ମୁଦାଲା ର ଅଧିକାର ପ୍ରପୀଡ଼ିତ ବା କ୍ଷତିଗ୍ରସ୍ତ ର ଅଧିକାର ମହିଳା ଓ ମହିଳା ମୁଦାଲାମାନଙ୍କର ସ୍ଵତନ୍ତ୍ର ଅଧିକାର । ନାବାଳକ ମୁଦାଲାମାନଙ୍କର ଅଧିକାର । ମୁଦାଲାର ଅଧିକାର ସମ୍ବିଧାନିକ ଅଧିକାର :- ସମ୍ବିଧାନର ମୌଳିକ ଅଧିକାର ପରିଚ୍ଛେଦରେ ଥିବା ସମସ୍ତ ଅଧିକାର ମାନ ଦେଶର ଅନ୍ୟ ନାଗରିକଙ୍କ ପରି ଜଣେ ମୁଦାଲା ମଧ୍ୟ ଉପଭୋଗ କରିଥାନ୍ତି । ଏ ଅଧିକାର ମାନ ଉପଭୋଗ କରିବା ପାଇଁ ତାଙ୍କୁ କେହି ଏପରିକି ଦେଶ ମଧ୍ୟ ମନା କରିପାରିବେ ନାହିଁ । ଏହା ଛଡା ସମ୍ବିଧାନ ଧାରା ୨୦ଓ ୨୨ ରେ ମୁଦାଲାମାନଙ୍କୁ ସ୍ଵତନ୍ତ୍ର ଅଧିକାରମାନ ଦିଆଯାଇଛି । ସମ୍ବିଧାନର ଧାରା ୨୨:- ଆରେଷ୍ଟ ହେବାର କାରଣ ଜାଣିବାର ଅଧିକାର । ନିଜର ଇଚ୍ଛା ମୁତାବକ ଓକିଲଙ୍କ ସହ ପରାମର୍ଶ କରିବା ଓ ନିଜର ସୁରକ୍ଷା ପାଇଁ ତାଙ୍କୁ କେଶ୍ ରେ ନିଯୁକ୍ତି ଦେବାର ଅଧିକାର। ଆରେଷ୍ଟ ହେବାର ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍ ଙ୍କ ନିକଟରେ ଉପସ୍ଥାପନର ଅଧିକାର, ମାତ୍ର ଉପରୋକ୍ତ ସୁବିଧାମାନ ଜଣେ ବିଦେଶୀ ଶତ୍ରୁ ବା ପ୍ରିଭେଣ୍ଟିଭ୍ ଡିଟେନ୍ସନ୍ ଆଇନ୍ ରେ ଆରେଷ୍ଟ ହୋଇଥିବା ବ୍ୟକ୍ତି ପାଇ ପାରିବେ ନାହିଁ । ସମ୍ବିଧାନ ଧାରା ୨୦ :- ସରକାର କୌଣସି କ୍ରିମିନାଲ୍ ଆଇନ୍ ପ୍ରଣୟନ କରି କୌଣସି କର୍ମକୁ ପିଛିଲା ତାରିଖରୁ offence (ଦୋଷ) ରୂପେ ପରିଗଣିତ କରିପାରିବେ ନାହିଁ । ସେହିପରି କୌଣସି ଦୋଷ ପାଇଁ ପିଛିଲା ତାରିଖରୁ ଅଧିକ ଦଣ୍ଡ ପ୍ରବତ୍ତ ବ୍ୟବସ୍ଥା କରିପାରିବେ ନାହିଁ । କୌଣସି ଏକ ଅପରାଧ ଜନିତ କେଶ୍ କୋର୍ଟରେ ଥରେ ବିଚାର ହୋଇ ମୁଦାଲା ଦଣ୍ଡିତ ହୋଇଥିଲେ, ସେହି କେଶ୍ ର ପୁନର୍ବାର ବିଚାର କୋର୍ଟରେ ହେବ ନାହିଁ । ମାତ୍ର ଉପରୋକ୍ତ ପ୍ରତିବନ୍ଧକ ଡିପୋର୍ଟମେଣ୍ଟାଲ୍ ପ୍ରୋସିଡ଼ିଙ୍ଗ୍ ପାଇଁ ଲାଗୁ ହେବନାହିଁ ବୋଲି ମାନ୍ୟବର ସୁପ୍ରିମ୍ କୋର୍ଟ ମତ ଦେଇଛନ୍ତି Vide 1953 Cr.L.J. 1432 (SC) ମୁଦାଲାଙ୍କୁ ନିଜ ବିରୁଦ୍ଧରେ ସାକ୍ଷୀ ହେବା ଅଥବା ନିଜେ କେଶ୍ ରେ ସମ୍ପୃକ୍ତ ଥିବାଭଳି ବକ୍ତବ୍ୟ ଦେବାକୁ ବାଧ୍ୟ କରାଯାଇପାରିବ ନାହିଁ । ସମ୍ବିଧାନର ଧାରା ୨୦(୩)କୁ ମାନ୍ୟବର ସୁପ୍ରିମ୍ କୋର୍ଟ ତର୍ଜମା କରି ନନ୍ଦିନୀ ଶତପଥୀ କେଶ୍ (ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ) Vide AIR 1978 S.C.P. 1025 ରେ କହିଛନ୍ତି ଯେ ଜଣେ ମୁଦାଲାକୁ ତଦନ୍ତକାରୀ ସଂସ୍ଥା କୌଣସି ପ୍ରଶ୍ନ ପଚାରିଲେ ସେ ଉତ୍ତର ନଦେଇ ଚାହିଁଲେ ମୌନତା ଅବଲମ୍ବନ କରି ପାରନ୍ତି (Right to silence) କ୍ରିମିନାଲ୍ ଆଇନ୍ ରେ ମୁଦାଲାର ଅଧିକାର ମାନ :- ମୁଦାଲା ଆରେଷ୍ଟ ହେଲେ ତାଙ୍କର ଆରେଷ୍ଟହେବା କାରଣ ଜାଣିବାର ଅଧିକାର ଅଛି (ଧାରା 50, 55 ଓ 75 Cr.P.C.) ଜାମିନ୍ ଅଯୋଗ୍ୟ କେଶ୍ ରେ ଆରେଷ୍ଟ୍ ହେଲେ ଜାମିନ୍ ରେ ଯିବାର ଅଧିକାର ଅଛି । ଏହି ଅଧିକାରକୁ କେହି ଜାଣିଶୁଣି ପ୍ରତିହତ କଲେ ଦଣ୍ଡିତ ହେବେ Vide A.I.R. 1968 P. 123 ଓ 1978 Cr. L.J.P. 1750) ମୁଦାଲା ଆରେଷ୍ଟ୍ ହେଲେ ତାଙ୍କୁ ଅଯଥା ପ୍ରତିବନ୍ଧକ କରାଯିବ ନାହିଁ (ଧାରା ୪୯ Cr.P.C.) । ମୁଦାଲାଙ୍କୁ ହ୍ୟାଣ୍ଡକପ୍ ପିନ୍ଧାଇବାର ଦରକାର ହେଲେ କାରଣ ଲେଖି ରଖିବାକୁ ହେବ ବା କୋର୍ଟଙ୍କର ପରାମର୍ଶ ନେଇ କରିବାକୁ ହେବ । ମୁଦାଲା ଆରେଷ୍ଟ୍ ହେଲେ ତାଙ୍କୁ ଯଥାଶୀଘ୍ର ମାଜିଷ୍ଟ୍ରେଟ୍ ଙ୍କ ପାଖରେ ଉପସ୍ଥାପନ କରିବ “ମାଜିଷ୍ଟ୍ରେଟ୍ ଙ୍କ ବିନା ଆଦେଶରେ ମୁଦାଲାଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ତଦନ୍ତକାରୀ ସଂସ୍ଥା (ପୋଲିସ୍) ରଖିବେ ନାହିଁ । ଏହା କଲେ ପୋଲିସ୍ ଦଣ୍ଡିତ ହେବେ । (ଧାରା ୫୬, ୫୭, ୭୬, ୪୯, ୧୬୭ ଓ ୫୮ Cr.P.C.) ଦ୍ରଷ୍ଟବ୍ୟ ( 56 Vide AIR 1971 S.C. 813) ମୁଦାଲା ମାଜିଷ୍ଟ୍ରେଟ୍ ଙ୍କ ନିକଟରେ ଉପସ୍ଥାପିତ ହେଲେ ସେ ଡାକ୍ତରୀ ମାଇନା ଚାହାଁନ୍ତି ବୋଲି ଅନୁରୋଧ କରିପାରିବେ । ମୁଦାଲା ମଧ୍ୟ ତାଙ୍କ ଉପରେ ହୋଇଥିବା ଅନ୍ୟାୟ କର୍ମର ପ୍ରତିବାଦ ମାଜିଷ୍ଟ୍ରେଟ୍ ଙ୍କୁ ଜଣାଇବେ । ମାଜିଷ୍ଟ୍ରେଟ୍ ଙ୍କର ମଧ୍ୟ କର୍ତ୍ତବ୍ୟ ହେଉଛି ମୁଦାଲାଙ୍କର ଉପରୋକ୍ତ ଅଧିକାର ମାନ ତାଙ୍କୁ ଜଣାଇବା । (ଧାରା 54 Cr.P.C ଓ AIR 1988 S.C.P. 378 Sheela Barse Case) ମାଜିଷ୍ଟ୍ରେଟ୍ ମାନେ ବିନା କାରଣରେ ମୁଦାଲାଙ୍କର ଉପରୋକ୍ତ ଅନୁରୋଧ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ । (1990 Cr.L.J. 1924 S.C.) ମୁଦାଲା ନିଜ କେଶ୍ ଲଢିବା ପାଇଁ ନିଜ ଇଚ୍ଛାରେ ଓକିଲ ନିଯୁକ୍ତି କରିପାରିବେ (ଧାରା 303 Cr.P.C.) ମୁଦାଲା ଗରିବ ଥାଇ ଓକିଲ ଲଗାଇ ପାରୁନଥିଲେ – ତାଙ୍କୁ କୋର୍ଟ ତରଫରୁ Legal-Aid ଓକିଲ ଦିଆଯିବ । ମୁଦାଲା ନିଜ କେଶ୍ ପ୍ରମାଣ କରିବାକୁ ଚାହିଁଲେ ନିଜେ defence ସାକ୍ଷୀ ହୋଇପାରନ୍ତି । ସମାନ ଅପରାଧ ପାଇଁ ମୁଦାଲାଙ୍କର ଏକାଧିକବାର କେଶ୍ trial ହେବ ନାହିଁ (ଧାରା 300 Cr.P.C.) ମୁଦାଲା ଜାମିନ ଅଯୋଗ୍ୟ (Non-bailable) କେଶ୍ ରେ ଆରେଷ୍ଟ୍ ହେଲେ ମଧ୍ୟ କୋର୍ଟକୁ ଜାମିନ୍ ଦେବା ପାଇଁ ପ୍ରାର୍ଥନା କରିବାର ଅଧିକାର ଅଛି । ଜାମିନ୍ ନାମଞ୍ଜୁର ହେଲେ ମଧ୍ୟ ପରେ ପୁନଃ ଜାମିନ୍ ପାଇଁ ନିବେଦନ କରିବାରେ ବାରଣ ନାହିଁ। ମୁଦାଲାମାନଙ୍କୁ ତଦନ୍ତକାରୀ ସଂସ୍ଥା ମାରପିଟ ତଥା ମାନସିକ ବା ଶାରୀରିକ ଯନ୍ତ୍ରଣା ଦେଇ ପାରିବେ ନାହିଁ । ଯଦି ଏପରି କରନ୍ତି ତେବେ ତାଙ୍କ ଠାରୁ କୋର୍ଟରେ କ୍ଷତିପୂରଣ ମାଗିହେବ ଓ କ୍ରିମିନାଲ୍ କେଶ୍ କରି ଦଣ୍ଡିତ କରିହେବ । କୌଣସି ବ୍ୟକ୍ତିଙ୍କର ହାଜତରେ ନିର୍ଯ୍ୟାତନା ହେତୁ ମୃତ୍ୟୁ ହୋଇଥିଲେ – ନିର୍ଯ୍ୟାତନାକାରୀମାନେ ଦଣ୍ଡ ପାଇବା ସଙ୍ଗେ ସଙ୍ଗେ ମୃତ ବ୍ୟକ୍ତିଙ୍କର ଉତ୍ତରାଧିକାରୀମାନେ ମଧ୍ୟ କୋର୍ଟରେ ମକଦ୍ଦମା କରି କ୍ଷତିପୂରଣ ପାଇପାରିବେ । ପ୍ରପୀଡ଼ିତ ବା କ୍ଷତିଗ୍ରସ୍ତ (victim) ବ୍ୟକ୍ତିଙ୍କର ଅଧିକାର କ୍ଷତିଗ୍ରସ୍ତ ବ୍ୟକ୍ତି କ୍ଷତି ସମ୍ପର୍କରେ ଥାନାରେ ଏତଲା ଦେଇପାରିବେ କିମ୍ବା କୋର୍ଟରେ ସିଧାସଳଖ କେଶ୍ କରିପାରିବେ । ଥାନାରେ ଦେଇଥିବା ଏତଲା ସମ୍ପର୍କରେ ଥାନାରେ action ନିଆଗଲା ସେ ସମ୍ପର୍କରେ Cr.P.C. ଧାରା ୧୭୩ (୨)(ii) ଅନୁଯାୟୀ victim ବା ଏତଲାକରୀଙ୍କୁ ଥାନାରୁ ଜଣାଇବାର ବ୍ୟବସ୍ଥା ଅଛି । ଜଣେ କ୍ଷତିଗ୍ରସ୍ତ ଲୋକ ତାଙ୍କର ଥାନାଜରିଆରେ ହୋଇଥିବା କେଶ୍ କୁ ସୂଚାରୁରୂପେ ଦେଖାରଖା କରିବା ପାଇଁ କୋର୍ଟରେ ଓକିଲ ନିଯୁକ୍ତ କରିପାରିବେ । ସେହି ଓକିଲ ସରକାରୀ ଓକିଲଙ୍କ ସହିତ ମିଶି କାମ କରିବେ । ବଳାତ୍କାର ମାମଲା ଓ ଯୌନ ଶୋଷଣ ଆଦି ମାମଲା ଯାହାକି ଖୋଲା କୋର୍ଟରେ ବିଚାର ନ ହୋଇ କ୍ୟାମେରାରେ (ବନ୍ଦଗୃହାରେ) ହେଉଥାଏ, ସେଭଳି କେଶ୍ ରେ କୋର୍ଟଙ୍କ ବିନା ଅନୁମତିରେ victim ଙ୍କ ନାମ News media ରେ ପ୍ରକାଶ କରାଯାଇପାରିବ ନାହିଁ । ଯଦି କରାଯାଏ ତେବେ ପ୍ରକାଶକାରୀ ଦଣ୍ଡିତ ହେବେ । ପ୍ରପୀଡ଼ିତ ବ୍ୟକ୍ତିଜଣଙ୍କ କ୍ଷତିପୂରଣ ପାଇବାକୁ ଆଇନ୍ ତଃ ହକ୍ଦାର ଅଟନ୍ତି । ପ୍ରପୀଡ଼ିତ ବ୍ୟକ୍ତି ହୁଅନ୍ତୁ ବା ସାଧାରଣ ବ୍ୟକ୍ତି ହୁଅନ୍ତୁ ମହିଳା ହୋଇଥିଲେ ଅଥବା ୧୫ ବର୍ଷରୁ କମ୍ ବାଳକ ହୋଇଥିଲେ ତାଙ୍କୁ ଥାନାକୁ କେଶ୍ ସମ୍ପର୍କରେ ପଚରା ଉଚରା କରିବାକୁ ଡକାଯାଇ ପାରିବ ନାହିଁ । ସେମାନେ ରହୁଥିବା ସ୍ଥାନକୁ ଯାଇ ସେମାନଙ୍କର ସାକ୍ଷ୍ୟ ନିଆଯାଇପାରିବ । ଧାରା S. 160 (i) Cr.P.C.) ମହିଳା ଓ ମହିଳା ମୁଦାଲାମାନଙ୍କର ସ୍ଵତନ୍ତ୍ର ଅଧିକାର ମୁଦାଲାମାନଙ୍କର କେଶ୍ ତଦନ୍ତ କଲାବେଳେ ତାଙ୍କର ମାନ ସମ୍ମାନ ପ୍ରତି ଧ୍ୟାନ ଦେଇ ତାଙ୍କୁ ଆରେଷ୍ଟ୍ କରାଯିବ ଓ ତାଙ୍କ ରହିବା ସ୍ଥାନକୁ ସର୍ଚ୍ଚ କରାଯିବ । ଯଥା – ଧାରା ୫୧ (୨) Cr.P.C. ଯଦି ମହିଳାଙ୍କ ଶରୀର ସର୍ଚ୍ଚ କରିବାକୁ ପଡ଼େ, ତେବେ ତାଙ୍କର ମାନ ସମ୍ମାନ ଉପରେ ଧ୍ୟାନ ଦେଇ ଅନ୍ୟ ଜଣେ ମହିଳା ଦ୍ଵାରା ସର୍ଚ୍ଚ କରାଇବା । ଧାରା ୧୦୦ (୩)ରେ ମଧ୍ୟ ଏହି କଥା ଉଲ୍ଲେଖ ଅଛି । ଧାରା 51(2) Cr.P.C. ମହିଳାଙ୍କ ଡାକ୍ତରୀ ମାଇନା ଦରକାର ପଡ଼ିଲେ ତାହା ଅନ୍ୟ ଜଣେ ମହିଳା ଡାକ୍ତର କିମ୍ବା ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କରାଯିବ । ଧାରା ୪୭ (୨) ଜଣେ ବ୍ୟକ୍ତିଙ୍କୁ ଆରେଷ୍ଟ୍ କରିବା ପାଇଁ ଉଦ୍ୟମ ଚାଲିଥିବା ବେଳେ, ସେହି ବ୍ୟକ୍ତି କୌଣସି ଘରେ ଆତ୍ମଗୋପନ କରିଛନ୍ତି ବୋଲି ଜଣା ପଡ଼ିଲେ ଏବଂ ସେହି ଘରଟି ଜଣେ ମହିଳାଙ୍କ ଦଖଲରେ ଥିଲେ (ଏବଂ ସେହି ମହିଳାଙ୍କୁ ଆରେଷ୍ଟ୍ କରିବାର ନଥିଲେ) ସେହି ଘରକୁ ସର୍ଚ୍ଚ କରିବା ପୂର୍ବରୁ ମହିଳା ଜଣଙ୍କୁ ସର୍ଚ୍ଚ କରିବାର ସୁଯୋଗ ଦେବା ପାଇଁ ନୋଟିସ୍ ଦେଇ ଘର ସର୍ଚ୍ଚ କରାଯିବ । ମହିଳା ଜଣକ ସୁଯୋଗ ଦେବାକୁ ପ୍ରତ୍ୟାଖ୍ୟାନ କଲେ ତଦନ୍ତକାରୀ ଦଳ ଏହାପରେ ମଧ୍ୟ ସର୍ଚ୍ଚ କରିପାରିବେ । ପରିବାର ବର୍ଗର ଅନ୍ୟ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ କୋର୍ଟ ସମନକୁ ସେହି ବ୍ୟକ୍ତିଙ୍କ ଅନୁପସ୍ଥିତି ଯୋଗୁଁ ପରିବାରର କୌଣସି ମହିଳା ସଦସ୍ୟଙ୍କ ଉପରେ ସମନଟି ଜାରି କରି ହେବ ନାହିଁ । ଅନ୍ୟ ଜଣଙ୍କ ସମନକୁ କେବଳ ପୁରୁଷ ସଦସ୍ୟଙ୍କୁ ଦିଆଯାଇପାରିବ। ଧାରା 64 Cr.P.C. ନାବାଳକ ମୁଦାଲାମାନଙ୍କର ଅଧିକାର ଆମ ଦେଶରେ ଶିଶୁ ଅପରାଧିମାନଙ୍କର ବିଚାର ଜୁଭେନାଇନ୍ ଜଷ୍ଟିସ୍ ଆକ୍ଟ ୧୯୮୬ଅନୁସାରେ ହୋଇଥାଏ । ୧୮ ବର୍ଷରୁ କମ୍ ବାଳକ ବାଳିକାଙ୍କୁ ଜୁଭେନାଇଲ୍ କୁହାଯାଏ । ଜୁଭେନାଇଲ୍ ମାନଙ୍କୁ ସାଧାରଣତଃ ସହଜରେ ଜାମିନ୍ ମଞ୍ଜୁର ହୋଇଥାଏ । ସେମାନଙ୍କର କେଶ୍ ବିଚାର ପ୍ରଣାଳୀ ମଧ୍ୟ ସାଧାରଣ କୋର୍ଟର ବିଚାର ପ୍ରଣାଳୀଠାରୁ ଅଲଗା । ଆଧାର – ଓଡ଼ିଶା ଲ ରିଭିଉସ