ଗିରଫ କ’ଣ ? କୌଣସି ସ୍ଥାନରେ ଆଇନ୍ ର ଖିଲାପ ହେଲେ ଅପରାଧ ସଂଗଠିତ ହୁଏ । ଅପରାଧ ଘଟାଉଥିବା ବ୍ୟକ୍ତି ବ୍ୟକ୍ତି ବା ବ୍ୟକ୍ତିମାନଙ୍କୁ ଅପରାଧୀ କୁହାଯାଏ । ଅପରାଧୀକୁ ଧରି ବିଚାରକଙ୍କ ନିକଟରେ ହାଜର କରାଇବାକୁ ଗିରଫ କୁହାଯାଏ । ଜଣେ ଅପରାଧୀକୁ ଗିରଫ କରି ବିଚାରକଙ୍କ ନିକଟରେ ହାଜର କରିବା ପାଇଁ କିମ୍ବା ତା’ର ଗୃହ ପରିସରରେ କୌଣସି ଆପତ୍ତିଜନକ ପଦାର୍ଥର ତଦାରଖ କରିବା ପାଇଁ ପୋଲିସ୍ ଗିରଫ କରିପାରେ । ଅଦାଲତ ଦ୍ଵାରା ଦିଆଯାଇଥିବା ଲିଖିତ ଆଦେଶକୁ ଗିରଫ ପରବାନା ବା ୱାରେଣ୍ଟ କୁହାଯାଏ । ଏହାରି ବଳରେ ପୋଲିସ ଗିରଫ କରନ୍ତି । ୱାରେଣ୍ଟ ଦୁଇ ପ୍ରକାର ହୋଇପାରେ । ଜାମିନ ଯୋଗ୍ୟ କିମ୍ବା ଜାମିନ ଅଯୋଗ୍ୟ । ଜାମିନଯୋଗ୍ୟ ଗିରଫରେ ପୋଲିସ୍ ଅପରାଧୀଠାରୁ ଏକ ବଣ୍ଡ ଲେଖାଇ ଜାମିନ ଦେଇପାରିବେ । କିନ୍ତୁ ଜାମିନ ଅଯୋଗ୍ୟ ଗିରଫରେ କେବଳ ଅଦାଲତ ହିଁ ଜାମିନ ମଞ୍ଜୁର କରିପାରିବେ। ୱାରେଣ୍ଟ ନଥାଇ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିପାରିବେ, ଯଦି – ଉକ୍ତ ବ୍ୟକ୍ତି କୌଣସି ଧର୍ତ୍ତବ୍ୟ ଅପରାଧରେ ସଂପୃକ୍ତ ଥାନ୍ତି କିମ୍ବା ସେପରି ବ୍ୟକ୍ତି ଧର୍ତ୍ତବ୍ୟ ଅପରାଧ ସଂଗଠିତ କରିଛନ୍ତି ବୋଲି ଉପଯୁକ୍ତ ସନ୍ଦେହ ଜାତ ହୁଏ, ସୂଚନା ଥାଏ କିମ୍ବା ଅଭିଯୋଗ ଥାଏ । ଉକ୍ତ ବ୍ୟକ୍ତି ଗୃହ ଭାଙ୍ଗିବା ଉପକରଣ ନିଜ ପାଖରେ ରଖିଥାଆନ୍ତି । ଉକ୍ତ ବ୍ୟକ୍ତି ଅପରାଧୀ ରୂପେ ପୂର୍ବରୁ ଘୋଷିତ ହୋଇଥାନ୍ତି । ଉକ୍ତ ବ୍ୟକ୍ତି ହାଜତ ବା ଜେଲରୁ ପଳାୟନ କରିଥାଆନ୍ତି । ଉକ୍ତ ବ୍ୟକ୍ତି ସେନାବାହିନୀ, ଣଔବାହିନୀ କିମ୍ବା ଆକାଶବାହିନୀରୁ ପଳାୟନ କରିଥାଆନ୍ତି । ଭାରତବର୍ଷ ବାହାରେ ଥିବା ସମୟରେ ଯଦି କୌଣସି ଅପରାଧୀ ସମର୍ପଣ ପ୍ରତ୍ୟାର୍ପଣ ବା ପଳାତକ ଅପରାଧୀ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ କରିଥାନ୍ତି । ଉକ୍ତ ବ୍ୟକ୍ତି ମୁକ୍ତ ଅପରାଧୀ ଥାଇ ଚଳପ୍ରଚଳ ସମୟରେ ଅଦାଲତ ଦ୍ଵାରା ନ୍ୟସ୍ତ କରାଯାଇଥିବା କଟକଣା ଭଙ୍ଗ କରନ୍ତି । ଉକ୍ତ ବ୍ୟକ୍ତି ଏକ ଧର୍ତ୍ତବ୍ୟ ଅପରାଧ ସଂଗଠିତ କରିବାକୁ ପ୍ରସ୍ତୁତ ହେଉଥିବାର ସନ୍ଦେହ କରାଯାଏ । ସେପରି ବ୍ୟକ୍ତି ଅଭ୍ୟସ୍ତ ଅପରାଧୀ ହୋଇଥାଆନ୍ତି । ପୋଲିସର ଉପସ୍ଥିତିରେ ଗୋଟିଏ ଅଧର୍ତ୍ତବ୍ୟ ଅପରାଧ ସଂଗଠିତ କରିବା ପରେ ପୋଲିସକୁ ନିଜର ନାମ, ଠିକଣା ଦେବାକୁ ଅସ୍ଵୀକାର କଲେ କିମ୍ବା ମିଛ ତଥ୍ୟ ଦେଲେ । ଅନ୍ୟ ଥାନାର ପୋଲିସ ଦ୍ଵାରା ଆବଶ୍ୟକ କରାଯାଇଥାଏ ଏବଂ ସନ୍ଦେହ କରାଯାଏ ଯେ ସେ ସେପରି ଧର୍ତ୍ତବ୍ୟ ସଂଗଠିତ କରିଛନ୍ତି । ହାତକଡି କାହାକୁ ପକାଯିବ ? ଗିରଫ କରିବା ସମୟରେ ପୋଲିସ ଅପରାଧୀକୁ ହାତକଡି ପକାଇ ହାଜତକୁ ଏବଂ ହାଜତରୁ ଅଦାଲତକୁ ନିଅନ୍ତି । କିନ୍ତୁ ଉଚ୍ଚତମ ଅଦାଲତର ସମାବେଶ ଅନୁସାରେ ଉନ୍ମତ୍ତ ହୋଇନଥିବା, ଅନିଷ୍ଟକାରୀ ହୋଇନଥିବା, ଅତି ମନ୍ଦ ପ୍ରକୃତିର ହୋଇନଥିବା, ପଳାୟନ କିମ୍ବା ଆତ୍ମହତ୍ୟା ପାଇଁ ଚେଷ୍ଟା କରୁନଥିବା ସାଧାରଣ ବ୍ୟକ୍ତିଙ୍କୁ ଗିରଫ ସମୟରେ ହାତକଡି ପକାଯିବ ନାହିଁ । ଗିରଫ ବ୍ୟକ୍ତିର ଅଧିକାର କ’ଣ ? ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଆଇନ୍ କେତେକ ଅଧିକାର ପ୍ରଦାନ କରିଛି । ସେଗୁଡିକ ହେଉଛି – ଗିରଫର କାରଣ ନିଶ୍ଚିତରୂପେ ଜଣାଇଦିଆଯିବ । ୱାରେଣ୍ଟ ଦ୍ଵାରା ଗିରଫ ହୋଇଥିଲେ ୱାରେଣ୍ଟ ଦେଖିବାକୁ ଦିଆଯିବ । ନିଜ ଇଚ୍ଛା ଅନୁସାରେ ଓକିଲ ନିଯୁକ୍ତ କରିପାରିବେ । ୨୪ ଘଣ୍ଟା ମଧ୍ୟରେ ନିକଟତମ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ । ଆଧାର - ଏମ୍.ଏମ୍. ପବ୍ଲିକେଶନ