣସି ବିଷୟରେ ଚୁପ୍ ରହିବା ଅର୍ଥ ନୁହେଁ ଯେ କୌଣସି ଦାୟିତ୍ଵ ନାହିଁ । ଅନିଚ୍ଛାକୃତଭାବେ ଦାମ ନିରୂପଣ ସମୟରେ ଭୁଲ ଅବୈଧ ନୁହେଁ । ଏହା ସଂଶୋଧନ ଯୋଗ୍ୟ । କାହାରି ଆଇନ୍ ସମ୍ମତ ବ୍ୟବସାୟ ବାଣିଜ୍ୟ ବନ୍ଦ କରାଯାଇପାରିବ ନାହିଁ । କାହାରୀକୁ କାର୍ଯ୍ୟ ସଂପୂର୍ଣ୍ଣ କରିବାରୁ ବିରାଟ କରିବା ଅବୈଧ । ଯେଉଁ ଚୁକ୍ତିର ଭାଷା ସ୍ପଷ୍ଟ ନୁହେଁ ତାହା ବାତିଲ ଯୋଗ୍ୟ । ବାଜି, ପଣ ଆଦି ଅବୈଧ । ତେଣୁ ଚୁକ୍ତି ହୁଏ ନାହିଁ । ଅସମ୍ଭବ କାର୍ଯ୍ୟର ଚୁକ୍ତି ହୁଏ ନାହିଁ । ନିର୍ଦ୍ଧିଷ୍ଟ ଦିନ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଚୁକ୍ତିକରି ନକଲେ କ୍ଷତିପୂରଣ ଦେବାକୁ ହୁଏ । କ୍ଷତିପୂରଣ ସମ୍ପର୍କୀୟ ଆଇନ୍ କ’ଣ? ନିଜର କୌଣସି ଦୋଷ ନଥାଇ ଦୁର୍ଘଟଣା କରିବା ଦ୍ଵାରା ମୃତ୍ୟୁ କିମ୍ବା ଅନ୍ୟ କୌଣସି କ୍ଷତି ହେଲେ ଗାଡି ମାଲିକ ଦୁର୍ଘଟଣାଗ୍ରସ୍ତ ଲୋକକୁ କ୍ଷତିପୂରଣ ଦେବାକୁ ବାଧ୍ୟ । ଟ୍ରକ ଆଦି ଯାନବାହାନରେ କୌଣସି ଦ୍ରବ୍ୟଥିବା ସମୟରେ ନଷ୍ଟ ହେଲେ, ହଜିଗଲେ କିମ୍ବା ଚୋରୀ ହେଲେ ଗାଡି ମାଲିକ କ୍ଷତିପୂରଣ ଦେବେ । ରେଳଗାଡିରେ ଯାତ୍ରାକାଳୀନ ଦୁର୍ଘଟଣା ବା ଡକାୟତି ଦ୍ଵାରା କ୍ଷତିହେଲେ କର୍ତ୍ତୃପକ୍ଷ କ୍ଷତି ଦେବେ । ଏଥିପାଇଁ ରେଳବାଇ କମର୍ସିଆଲ ଅଫିସରଙ୍କ ନିକଟରେ ଦାବି ଜଣାଇବାକୁ ହେବ । ଖଣି କିମ୍ବା ଅନ୍ୟ କୌଣସି ବିପଦପୂର୍ଣ୍ଣ ସ୍ଥାନରେ କାମ କରୁଥିବା ସମୟରେ ମୃତ୍ୟୁ କିମ୍ବା ଅନ୍ୟ କୌଣସି କ୍ଷତି ହେଲେ ମାଲିକ କ୍ଷତିପୂରଣ ଦେବେ । ପଶୁ ସୁରକ୍ଷା ଆଇନ୍ କ’ଣ ? ଦି ପ୍ରିଭେନସନ୍ ଅଫ୍ କୃଏଲଟି ଟୁ ଆନିମଲ୍ସ ଆକ୍ଟ ୧୯୬୦-ର (ଡି) ଧାରା ଅନୁଯାୟୀ ଯେଉଁସବୁ ପଶୁଙ୍କୁ ଗୃହରେ ରଖି ପୋଷା ମନାଯାଏ, ମଣିଷର କୌଣସି ବିଶେଷ ଉଦ୍ଦେଶ୍ୟରେ ବା କାର୍ଯ୍ୟସିଦ୍ଧି ପାଇଁ ତାକୁ ହିଁ କୁହାଯାଏ ଗୃହପାଳିତ ପଶୁ । ଏହି ଆଇନ୍ ର ୧୧ ନଂ ଧାରା ଅନ୍ତର୍ଗତ ୧ ନଂ ଉପଧାରାରେ ବିସ୍ତାରିତ ହେବାରେ କୁହାଯାଇଛି ଅତ୍ୟାଚାର ଓ ନିଷ୍ଠୁରତା ଶ୍ରେଣୀ ବିଭାଗ ଓ ଶାନ୍ତି ପ୍ରସଙ୍ଗ – ଏହି ପ୍ରସଙ୍ଗରେ ଦୁଇଟି ପ୍ରଧାନ ବକ୍ତବ୍ୟ ହେଉଛି – ପ୍ରଥମ ଥର ନିଷ୍ଠୁରତାର ଅପରାଧ ହେଲେ ୧୦ ଟଙ୍କାରୁ ୧୦ ଟଙ୍କାରୁ ୫୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ । ପ୍ରଥମ ଥର ଅପରାଧର ୩ ବର୍ଷ ମଧ୍ୟରେ ପୁଣି ଦ୍ଵିତୀୟ ଥର ନିଷ୍ଠୁରତା ଭଳି ଅନ୍ୟାୟ କଲେ ୨୦ ଟଙ୍କାରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ କିମ୍ବା ଜେଲ ବି ହୋଇପାରେ ପୁଣି ଜେଲ ଜୋରିମାନା ୨ଟି ବି ହୋଇପାରେ । ତେବେ ଶାସ୍ତି ସବୁ ସମୟରେ ହିଁ ନିର୍ଭର କରେ ଅପରାଧର ପ୍ରକୃତି ଉପରେ । କିଛି ନିଷ୍ଠୁରତା କ୍ଷେତ୍ରରେ ପୁଣି ଶାସ୍ତି ବି ମିଳି ନଥାଏ । କେଉଁ କେଉଁ ଅତ୍ୟାଚାର ବିରୁଦ୍ଧରେ ପୋଲିସ ବ୍ୟବସ୍ଥା ଗ୍ରହଣୀୟ ହେବ ? ଦି ପ୍ରିଭେନସନ ଅଫ୍ କୃଏଲଟି ଟୁ ଆନିମଲ୍ସ ଆକ୍ଟ ୧୯୬୦ର ୩୧ ନମ୍ବର ଧାରାରେ ଉଲ୍ଲେଖିତ ଅଛି । କୌଣସି ପଶୁକୁ ଏପରି ଭାବରେ ରଖିବା ଯେ କି କ୍ଷୁଧାର୍ତ୍ତରହିଲା ବା ମରିଗଲା । କୌଣସି ପବ୍ଲିକ ପ୍ଲେସ ଯେପରି ସର୍କସ ବା ଖୋଲା ପଡିଆରେ ଯେଉଁଠି ଜୀବ ଜନ୍ତୁଙ୍କୁ ନେଇ ଖେଳ ଦେଖାଯାଏ ବ ପଶୁ ଲଢେଇ ହୁଏ ସେଠାରେ ଯଦି ଅତ୍ୟାଚାର ବା ନିଷ୍ଠୁରତା କରାଯାଏ । କୌଣସି ବନ୍ଧୁକ ଚଳାଇବା ପ୍ରତିଯୋଗିତା ବା ଅନ୍ୟାନ୍ୟ ପ୍ରତିଯୋଗିତା ସମୟରେ ଯଦି କୌଣସି ପଶୁକୁ ଅତ୍ୟାଚାର ବା ପଶୁପ୍ରତି ନିଷ୍ଠୁରତା ଆଚରଣ କରାଯାଏ । ଗୋରୁରୁ ଦୁଗ୍ଧ ଅଧିକ ଉତ୍ପାଦନ ପାଇଁ ଯଦି ଗୋରୁଙ୍କୁ ଫୁଙ୍କା ଦିଆଯାଏ ତାହା ଗୋରୁଙ୍କ ପକ୍ଷରେ ମାରାତ୍ମକ କ୍ଷତିର ଏବଂ ତାହା ନିଷ୍ଠୁରତା ପର୍ଯ୍ୟାୟରେ ପଡେ ଏବଂ ପୋଲିସ୍ ବ୍ୟବସ୍ଥା ନେବାପାଇଁ ଏହା ଏକ ଅନ୍ୟତମ କାରଣ । ଏହି ବିଷୟଟି ଉପରୋକ୍ତ ଆଇନ୍ ୧୨ନଂ ଧାରାରେ ବିସ୍ତାରିତ ଭାବେ କୁହାଯାଇଛି । ଆଧାର - ଏମ୍.ଏମ୍. ପବ୍ଲିକେସନ