ଲିଙ୍ଗ ନିରୁପଣ ଲିଙ୍ଗ ନିରୁପଣ ଅର୍ଥ ହେଉଛି ଗର୍ଭରେ ଥିବା ଭୃଣକୁ ଚିହ୍ନଟ କରିବା ଏବଂ କନ୍ୟା ଭୃଣ ହୋଇଥିଲେ ତାକୁ ନଷ୍ଟ କରିଦେବା । ଆମ ଦେଶରେ ୧୯୯୪ ମସିହାରୁ ଏହାକୁ ଆଇନ ଦ୍ଵାରା ନିଷିଦ୍ଧ କରାଯାଇଛି । ତଥାପି ଏବେ ଏହା ବେଆଇନ୍ ଭାବେ ଚାଲୁରହିଛି । ଫଳରେ ଆମ ଜନସଂଖ୍ୟାରେ ମହିଳାମାନଙ୍କ ଅନୁପାତ କମିଯାଉଛି । ଓଡିଶାରେ ମଧ୍ୟ ପରିସ୍ଥିତି ଅନୁରୂପ ହୋଇଛି । ଆମ ରାଜ୍ୟରେ ୧୯୮୧ ଜନଗଣନାରେ ଜନ୍ମରୁ ୬ବର୍ଷ ବୟସ ଭିତରେ ପ୍ରତି ୧୦୦୦ ପୁଅଙ୍କ ପାଇଁ ୯୯୫ ଜଣ ଝିଅ ଥିବାବେଳେ ୨୦୦୧ ଜନଗଣନାରେ ଏହି ଅନୁପାତ ହ୍ରାସ ପାଇଁ ୯୫୩ ଜଣ ଝିଅ ରେ ପହଞ୍ଚିଛି । ବାସ୍ତବରେ ଏହା ଏକ ଚିନ୍ତାର ବିଷୟ ହୋଇଛି । ଲିଙ୍ଗ ନିରୁପଣ ଆମ ସାମାଜରେ ମହିଳାମାନଙ୍କ ନିମ୍ନ ସାମାଜିକ ଆର୍ଥିକ ଓ ଧର୍ମଗତ କାରଣରୁ ଅଧିକାଂଶ ପରିବାରରେ ଝିଅ ଅପେକ୍ଷାରେ ପୁଅକୁ ଅଧିକ ପସନ୍ଦ କରନ୍ତି । ଆମର ସାମାଜିକ ମାନସିକତା ଯୋଗୁଁ ଝିଅମାନେ ସର୍ବଗୁଣ ସଂପନ୍ନା ହୋଇମଧ୍ୟ ଅବହେଳା ଓ ପକ୍ଷପାତିତାର ଶିକାର ହୋଇଥାନ୍ତି । ବିଶେଷତଃ ଖାଦ୍ୟପେୟ, ଶିକ୍ଷା ଦୀକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପାତର ଅନ୍ତରର ପରିସରର ଅପେକ୍ଷାକୃତ ଅଧିକ । ଲିଙ୍ଗ ନିରୁପଣର କାରଣ ପରିବାର ତଥା ସମାଜରେ ଝିଅକୁ ସାଧାରଣତଃ ବୋଝ ବୋଲି ଭାବନ୍ତି । ଏହାର ବିଭିନ୍ନ କାରଣ ରହିଛି । ଆମ ସମାଜରେ ବୃଦ୍ଧି ପାଉଥିବା ଯୌତୁକ ପ୍ରଥାର ପ୍ରଭାବ । ପରିବାରର ଲୋକେ ଝିଅଠାରୁ ପୁଅଭଳି ଆଶା କରନ୍ତି ନାହିଁ, କାରଣ ଝିଅକୁ “ପରଗୋତ୍ରୀ” “ପରଘରୀ” ଓ “ପରଧନ” ବୋଲି ଧରି ନିଆଯାଏ । ପୁଣି ଧାର୍ମିକ ବିଶ୍ଵାସ ଅନୁସାରେ ବାପା, ମାଆଙ୍କ ମୃତ୍ୟୁ ପରେ ପୁଅ ହିଁ ମୁଖାଗ୍ନି ଦେଇପାରିବେ । ଝିଅଙ୍କୁ ଏଥିପାଇଁ ଏପର୍ଯ୍ୟନ୍ତ ସାମାଜିକ ସ୍ଵୀକୃତି ମିଳିନାହିଁ । ଲିଙ୍ଗ ନିରୁପଣ କିପରି ଜଣାଯାଏ ଅଲଟ୍ରାସାଉଣ୍ଡ ମେସିନ୍ ବା ଅନ୍ୟ କେତେକ ପରୀକ୍ଷା ଦ୍ଵାରା ଲିଙ୍ଗ ନିରୁପଣ କରାଯାଏ । କିନ୍ତୁ ଏପରି ପରୀକ୍ଷା କରିବା ବା କରାଇବାକୁ ଆଇନ୍ ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରିଛି । ପି.ସି. ଏଣ୍ଡ ପି.ଏନ୍.ଡି.ଟି. ଏକ୍ଟ ୧୯୯୪ ଦ୍ଵାରା ଏହାକୁ ନିଷିଦ୍ଧ କରାଯାଇଛି। ଲିଙ୍ଗ ନିରୁପଣ ଗର୍ଭପାତଠାରୁ ଭିନ୍ନ ଲିଙ୍ଗ ନିରୁପଣ କରିବା ଏବଂ ଗର୍ଭପାତ କରାଇବା ସମାନ ବୋଲି କେତେକ ଭାବନ୍ତି : କିନ୍ତୁ ବାସ୍ତବରେ ଦୁଇଟି ଯାକ ଏକାକଥା ନୁହେଁ । ୧୯୭୨ ମସିହାରୁ ପ୍ରଚଳିତ ଏମ୍.ଟି.ପି ଆଇନ୍ ଅନୁଯାୟୀ କେତୋଟି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଗର୍ଭପାତକୁ ଆଇନ୍ ଅନୁମୋଦିତ କରାଯାଇଛି ଯଥା ; ଗର୍ଭ ରହିବା ଦ୍ଵାରା ଯଦି ଜଣେ ମହିଳାଙ୍କ ଜୀବନ ପ୍ରତି ବିପଦଥାଏ କିମ୍ବା ତାଙ୍କ ଶରୀରକୁ ଯଦି ବଡ ଧରଣର କ୍ଷତିର ଆଶଙ୍କା ଥାଏ । ଶିଶୁଟି ଜନ୍ମ ହେଲେ ଯଦି ତାର ଶାରୀରିକ ବା ମାନସିକ ଅସ୍ଵାଭାବିକତା ଯୋଗୁଁ ଗୁରୁତ୍ଵର ଭାବେ ବିକଳାଙ୍ଗ ହେବାର ସମ୍ଭାବନା ଥାଏ । ଗର୍ଭ ନିରୋଧକ ବ୍ୟବହାର କରିବା ସତ୍ତ୍ୱେ ଯଦି ଗର୍ଭ ସଞ୍ଚାର ହୁଏ । ଯଦି ଧର୍ଷଣ ଜନିତ କାରଣରୁ ଗର୍ଭ ରହିଥାଏ । ଏସବୁ ପରିସ୍ଥିତିରେ ଗର୍ଭପାତ କରାଯାଇପାରିବ ; କିନ୍ତୁ ପି.ସି. ଏଣ୍ଡ ପି. ଏନ.ଡି.ଟି.ଏକ୍ଟ ଅନୁଯାୟୀ ଭୃଣର ଲିଙ୍ଗ ନିରୁପଣ କରିବା ବା କରାଇବା କିମ୍ବା ଏ ସଂପର୍କରେ ବିଜ୍ଞାପନ ଦେବାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ଏଣୁ ଗର୍ଭପାତ ଓ ଲିଙ୍ଗ ନିରୁପଣ ମଧ୍ୟରେ ଥିବା ଏହି ପ୍ରଭେଦକୁ ବୁଝିବା ଉଚିତ୍ । ସମାଜ ଉପରେ ଲିଙ୍ଗ ନିରୁପଣର ପ୍ରଭାବ ବିଭିନ୍ନ ପ୍ରଭାବ ଭିତରୁ ଏଠାରେ ଅଳ୍ପ କେତୋଟି ଦର୍ଶାଯାଇଛି । ସମାଜରେ ଝିଅ ବା ମହିଳାଙ୍କ ତୁଳନାରେ ପୁଅ ବା ପୁରୁଷଙ୍କ ସଂଖ୍ୟା ଅଧିକ ହୋଇଯିବ । ଫଳରେ ଆମର ସାମାଜିକ ସନ୍ତୁଳନ ନଷ୍ଟ ହୋଇଯିବ । ଏହାର ପରିଣାମ ସ୍ୱରୂପ ଝିଅ ବା ମହିଲାମାନଙ୍କର ଚାଲାଣ ବଢିଯିବ । ଝିଅ ଓ ମହିଳାଙ୍କ ଅପହରଣ ବୃଦ୍ଧିପାଇବ । ଏକାଧିକ ପତି ବିବାହ ସଂଖ୍ୟା ବଢିବ । ଧର୍ଷଣ ଓ ଅତ୍ୟାଚାର ବଢିଯିବ । ପୁଅ ଣ ହୋଇ ଝିଅ ଜନ୍ମ ହେଲେ ସାଧାରଣତଃ ସ୍ତ୍ରୀକୁ ଦାୟୀ କରାଯାଏ ଏବଂ ସବୁଦୋଷ ତାଙ୍କର ମୁଣ୍ଡରେ ଲଦି ଦିଆଯାଏ; କିନ୍ତୁ ପୁଅ ହେବ ବା ଝିଅ ହେବାଟା ସ୍ଵାମୀ ବା ପୁରୁଷ ଉପରେ ହିଁ ନିର୍ଭର କରେ । ତାହା ଏକ ବୈଜ୍ଞାନିକ ତତ୍ତ୍ଵ ଉପରେ ଆଧାରିତ ବିଷୟ ଅର୍ଥାତ୍ “ଏକ୍ସ ଓ ୱାୟ” କ୍ରୋମୋଜମ୍ ର ସଂଯୋଗ ଉପରେ ଏହା ନିର୍ଭର କରେ । ଆଇନଗତ ବ୍ୟବସ୍ଥା ଓ ଦଣ୍ଡବିଧାନ ପି.ସି. ଏଣ୍ଡ ପି.ଏନ.ଡି.ଟି. ଏକ୍ଟ ଲିଙ୍ଗ ନିରୁପଣକୁ ବିଶେଷକରି ଭୃଣ ନଷ୍ଟ ପାଇଁ ଲିଙ୍ଗ ନିରୁପଣକୁ ନିଷିଦ୍ଧ କରିଛି । ଏଥିରେ ନିମ୍ନୋକ୍ତ ଦଣ୍ଡବିଧାନ ରହିଛି । ଯଦି ଲିଙ୍ଗ ନିରୁପଣ କରିବେ, ଆଇନତଃ ସେମାନଙ୍କୁ ୩ ବର୍ଷ ଜେଲ ଏବଂ ୧୦,୦୦୦/- ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇପାରିବ । ତା ପରେ ଯେତେଥର ଦୋଷୀ ସାବ୍ୟସ୍ତ ହେବେ, ଏହି ଜେଲ ଦଣ୍ଡ ୫ ବର୍ଷକୁ ଏବଂ ଜୋରିମାନା ୫୦,୦୦୦/- ଟଙ୍କାକୁ ବୃଦ୍ଧି କରାଯାଇପାରିବ । ପ୍ରଥମ ଥର ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ, ସେହି ଡାକ୍ତରଙ୍କ ନାମକୁ ମେଡିକାଲ କାଉନସିଲ୍ ଅଫ ଇଣ୍ଡିଆର ପଞ୍ଜିକରଣ ତାଲିକାକୁ ୫ ବର୍ଷ ପାଇଁ ବାଦ୍ ଦିଆଯାଇପାରିବ । ପରିବର୍ତ୍ତୀ ଏହି ଅପରାଧ ନିମନ୍ତେ ସ୍ଥାୟୀ ଭାବେ ସବୁଦିନ ପାଇଁ ତାଙ୍କ ନାମବାଦ୍ ଦିଆଯାଇପାରିବ । ଏହି ଆଇନ୍ ଅନୁଯାୟୀ ସମସ୍ତ ଅଲଟ୍ରା ସାଉଣ୍ଡ ପରୀକ୍ଷା କେନ୍ଦ୍ର ପଞ୍ଜିକୃତ ହେବା ବାଧ୍ୟତା ମୂଳକ ଏବଂ ଏକ ସାଇନ୍ ବୋର୍ଡ ଲଗାଇବାକୁ ହେବ, ଯେଉଁଥିରେ ଲେଖାଥିବ: “ଲିଙ୍ଗ ନିରୁପଣ କରିବା, ଭୃଣର ଲିଙ୍ଗ ଜାଣିବା ଓ ଜଣାଇବା ସଂପୂର୍ଣ୍ଣ ରୂପେ ବେଆଇନ” । ଏହି ବୋର୍ଡକୁ ସାଧାରଣରେ ଦେଖିପାରିବା ଭଳି ଜାଗାରେ ଲଗାଯିବା ଦରକାର । ଜଣେ ମହିଳାଙ୍କ ଭୃଣର ଲିଙ୍ଗ ଜାଣିବା ଓ ଜଣାଇବା ସଂପୂର୍ଣ୍ଣରୂପେ ପରୀକ୍ଷାକେନ୍ଦ୍ରର ବା ବିଶେଷଜ୍ଞଙ୍କର ସାହାଯ୍ୟ ଖୋଜନ୍ତି ବା ଏଥିପାଇଁ ପ୍ରବର୍ତ୍ତାନ୍ତି, ତେବେ – ତାଙ୍କୁ ମଧ୍ୟ ୩ ବର୍ଷ ଜେଲ ଦଣ୍ଡ ଏବଂ / କିମ୍ବା ୫୦,୦୦୦/-ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇପାରିବ। ପରିବର୍ତ୍ତୀଥର ଅପରାଧ ନିମନ୍ତେ ଏହି ଦଣ୍ଡ ୫ବର୍ଷ ଜେଲ ଏକ ଲକ୍ଷ ଟଙ୍କା ଜୋରିମାନାକୁ ବୃଦ୍ଧି କରାଯାଇପାରିବ । ଲିଙ୍ଗ ନିରୁପଣ କରାଯାଏ ବୋଲି ଯେଉଁ ବ୍ୟକ୍ତି ବା ବ୍ୟକ୍ତିମାନେ ବିଜ୍ଞାପନ ଦେବେ, ସେମାନଙ୍କୁ : ୩ ବର୍ଷ ଜେଲ ଏବଂ /କିମ୍ବା ୧୦,୦୦୦/- ଟଙ୍କା ଜୋରିମାନାରେ ଦଣ୍ଡିତ କରାଯିବ। ଯଦି ଏହି ଅପରାଧ ସେମାନେ ଚାଲୁରଖନ୍ତି, ତେବେ ତାଙ୍କୁ ଦୈନିକ ୫୦୦ ଟଙ୍କା ଜୋରିମାନା କରାଯିବ । ଲିଙ୍ଗ ନିରୁପଣ ସଂପର୍କରେ ଅଭିଯୋଗ ଲିଙ୍ଗ ନିରୁପଣ ସଂପର୍କରେ ଖାଲି ଜାଣିଲେ ଚଳିବ ନାହିଁ । ଏହା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ପଡିବ । ଏ ସଂପର୍କରେ କାହା ପାଖରେ ଅଭିଯୋଗ କରାଯିବ, ତାହା ଜାଣିବା ନିହାତି ଆବଶ୍ୟକ । ଆପଣ ଲିଙ୍ଗ ନିରୁପଣ ହେଉଥିବା ସଂପର୍କରେ ଜାଣିବା ମାତ୍ରେ ପ୍ରାଧିକୃତ, କର୍ତ୍ତୃପକ୍ଷଙ୍କୁ ଜଣାଇଦେବେ । ସେମାନେ ହେଲେ – ରାଜ୍ୟ ସ୍ତରରେ ପରିବାର କଲ୍ୟାଣ ନିର୍ଦ୍ଦେଶକ, ଭୂବନେଶ୍ଵର ଜିଲ୍ଲା ସ୍ତରରେ ଜିଲ୍ଲାପାଳ । ପଦକ୍ଷେପ ନିର୍ଦ୍ଦିଷ୍ଟ ଅଭିଯୋଗ ପାଇବା ପରେ ଉପରୋକ୍ତ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିପାରିବେ । ଲିଙ୍ଗ ନିରୁପଣ ହେବାର ଅଭିଯୋଗ ମିଳିଲେ, ପରୀକ୍ଷା କେନ୍ଦ୍ରର ପରିସରକୁ ସର୍ଚ୍ଚ କରାଯାଇପାରିବ । ଲିଙ୍ଗ ନିରୁପଣର ନିର୍ଦ୍ଦିଷ୍ଟ ପ୍ରମାଣ ମିଳିଲେ, ସେହି କେନ୍ଦ୍ରଟିକୁ ବନ୍ଦ ବା ସିଲ୍ କରି ଦିଆଯିବ ଏବଂ ଅପରାଧୀଙ୍କ ବିରୁଦ୍ଧରେ ଅଦାଲତରେ କେସ୍ କରାଯିବ । ଲିଙ୍ଗ ନିରୁପଣକୁ ନିବାରଣ ଲିଙ୍ଗ ନିରୁପଣ ଏକ ସାମାଜିକ କଳଙ୍କ । ଏଣୁ ଏହାର ନିବାରଣ ନିମନ୍ତେ କେତୋଟି କାମ କରିବାକୁ ପଡ଼ିବ । ସେଗୁଡ଼ିକ ହେଉଛି – ଲିଙ୍ଗ ନିରୁପଣ ସଂପର୍କିତ ସୂଚନା ପାଇବା ମାତ୍ରେ ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ । ଲିଙ୍ଗ ନିରୁପଣ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରନ୍ତୁ । ଲିଙ୍ଗ ନିରୁପଣ ଓ ଏହାର କୁପରିଣାମ ସଂପର୍କରେ ଲୋକଙ୍କୁ ସଚେତନ କରାନ୍ତୁ । ଯୌତୁକ ପ୍ରଥାର ବିଲୋପ ନିମନ୍ତେ ଆନ୍ତରିକ ଉଦ୍ୟମ କରନ୍ତୁ ବିଶେଷ କରି ଯୁବସମାଜକୁ ବୁଝାନ୍ତୁ । ଝିଅମାନଙ୍କୁ ପାଠପଢାଇ ଆର୍ଥିକ ସ୍ୱାବଲମ୍ବନଶୀଳ କରିବା ପାଇଁ ସାହାଯ୍ୟ କରନ୍ତୁ । ପୁରୁଷ ପ୍ରଧାନ ସମାଜରେ ଝିଅ ବା ମହିଳାଙ୍କ ସ୍ଥିତିକୁ ସୁଦୃଢ କରିବା ଓ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଆବଶ୍ୟକ ପ୍ରଚେଷ୍ଟା କରନ୍ତୁ । ଜନ ଜାଗରଣ ଅଭିଯାନରେ ଗଣମାଧ୍ୟମ ଏବଂ ଲୋକପ୍ରିୟ ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସଂପୃକ୍ତ କରାନ୍ତୁ। ଆଧାର – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ