ଦଫା ୩୩ । ସୁରକ୍ଷିତ ଜଙ୍ଗଲ କୌଣସି ସଂରକ୍ଷିତ ଜଙ୍ଗଲରେ ଯେଉଁ ଜମି ଅନ୍ତର୍ଭୁକ୍ତ ନ ହୋଇଛି ମାତ୍ର ଯାହା ସରକାରଙ୍କ ସମ୍ପତି ଅଟେ କିମ୍ବା ଯାହା ଉପରେ ସରକାରଙ୍କ ସମ୍ପତିଗତ ଅଧିକାର ରହିଛି ସେହି ଜମି ପ୍ରତି ଏହି ଅଧ୍ୟାୟରେ ଲାଗୁ ହୋଇଥିବା ବ୍ୟବସ୍ଥା ରାଜ୍ୟ ସରକାର ବିଜ୍ଞପ୍ତି ଦ୍ଵାରା ଘୋଷଣା କରିପାରିବେ । ସେପରି ବିଜ୍ଞପ୍ତିରେ ପ୍ରକାଶ କରାଯାଇଥିବା ଜମିକୁ ଏକ "ସୁରକ୍ଷିତ ଜଙ୍ଗଲ ବୋଲି କୁହାଯିବ । ସେପରି ଜମିରେ ସରକାରଙ୍କର ଏବଂ ଘରୋଇ ବ୍ୟକ୍ତିମାନଙ୍କର ଏବଂ ଗ୍ରାମବାସୀମାନଙ୍କର ଥିବା ଅଧିକାରର ପ୍ରକୃତି ଓ ପରିସର ସମ୍ପର୍କରେ ତଦନ୍ତ ନ ହେବା ପର୍ଯ୍ୟନ୍ତ ଏବଂ ସର୍ଭେ ମାଧ୍ୟମରେ କିମ୍ବା ଅନ୍ୟ କୌଣସି ଧାର୍ଯ୍ୟ ହୋଇଥିବା ପ୍ରକାରେ ରେକର୍ଡ ଅନ୍ତର୍ଭୂକ୍ତ ନ ହେବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ଵାରା କୌଣସି ବିଜ୍ଞପ୍ତି ପ୍ରକାଶ କରାଯିବ ନାହିଁ ଏବଂ କୌଣସି ବିପରୀତ ପ୍ରମାଣ ନ ଥିଲେ ସେପରି ଭାବରେ ରେକର୍ଡଭୁକ୍ତ ହୋଇଥିବା ଅଧିକାରକୁ ସଠିକ୍ ବୋଲି ଅନୁମାନ କରାଯିବ; ଉଲ୍ଲେଖ ଥାଉ ଯେ, ରାଜ୍ୟ ସରକାରଙ୍କ ମତରେ ଯଦି ସେପରି କୌଣସି ଜମି ସମ୍ପର୍କରେ ତଦନ୍ତ କରାଗଲେ ଅଯଥା ବିଳମ୍ବ ଘଟିବ ଏବଂ ସରକାରଙ୍କ ଅଧିକାରରେ ଆଞ୍ଚ ଆସିବ ତେବେ ସେପରି ତଦନ୍ତ ଏବଂ ରେକର୍ଡଭୁକ୍ତ କରିବାକୁ ସ୍ଥଗୀତ ରଖିପାରିବେ ଏବଂ ଏପରି ପଦକ୍ଷେପ ନେଲାବେଳେ କୌଣସି ବ୍ୟକ୍ତି କିମ୍ବା ଗ୍ରାମବାସୀମାନଙ୍କର ଅଧିକାରରେ ଯେପରି ଆଞ୍ଚ ନ ଆସେ ସେଥିପ୍ରତି ଦୃଷ୍ଟିଦେବେ । ସରକାରଙ୍କ ଅଧୀନରେ ଥିବା ଜମି ଯାହା ପ୍ରତି ମାଡ୍ରାସ୍ ଜଙ୍ଗଲ ଆଇନ୍, ୧୮୮୨ (ମାଡ୍ରାସ୍ ଆଇନ୍ ୫/୧୮୮୨)ର ଅଧ୍ୟାୟ-୩ରେ ଅନ୍ତର୍ବିଷ୍ଟ ବ୍ୟବସ୍ଥା ଏହି ଆଇନ୍ କାର୍ଯ୍ୟକାରୀ ହେବାର ତତ୍ କ୍ଷଣାତ୍ ପୂର୍ବରୁ ଲାଗୁ ହେଉଥିବା, ସେହି ଜମି ଏହି ଆଇନ୍ ଅନୁଯାୟୀ “ସୁରକ୍ଷିତ ଜଙ୍ଗଲ” ରୂପେ ବିବେଚିତ ହେବ । ନିର୍ଣ୍ଣୟ ସିଦ୍ଧାନ୍ତ :- ଦଫା-୩୩- ସଂରକ୍ଷିତ ଜଙ୍ଗଲର ଅର୍ଥ- କୌଣସି ଆଇନ୍ ରେ ଅନ୍ତର୍ଭୁକ୍ତ ହୋଇ ନଥିବା କୌଣସି ସଂରକ୍ଷିତ ଜଙ୍ଗଲ ଏକ ସୁରକ୍ଷିତ ଜଙ୍ଗଲ ଅଟେ । ଦଫା ୩୪ ଅନୁଯାୟୀ ବିଜ୍ଞପ୍ତି ଅସଂରକ୍ଷିତ ଜଙ୍ଗଲ କ୍ଷେତ୍ରରେ ଜାରୀହେବ ଯଦ୍ଦ୍ଵାରା ଅଧ୍ୟାୟ ୪ର ପ୍ରଯୁଜ୍ୟତା ପାଇଁ ଘୋଷଣା କରାଯିବ – ୧୯୯୨ (୨) ଓ. ଏଲ୍. ଆର୍.-୧୮୫ । ଦଫା- ୩୪। ବୃକ୍ଷ ସୁରକ୍ଷିତ କରିବା ପାଇଁ ବିଜ୍ଞପ୍ତି ଜାରୀ କରିବା କ୍ଷମତା ରାଜ୍ୟ ସରକାର ବିଜ୍ଞପ୍ତି ଦ୍ଵାରା – କୌଣସି ସୁରକ୍ଷିତ ଜଙ୍ଗଲରେ ଥିବା କୌଣସି ବୃକ୍ଷ କିମ୍ବା କୌଣସି ବର୍ଗର ବୃକ୍ଷକୁ ବିଜ୍ଞପ୍ତିରେ ବିନିର୍ଦ୍ଦିଷ୍ଟ ହୋଇଥିବା ତାରିଖରୁ ସଂରକ୍ଷିତ ବୋଲି ଘୋଷଣା କରିପାରିବେ; ସେପରି ସୁରକ୍ଷିତ ଜଙ୍ଗଲରେ ପଥର ଖୋଳିବା କିମ୍ବା ଚୂନ ଓ କାଠ କୋଇଲା ଇତ୍ୟାଦି ପୋଡ଼ିବା ଏବଂ ସେସବୁର ଉତ୍ପାଦନ କରିବା କିମ୍ବା ସଂଗ୍ରହ କରିବା କିମ୍ବା କୌଣସି ଜଙ୍ଗଲଜାତ ଦ୍ରବ୍ୟକୁ ଅପସାରଣ କରିବା ଏବଂ ଚାଷ, ଘରବାଡି କିମ୍ବା ପଶୁଚାରଣ କରାଇବା ଉଦ୍ଦେଶ୍ୟରେ ଜଙ୍ଗଲ ଜମିକୁ ପରିଷ୍କାର କରିବା କାର୍ଯ୍ୟକୁ ବିଜ୍ଞପ୍ତିରେ ବିନିର୍ଦ୍ଦିଷ୍ଟ ତାରିଖରୁ ନିଷିଦ୍ଧ ହେବ ପାଇଁ ଘୋଷଣା କରିପାରିବେ; ସେହି ଜଙ୍ଗଲରେ ବୃକ୍ଷରୋପଣ ଓ ଜଙ୍ଗଲର ଅଭିବୃଦ୍ଧି ନିମନ୍ତେ ପଶୁଚାରଣ କରାଇବା ବା ଜଙ୍ଗଲଜାତ ଦ୍ରବ୍ୟର ବ୍ୟବହାର ବନ୍ଦ କରିବାକୁ ରାଜ୍ୟ ସରକାର ଯେଉଁ ସମୟ ପର୍ଯ୍ୟନ୍ତ ଉପଯୁକ୍ତ ମନେ କରିବେ ସେହି ସମୟ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିପାରିବେ; ଉଲ୍ଲେଖ ଥାଉ ଯେ, ରାଜ୍ୟ ସରକାର ପ୍ରକରଣ (ଗ) ଅନୁଯାୟୀ ଘୋଷଣାନାମା ଜାରୀ କରିବା ସମୟରେ ପଶୁମାନଙ୍କର ଚାରଣ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବେ । ଦଫା ୩୫। ନିକଟ ସ୍ଥାନମାନଙ୍କରେ ସେପରି ବିଜ୍ଞପ୍ତିର ଅନୁବାଦ କରାଯାଇ ପ୍ରକାଶ କରାଯିବ ଡିଭିଜନାଲ ଫରେଷ୍ଟ ଅଫିସର ଦଫା ୩୪ ଅନୁଯାୟୀ ଜାରୀ କରାଯାଇଥିବା ବିଜ୍ଞପ୍ତିକୁ ଓଡ଼ିଆରେ ଅନୁବାଦ କରି, ବିଜ୍ଞପ୍ତିରେ ଅନ୍ତର୍ଭୁକ୍ତ ଜଙ୍ଗଲ ନିକଟସ୍ଥ ସହର ଓ ଗ୍ରାମମାନଙ୍କରେ ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ସ୍ଥାନରେ ପ୍ରକାଶ କରାଇବେ । ଦଫା ୩୬। ସୁରକ୍ଷିତ ଜଙ୍ଗଲ ପାଇଁ ନିୟମ ପ୍ରଣୟନ କରିବା କ୍ଷମତା ରାଜ୍ୟ ସରକାର ନିମ୍ନଲିଖିତ ବିଷୟଗୁଡ଼ିକ ନିୟନ୍ତ୍ରଣ କରିବାକୁ ନିୟମାବଳୀ ପ୍ରଣୟନ କରିପାରିବେ, ଯଥା :- ସୁରକ୍ଷିତ ଜଙ୍ଗଲରେ ଥିବା ବୃକ୍ଷଗୁଡ଼ିକ କାଟିବା, ବୃକ୍ଷ ଏବଂ କାଠଗରିଣ୍ଡାକୁ ଅପସାରଣ କରିବା ଏବଂ ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ, ଉତ୍ପାଦନ ଏବଂ ଅପସାରଣ କରିବା; ସୁରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଏବଂ ସହରର ଅଧିବାସୀମାନଙ୍କୁ ସେମାନଙ୍କ ନିଜର ବ୍ୟବାହାର ପାଇଁ ଉକ୍ତ ସୁରକ୍ଷିତ ଜଙ୍ଗଲରୁ କାଠ ଗରିଣ୍ଡା ଏବଂ ଜଙ୍ଗଲଜାତ ଦ୍ରବ୍ୟ ନେବା ପାଇଁ ଲାଇସେନ୍ସ ଉପସ୍ଥାପନ କରାଯିବ ଏବଂ ଫେରସ୍ତ ଦିଆଯିବ; ବ୍ୟବସାୟ ଉଦ୍ଦେଶ୍ୟରେ ସେହି ଜଙ୍ଗଲରୁ ଗଛ ଏବଂ କାଠ ଗରିଣ୍ଡାକୁ କାଟି ଆଣିବାପାଇଁ ଓ ଜଙ୍ଗଲ ଦ୍ରବ୍ୟ ଆଣିବାପାଇଁ କୌଣସି ବ୍ୟକ୍ତିଙ୍କୁ ଲାଇସେନ୍ସ ମଞ୍ଜୁର କରିବା ଏବଂ ଉକ୍ତ ବ୍ୟକ୍ତିଙ୍କ ଦ୍ଵାରା ଲାଇସେନ୍ସ ଉସ୍ଥାପନା କରିବା ଏବଂ ଫେରସ୍ତ ଦେବା; ସେପରି ସୁରକ୍ଷିତ ଜଙ୍ଗଲରୁ ଗଛ କଟାକଟି କରିବା ପାଇଁ କିମ୍ବା କାଠ ଗରିଣ୍ଡା ଏବଂ ଜଙ୍ଗଲଜାତ ଦ୍ରବ୍ୟର ସଂଗ୍ରହ ଓ ଅପସାରଣ କରିବା ପାଇଁ ପ୍ରକରଣ (ଖ) ଏବଂ(ଗ)ରେ ଉଲ୍ଲିଖିତ ବ୍ୟକ୍ତିଙ୍କ ଦ୍ଵାରା ଯଦି ସେଥିପାଇଁ ଦେୟ ପ୍ରଦାନ ହେବାକୁ ଥାଏ; ସେପରି ଗଛ, କାଠ ଗରିଣ୍ଡା ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସମ୍ପର୍କରେ ସେପରି ବ୍ୟକ୍ତିମାନଙ୍କ ଦ୍ଵାର ଦିଆଯିବାକୁ ଥିବା ଅନ୍ୟାନ୍ୟ ଦେୟ ଏବଂ ଯେଉଁ ସ୍ଥାନରେ ସେପରି ଦେୟ ପ୍ରଦାନ କରାଯିବ; ସେପରି ଜଙ୍ଗଲର ବାହାରକୁ ଚାଲିଯାଉଥିବା ଜଙ୍ଗଲଜାତ ଦ୍ରବ୍ୟଗୁଡ଼ିକ ତନଖି କରିବା; ସେପରି ଜଙ୍ଗଲରେ ଚାଷବାସ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ଜମିହସ୍ତାନ୍ତର କରିବା କିମ୍ବା ପରିଷ୍କାର କରିବା; ଦଫା ୩୪ ଅନୁଯାୟୀ ସେପରି ଜଙ୍ଗଲରେ ସଂରକ୍ଷିତ କରାଯାଉଥିବା ଗଛ ଓ କାଠ ଗରିଣ୍ଡାକୁ ନିଆଁ ଦାଉରୁ ରକ୍ଷା କରିବା; ସେପରି ଜଙ୍ଗଲରେ ଘାସ କଟାକଟି କରିବା ଓ ଗୋ-ମହିଷାଦି ପଶୁଚାରଣ କରିବା; ସେପରି ଜଙ୍ଗଲରେ ଶିକାର କରିବା, ଜଳକୁ ବିଷାକ୍ତ କରିବା ଯନ୍ତା ବସାଇବା ଏବଂ ପଶୁପକ୍ଷୀ ଇତ୍ୟାଦି ନେଇ ଆସିବା; ଦଫା ୩୪ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ଜଙ୍ଗଲର କୌଣସି ଭାଗର ସୁରକ୍ଷା ଏବଂ ପରିଚାଳନା ଏବଂ ଦଫା ୩୩ରେ ଉଲ୍ଲେଖିତ ଅଧିକାରର ପ୍ରୟୋଗ କରିବା । ଦଫା ୩୭। ଦଫା ୩୬ ଅନୁଯାୟୀ ନିୟମାବଳୀର କିମ୍ବା ଦଫା ୩୪ ଅନୁଯାୟୀ ବିଜ୍ଞପ୍ତି ଉଲ୍ଲଙ୍ଘନ କାର୍ଯ୍ୟ ପାଇଁ ଦଣ୍ଡ ବ୍ୟବସ୍ଥା କୌଣସି ବ୍ୟକ୍ତି ଯେ କି – ଦଫା ୩୪ ଅନୁଯାୟୀ ସଂରକ୍ଷିତ କରାଯାଇଥିବା ବୃକ୍ଷକୁ କଟାକଟି କରନ୍ତି, କିମ୍ବା ପୋଡ଼ି ଦିଅନ୍ତି କିମ୍ବା ସେ ଗଛର ବକଳ ଓ ପତ୍ର ଛେଦନ କରନ୍ତି କିମ୍ବା ସେ ଗଛର ଅନ୍ୟ କୌଣସି ପ୍ରକାର କ୍ଷତି କରନ୍ତି; ଦଫା ୩୪ ଅନୁଯାୟୀ କରାଯାଇଥିବା ନିଷେଧ ସତ୍ତ୍ୱେ ପଥର ଖନନ କରନ୍ତି, କିମ୍ବା ଚୂନ ବା କାଠ କୋଇଲା ପୋଡନ୍ତି ବା ସଂଗ୍ରହ କରନ୍ତି କିମ୍ବା ଜଙ୍ଗଲଜାତ ଦ୍ରବ୍ୟ ଅପସାରଣ ବା ଉତ୍ପାଦନ କରନ୍ତି; ଦଫା ୩୪ ଅନୁଯାୟୀ କୌଣସି କାରଣ ସତ୍ତ୍ୱେ କୌଣସି ସୁରକ୍ଷିତ ଜଙ୍ଗଲର ଜମିକୁ ଚାଷବାସ ଏବଂ ଅନ୍ୟ କୌଣସି ଉଦ୍ଦେଶ୍ୟରେ ପରିଷ୍କାର ପରିଚ୍ଛନ ବା ଖୋଳାଖୋଳି କରନ୍ତି; ଦଫା ୩୪ ଅନୁଯାୟୀ ସଂରକ୍ଷିତ କରାଯାଇଥିବା ଜଙ୍ଗଲ କିମ୍ବା ସେଠାରେ ଥିବା ଗଛମାନଙ୍କରେ ନିଆଁ ଲଗାଇ ଦିଅନ୍ତି କିମ୍ବା ନିଆଁ ଲାଗିବା ଦିଗରେ ସତର୍କତା ମୂଳକ ପଦକ୍ଷେପ ନ ନିଅନ୍ତି; ଉପରୋକ୍ତ ରୂପେ ସଂରକ୍ଷିତ ହୋଇଥିବା ଗଛ କିମ୍ବା କାଠଗରିଣ୍ଡାକୁ କଟାକଟି କରନ୍ତି କିମ୍ବା କ୍ଷତି କରନ୍ତି କିମ୍ବା କ୍ଷତି କରନ୍ତି କିମ୍ବା ଅପସାରଣ କରି ନେଇଯାଆନ୍ତି; ସେପରି ବୃକ୍ଷମାନଙ୍କୁ ଗୋ-ମହିଷାଦି ପଶୁମାନଙ୍କ ଦ୍ଵାରା ନଷ୍ଟକରିଦିଅନ୍ତି; କିମ୍ବା ଦଫା ୩୬ ଅନୁଯାୟୀ ପ୍ରଣୟନ କରାଯାଇଥିବା ନିୟମାବଳୀର ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରନ୍ତି; ସେହି ବ୍ୟକ୍ତି ଏକ ବର୍ଷ ସମୟପାଇଁ ଜେଲ୍ ଦଣ୍ଡରେ ଏବଂ ଜୋରିମାନା ଯାହା ଦୁଇ ହଜାର ଟଙ୍କାରୁ ଅଧିକ ହୋଇପାରେ, ସେଥିରେ ଦଣ୍ଡିତ ହେବେ ଏବଂ ସେପରି କ୍ଷତିପୂରଣ ପ୍ରଦାନ କରିବାକୁ ଦାୟୀ ହେବେ ଯାହା ଦୋଷୀ ସାବ୍ୟସ୍ତ କରୁଥିବା ଅଦାଲତଙ୍କ ନିର୍ଦ୍ଦେଶାନୁଯାୟୀ କ୍ଷତି କରିଥିବା ଜଙ୍ଗଲ ସଂପଦର ମୂଲ୍ୟ ଠାରୁ କମ୍ ହେବ ନାହିଁ । ଉପଦଫା (୧)ର ପ୍ରକରଣ (ଗ)ଅନୁଯାୟୀ ଯେତେବେଳେ କୌଣସି ବ୍ୟକ୍ତି ଏକ ଅପରାଧରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ସେତେବେଳେ ଅଦାଲତ ଉକ୍ତ ଅପରାଧୀକୁ ସେପରି ଜଙ୍ଗଲ ଜମି କିମ୍ବା ଯେଉଁ ଜମି ସମ୍ପର୍କରେ ସେପରି ଅପରାଧ ଘଟିଛି ସେହି ଜମିକୁ ବହିଷ୍କାର ନିର୍ଦ୍ଦେଶ ଦେବେ । ଅଦାଲତର ସେପରି ଆଦେଶ ପ୍ରଦାନ ହେବା ପରେ ସେହି ଜମିରେ ଥିବା ଘରବାଡିକୁ ନଷ୍ଟ କରିଦିଆଯିବ ଏବଂ ଯଦି କୌଣସି ଫଳନ୍ତି ଶସ୍ୟ ଥାଏ, ତାହା ରାଜ୍ୟସରକାରଙ୍କ ଦ୍ଵାରା ଜବତ ଓ ବାଜ୍ୟାପ୍ତି କରାଯିବ । ଅଦାଲାତର ନିର୍ଦ୍ଦେଶାନୁଯାୟୀ ସେପରି ବହିଷ୍କାର ଆଦେଶନାମା ସବ୍ ଇନିସ୍ପେକ୍ଟର ପାହ୍ୟାଠାରୁ ନିମ୍ନପାହ୍ୟାର ହୋଇନ ଥିବା ପୋଲିସ୍ ଅଫିସର କିମ୍ବା ରେଞ୍ଜ ଅଫିସର ପାହ୍ୟାଠାରୁ ନିମ୍ନ ପାହ୍ୟାର ହୋଇନ ଥିବା ଜଣେ ଜଙ୍ଗଲ ଅଫିସର କିମ୍ବା ରେଭେନ୍ୟୁ ଇନିସ୍ପେକ୍ଟର ପାହ୍ୟା ଠାରୁ ନିମ୍ନ ପାହ୍ୟାର ହୋଇନ ଥିବା ଜଣେ ରେଭେନ୍ୟୁ ଅଫିସରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯିବ । ଯେତେବେଳେ କୌଣସି ସୁରକ୍ଷିତ ଜଙ୍ଗଲରେ – ଇଚ୍ଛାକୃତ ଭାବେ କିମ୍ବା ଘୋର ଅବହେଳାବଶତଃ ଅଗ୍ନି ସଂଯୋଗ ଘଟିଛି; କିମ୍ବା ଜଙ୍ଗଲଜାତ ଦ୍ରବ୍ୟର ଚୋରି ହେଉଛି ଏବଂ ସେପରି ଚୋରି ଯାହାକି ରାଜ୍ୟ ସରକାରଙ୍କ ମତରେ ସେପରି ଜଙ୍ଗଲଜାତ ଦ୍ରବ୍ୟର ଭବିଷ୍ୟତ ଉତ୍ପାଦନ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି କରିବ; ସେତେବେଳେ ରାଜ୍ୟସରକାର ଜିଲ୍ଲାର ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ପ୍ରକରଣ (କ) ଏବଂ (ଖ)ରେ ଉଲ୍ଲେଖିତ କୌଣସି କାର୍ଯ୍ୟ ପାଇଁ ଏହି ଦଫା କିମ୍ବା ଅନ୍ୟ କୌଣସି ଆଇନ୍ ଅନୁଯାୟୀ ଦଣ୍ଡବିଧାନ ହୋଇଥିବା ସତ୍ତ୍ୱେ ସେପରି ଜଙ୍ଗଲରେ ତୃଣଭୂମି ବା ଜଙ୍ଗଲଜାତ ଦ୍ରବ୍ୟର ବ୍ୟବହାର ପାଇଁ ଥିବା ଅଧିକାରଙ୍କୁ ଯେପରି ଉପଯୁକ୍ତ ମନେକରିବେ ସେହି ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇପାରିବେ । ଉଲ୍ଲେଖ ଥାଉ ଯେ ରାଜ୍ୟ ସରକାରଙ୍କୁ କୌଣସି ସୁପାରିଶ କରିବା ପୂର୍ବରୁ ଜିଲ୍ଲାପାଳ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଶୁଣାଣୀର ଯଥେଷ୍ଟ ସୁଯୋଗ ପ୍ରଦାନ କରିବେ । ନିର୍ଣ୍ଣୟ ସିଦ୍ଧାନ୍ତ :- ଦଫା ୩୭ (୧) (ଗ) ର ପ୍ରଯୁଜ୍ୟତା- ଦଫା ୩୪ ଅନୁଯାୟୀ ଜାରୀ ହୋଇଥିବା ନିଷେଧ କେବଳ ସୁରକ୍ଷିତ ଜଙ୍ଗଲ ସହ ସମ୍ବନ୍ଧିତ ଏବଂ ଏହା କେବଳ ଦଫା ୩୭ (୧) (ଗ)ର ପ୍ରବର୍ତ୍ତନ ପାଇଁ ଅଛି – ବୃକ୍ଷ ଗୁଡ଼ିକର ସଂରକ୍ଷଣ କରିବା, ବିଜ୍ଞପ୍ତି ଜାରୀ କରିବା କ୍ଷମତା ଦଫା ୩୪ ସହ ଉଲ୍ଲିଖିତ ଦଫା ୩୭ (୧)(ଗ) ମଧ୍ୟ ସୁରକ୍ଷିତ ଜଙ୍ଗଲ ପ୍ରତି ସମ୍ବନ୍ଧିତ । ନିଷେଧ ସୁରକ୍ଷିତ ଜଙ୍ଗଲ ଅଟେ କିମ୍ବା ସେପରି କୌଣସି ଜମିକୁ ଯେ କୌଣସି ପ୍ରଣାଳୀର ଚାଷବାସ କରିବା ପାଇଁ କୌଣସି ପ୍ରଚେଷ୍ଟା; ଚନ୍ଦ୍ରସେନ୍ ବାଗ ବନାମ ରାଜ୍ୟ -୭୯(୧୯୯୨) ସି.ଏଲ.ଟି. ୬୧୬,୧୯୯୨ (୨) ଓ.ଏଲ.ଆର.-୧୮୫ । ଦଫା ୩୭(୧)(ଗ) ଏହା ସିଦ୍ଧାନ୍ତ ହୋଇଥିଲା ଯେ ଅଭିଯୁକ୍ତ ବ୍ୟକ୍ତିଗଣ କରତ ଦ୍ଵାରା ଖୁଣ୍ଟବାଡ଼ି ଅସଂରକ୍ଷିତ ଜଙ୍ଗଲରେ କାଠଗଣ୍ଡି କାଟୁଥିଲେ ଯେଉଁଥି ପାଇଁ ସେମାନେ ଅନୁମତି ପାଇ ନ ଥିଲେ । ସାକ୍ଷ୍ୟମାନଙ୍କ ଉପସ୍ଥିତିରେ କାଠ ଏବଂ କରତ ଜବତ ହୋଇଥିଲା ଏବଂ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଜଙ୍ଗଲ ଆଇନ୍ ର ଦଫା ୩୭(୧)(ଗ) ଅନୁଯାୟୀ ବିଚାର ପାଇଁ ଅଣାଯାଇଥିଲା । ଏହା ଅଦାଲତ ଦ୍ଵାରା ନିର୍ଣ୍ଣୟ କରାଯାଇଥିଲା ଯେ ଦଫା ୩୪ ଅନୁଯାୟୀ କୌଣସି ବିଜ୍ଞପ୍ତି ଅସଂରକ୍ଷିତ ଜଙ୍ଗଲ ପାଇଁ ଜାରିହୋଇଛି । କୌଣସି ଘୋଷଣାନାମା ଦର୍ଶାଇବା ନିମନ୍ତେ ଏହା ଗ୍ରହଣ କରଯାଇଥିଲା ଯେ ଆରୋପ କରାଯାଇଥିବା କାର୍ଯ୍ୟ ଆୟୋଗର ଜମି ଏକ ସୁରକ୍ଷିତ ଜଙ୍ଗଲ ନ ଥିଲା, ରେକର୍ଡ଼ ଉପରେ କୌଣସି ବିଜ୍ଞପ୍ତି ଅଣାଯାଇ ନ ଥିଲା । ସେପରି ଘଟଣା ଦୃଷ୍ଟିରୁ ଦୋଷସିଦ୍ଧି ହୋଇଛି ତେଣୁ ଅଧିନିର୍ଣ୍ଣୟ ହୋଇଥିବା ଦଣ୍ଡ ଘୋଷଣୀୟ ନୁହେଁ – ୧୯୯୨ (୨)ଓ.ଏଲ.ଆର.-୧୮୫; ୩୪(୧୯୯୨) ଓ.ଜେ.ଡ଼ି-୩୫୨ (କ୍ରାଇମ୍ବ) : ୧୯୯୨ (୩)କ୍ରାଇମ୍ବ(ଓଡ଼ିଶା) -୫୮୭ । ମୌଖିକ ସାକ୍ଷ୍ୟ ବିଜ୍ଞପ୍ତିର ସ୍ଥାନ ଗ୍ରହଣ କରିପାରିବେ ନାହିଁ – ଅପରାଧର ସମସ୍ତ ତଥ୍ୟର ପ୍ରମାଣ ଦାୟିତ୍ଵ ଅଭିଯୋଜନ ଉପରେ ରହିବନାହିଁ – (୧୯୯୬) ୩୨ ସି.ଏଲ୍.ଏଫ । ଓଡ଼ିଶା ଜଙ୍ଗଲ ଆଇନ୍ ର ଦଫା ୩୭ ଅନୁଯାୟୀ ଦୋଷସିଦ୍ଧି କରିବା ପୋଷଣୀୟ ହୋଇପାରିବେ ନାହିଁ ଯେତେବେଳେ ପ୍ରଶ୍ନରେ ଏକ ସଂରକ୍ଷିତ ଜଙ୍ଗଲ ବୋଲି ଘୋଷଣା କରି ଦଫା ୩୭ର ଆବଶ୍ୟକ ବିଜ୍ଞପ୍ତିର ନିର୍ଗମନ ସମ୍ବନ୍ଧରେ କୌଣସି ସାକ୍ଷ୍ୟ ନ ଥାଏ; ରଘୁ ଦଳେଇ ବନାମ ରାଜ୍ୟ – ୪୦ (୩) (୧୯୭୭) ସି.ଏଲ୍.ଟି ୭୦୬ । ବିଜ୍ଞପ୍ତି ପ୍ରମାଣ କରିବାକୁ ଅଭିଯୋଗ ଉପରେ ଦାୟିତ୍ଵ ରହିବ ନାହିଁ - ୪୩(୧୯୭୭)ସି.ଏଲ୍.ଟି – ୩୬୫ ଏବଂ ୭୦୬; ୪୫ (୧୯୭୮) ସି.ଏଲ.ଟି -୬୧୧ । ଦଫା ୩୭(୧)(ଖ) ଅନୁଯାୟୀ ଯେତେବେଳେ କୌଣସି ଦାବି ହୋଇଥାଏ ଦଫା ୩୦ ଏବଂ ୩୧ ଅନୁଯାୟୀ ବିଜ୍ଞପ୍ତି ଆବଶ୍ୟକ । ଏ.ଆଇ.ଆର୍. ୧୯୬୦ ପାଟନା-୨୧୩ । ଦଫା ୩୮। କୃତ କାର୍ଯ୍ୟ ପାଇଁ ଏହି ଅଧ୍ୟାୟରେ ଥିବା ନିଷେଧାଦେଶ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଲାଗୁ ହେବ ନାହିଁ ଏହି ଅଧ୍ୟାୟରେ ଥିବା ବ୍ୟବସ୍ଥା ଜଙ୍ଗଲ ମୁଖ୍ୟ ସଂରକ୍ଷକଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଜଙ୍ଗଲ ଅଧିକାରୀଙ୍କ ଲିଖିତ ଅନୁମତି ବଳରେ କରାଯାଇଥିବା କାର୍ଯ୍ୟ ପ୍ରତି କିମ୍ବା ଦଫା ୩୬ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ଜଙ୍ଗଲର ନିର୍ଦ୍ଦିଷ୍ଟ ଅଂଶ ବ୍ୟତୀତ ଅନ୍ୟ କୌଣସି ଅଂଶ ପାଇଁ କିମ୍ବା କୌଣସି ଅଧିକାରର ପ୍ରୟୋଗ ଯାହା କି ଦଫା ୩୭ ଅନୁଯାୟୀ ସ୍ଥଗିତ ରଖାଯାଇଛି ଏତଦଭିନ୍ନ ଅନ୍ୟ ଅଧିକାର ପ୍ରୟୋଗରେ କିମ୍ବା ଦଫା ୩୩ ଅନୁଯାୟୀ ରେକର୍ଡ଼ ଭୃକ୍ତ ହୋଇଥିବା ଅଧିକାର ପ୍ରୟୋଗ ବଳରେ କରାଯାଇଥିବା କାର୍ଯ୍ୟ ପ୍ରତି ପ୍ରତିକୂଳ ପ୍ରଭାବ ପକାଇବନାହିଁ। ଆଧାର – ଦ ଲ ହାଉସ